5T ସଚିବ ଭି.କେ. ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର: କୁହୁଳିଲା ଓଡ଼ିଶା ରାଜନୀତି…

କଳଙ୍କିତ ଅଧ୍ୟାୟ ର ପରିସମାପ୍ତି : ବିଜୟ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଙ୍କ ଦଶହରା ଭେଟିକୁ ଅପେକ୍ଷା ରାଜ୍ୟବାସୀ …


( କିଏ ହେବ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ନଥିବା 5T ବିଭାଗର ଉତ୍ତରାଧିକାରୀ.. !!)

ଭୁବନେଶ୍ବର:(୨୩/୧୦)
ରାଜ୍ୟ ରାଜନୀତି ପ୍ରାଙ୍ଗଣରେ ବି.ଜେ.ଡି. , ବି. ଜେ.ପି. ତଥା କଂଗ୍ରେସ୍ ଭଳି ପ୍ରମୁଖ ଦଳ ମାନଙ୍କର ଏକ ପ୍ରକାରର ସମରସଜ୍ଜା ଆରମ୍ଭ ହୋଇସାରିଥିବା ପରିପ୍ରେକ୍ଷୀରେ ହଠାତ୍ ଆଜି 5T ସଚିବ ଭି.କେ. ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର । 5T ସଚିବ ଭି.କେ. ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଲେ କେନ୍ଦ୍ର ସରକାର । ଓଡ଼ିଶା କ୍ୟାଡର ୨୦୦୦ ବ୍ୟାଚ୍‌ର IAS ଅଫିସର ପାଣ୍ଡିଆନ ଗତ ୨୦ ତାରିଖରେ VRS ଆବେଦନ କରିଥିଲେ । ଆଜି ପାଣ୍ଡିଆନଙ୍କ ଇସ୍ତଫା ଗୃହୀତ ହୋଇଥିବା ଜଣାଇଲା କେନ୍ଦ୍ର କାର୍ମିକ ବିଭାଗ । ତେବେ ଇତି ମଧ୍ୟରେ ରାଜ୍ୟ ରାଜନୀତିରେ ଅନେକ କଳ୍ପନା ଜଳ୍ପନା ସାମ୍ନାକୁ ଆସିଛି । କେହି କେହି ଚର୍ଚ୍ଚା କରୁଛନ୍ତି, ଅମିତ ଶାହାଙ୍କ ଓଡ଼ିଶା ଗ୍ରସ୍ତ ପରେ ପରେ ବିଚଳିତ ସ୍ଵଭାବ ପରିଲକ୍ଷିତ ହୋଇ ଆସୁଥିବା ଏକ କାରଣ ରହିଥିବା ବେଳେ କେହି କେହି ପ୍ରଶ୍ନ ଉଠାଇଛନ୍ତି ଏହା ଇ.ଡି./ସି.ବି. ଆଇ. ଭୟ ନୁହେଁ ତ ! ରାଜନୈତିକ ସମୀକ୍ଷକଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ, ପ୍ରତ୍ୟେକ୍ଷ ରାଜନୀତିରେ ଅଂଶ ଗ୍ରହଣ କରିବାର ଲାଳସାକୁ ଚରିତାର୍ଥ କରିବା ନିମନ୍ତେ ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣ ନାଁରେ ମହିଳା ଭୋଟ ବ୍ୟାଙ୍କକୁ ସୁରକ୍ଷିତ କରିବା ସମେତ ଓଡ଼ିଶାବାସୀଙ୍କ ଟିକସ ପଇସାରେ ରାଜ୍ଯ ତମାମ ଶାସକ ଦଳର ବ୍ୟାପକ ପ୍ରଚାର ପ୍ରସାର ସାରିବା ପରେ ଏହା ଯୋଜନାବଦ୍ଧ ଇସ୍ତଫା ନୁହେଁ ତ ! କେବଳ ସେତିକି ନୁହେଁ ନିକଟ ଅତୀତରେ ରାତାରାତି ୨୨୦ ଜଣ ପ୍ରଶାସନିକ ସେବା ଅଧିକାରୀଙ୍କ ବଦଳି ନିମନ୍ତେ ନିର୍ଦ୍ଦେଶନାମା ଦେବା ଭାରି ପଡ଼ିଲା ନା ତୁରନ୍ତ ନିର୍ବାଚନ ଉଦ୍ଘୋଷଣା ପାଇଁ ହିଁ 5T ସଚିବଙ୍କ ଅବସର, ଯାହାକି ଶାସକ ଦଳର ଗୋଟି ଚାଳନା ବୋଲି ପ୍ରଶ୍ନ ଉଠିଛି । ତେବେ ନିର୍ବାଚନକୁ କେନ୍ଦ୍ର କରି ସିଧାସଳଖ ଭାବେ 5T ସଚିବଙ୍କ ଅବସର ଜରିଆରେ ଏକଥା ଗ୍ରହଣ କରିନେବା ଉଚିତ୍ ହେବକି ମେଳି ବାନ୍ଧିଛନ୍ତି ଅମଲାତନ୍ତ୍ର? ଯଦି ତାହା ସତ ହୋଇଥାଏ ତେବେ ‘ନବୀନ ଓଡ଼ିଶା’ ଓଲଟି ହେବକି ‘ଅମଲା ଓଡ଼ିଶା’ !
ବର୍ତ୍ତମାନର ଏହି ଘଟଣା ଓଡ଼ିଶାର ସୁପ୍ତ ରାଜନୀତିକୁ ଭୂମିକମ୍ପ ଜରିଆରେ ଗତିଶୀଳ କରାଇଥିବା ବେଳେ ବି.ଜେ.ଡି. ଦଳ ପାଟିରେ ତୁଣ୍ଡି ବାନ୍ଧି ନେଇଛି । ପୂର୍ବରୁ ଅନେକ ସମୟରେ ଶାସକ ଦଳର ଅସନ୍ତୁଷ୍ଟ ନେତା ଭାବେ ପରିଚୟ ତିଆରି କରିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହୁଅନ୍ତୁ ବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ହୁଅନ୍ତୁ କିମ୍ବା ବିରୋଧୀ ଦଳର ଅପରାଜିତା ଶଢ଼ଙ୍ଗୀ ବାରମ୍ବାର ଚର୍ଚ୍ଚା ରଖି ଆସୁଥିଲେ ଯେ, ରାଜନୀତି କରିବାର ଅଛି ତ ଇସ୍ତଫା ଦେଇ ଖୋଲା ମଇଦାନକୁ ଆସନ୍ତୁ 5T ସଚୀବ, ତେବେ ସାମ୍ପ୍ରତିକ ସମୟର ଅବସର ହିଁ ଉକ୍ତ ଆହ୍ୱାନର ପ୍ରତିଫଳନ ବୋଲି ଗ୍ରହଣ କରିବେ କି ଓଡ଼ିଶାର ଜନସାଧାରଣ? ସାଧାରଣ ପ୍ରଶାସନିକ ଓ ଜନଶୁଣାଣୀ ବିଭାଗ ତଥା 5T ଭଳି ସ୍ବରଚିତ ଚକ୍ରବ୍ୟୁହର ମୁଖ୍ୟ ସେନାପତି ଭାବେ ରହି ଶାସକ ଦଳର ମେରୁଦଣ୍ଡ ପାଲଟି ସାରିଥିବା ଅଣଓଡ଼ିଆ ସଚିବଙ୍କ ପ୍ରଶାସନିକ ସେବାରୁ ଅବସର ଗ୍ରହଣ ପରେ ପୁଣି ଥରେ 5T ବିଭାଗକୁ ନେଇ ଘନେଇଛି ବିବାଦ । ସଚିବଙ୍କ ଅବସରରେ ହିଁ ପୂର୍ଣ୍ଣଚ୍ଛେଦ ପଡ଼ିଯିବକି ମନ୍ତ୍ରୀ ନଥିବା ଏହି ବିଭାଗ ନା 5T କେବଳ ଏକ ଫମ୍ପା ମାଠିଆ ଭାବେ ଓଡ଼ିଶା ଶାସନ କୋଳ ଜରିଆରେ ଭୂମିଷ୍ଠ ହୋଇ କେବଳ Transparency, Technology, Team Work, Time, Transformation, ଭଳି ଗମ୍ଭୀର ଶବ୍ଦମାଳା ଦ୍ଵାରା ଖୁବ୍ ଶବ୍ଦ କରି ଆସୁଥିଲା! ଶେଷରେ ସଂଶୟ ପ୍ରତିଭାତ ହୋଇଛି ଯେ, ଅବସର ଗ୍ରହଣ ପରେ ସ୍ବତନ୍ତ୍ର ସୁରକ୍ଷା ବଳୟ ସମେତ ସ୍ଵତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବେ କି ପ୍ରାକ୍ତନ 5T ସଚିବ..??
ଶେଷରେ ରାଜ୍ୟବାସୀଙ୍କ ଦେଖିବାକୁ ଅପେକ୍ଷା ରହିଲା କ’ଣ ରହିଛି ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି? ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିଥିବା ଶାସକ ଦଳର ଅଘୋଷିତ ଚାଣକ୍ୟ ଯଦି ଶାସକ ଦଳରେ ହିଁ ଯୋଗ ଦେଉଛନ୍ତି ତେବେ ଦଳୀୟ ପଦାଧିକାରୀ ଭାବେ ସଭାପତି, ନା ନିର୍ବାଚନ ପ୍ରସ୍ତୁତି ନିମନ୍ତେ ସ୍ବତନ୍ତ୍ର ଦାୟିତ୍ଵ, ନା କେବଳ ରଣନୀତି ପ୍ରସ୍ତୁତି ନିମନ୍ତେ ଚାଣକ୍ୟ ଭାବେ ହିଁ ରଖୁଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ନା ‘ନବୀନ ଓଡ଼ିଶାର’ ନୂତନ ‘ତାମିଲି ମୂଖ୍ୟ ମନ୍ତ୍ରୀ’..?

nis-ad
Leave A Reply

Your email address will not be published.