କୋର୍ଟରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ

fdfd-1

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ବାୟୁସେନା ଅଧିକାରୀ ଭୁବନେଶ୍ୱର ପୋକ୍‌ସୋ କୋର୍ଟରେ ସୋମବାର ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ଇଣ୍ଡିଆନ୍‌ ଏୟାରଫୋର୍ସର ଗ୍ରୁପ୍‌ କ୍ୟାପଟେନ୍‌ ଥିବା ବିଶାଖାପାଟଣାର କୋରିମିଲ୍ଲି ଭେଙ୍କଟ ଶ୍ରୀନିବାସ (୫୧)। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ଶ୍ରୀନିବାସଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି। ତେବେ ଦୁଇଦିନ ମଧ୍ୟରେ ଶ୍ରୀନିବାସଙ୍କୁ ରିମାଣ୍ଡରେ ଆଣି ମାମଲା ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ପୋଲିସ ପକ୍ଷରୁ ଯୋଜନା କରାଯାଉଥିବା ସୂଚନା ମିଳିଛି।
ଶ୍ରୀନିବାସଙ୍କ ବାପା ଭୁବନେଶ୍ୱରରେ ଚାକିରି କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀନିବାସ ପୁରୁଣାଭୁବନେଶ୍ୱର ଅଞ୍ଚଳରେ ବିବାହ କରିଥିଲେ। ବିଭିନ୍ନ ସମୟରେ ସେ ଶ୍ୱଶୁର ଘରକୁ ବୁଲିବାକୁ ଆସନ୍ତି। ତାଙ୍କ ସ୍ତ୍ରୀଙ୍କ ସାଙ୍ଗର ସାନ ଝିଅଙ୍କୁ୍‌ ସେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଗତ ଜୁନ ୨୩ରେ ରସୁଲଗଡ଼ ଅଞ୍ଚଳରେ ଏକ ପାରିବାରିକ ଉତ୍ସବ ହେଉଥିବାବେଳେ ୧୩ ବର୍ଷୀୟା ନାବାଳିକା ଜଣକ ସେଠାକୁ ଆସି ନ ଥିଲେ। ତେଣୁ ତାଙ୍କୁ ଆଣିବାକୁ ଶ୍ରୀନିବାସ ତାଙ୍କ ଘରକୁ ଯାଇଥିଲେ। ତେବେ ଘରେ ଏକାକୀ ଥିବା ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରି ସେଠାରେ ଶ୍ରୀନିବାସ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ବଡ଼ ଭଉଣୀ ଘରକୁ ଆସିବା ପରେ ନାବାଳିକା ଜଣକ ଏହି ଘଟଣା ବିଷୟରେ ଜଣାଇଥିଲେ। ନାବାଳିକାଙ୍କ ପରିବାର ପକ୍ଷରୁ ଏନେଇ ଜୁନ ୨୭ରେ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଜୁନ ୨୮ରେ ଆଇପିସି ଦଫା ୩୭୬(୩) ଓ ପୋକ୍‌ସୋ ଆକ୍ଟରେ ଏକ ମାମଲା (ନଂ.୨୬୧/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଟିମ୍‌ ପରବର୍ତ୍ତୀ ସମୟରେ ଶ୍ରୀନିବାସଙ୍କୁ ଗିରଫ କରିବାକୁ ଦୁଇଥର ଦିଲ୍ଲୀ ମଧ୍ୟ ଯାଇଥିଲା। ତେବେ ଏହି ମାମଲାରେ ଅଭିଯୁକ୍ତ ଶ୍ରୀନିବାସ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମଧ୍ୟ ଜାମିନ ଆବେଦନ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା।

nis-ad
Leave A Reply

Your email address will not be published.