ମାଲକାନଗିରି ଇତିହାସରେ ଯୋଡ଼ିହେଲା ନୂତନ ଫର୍ଦ୍ଦ, ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା

ଚାଲିଲା ୩୬ଟି ବସ୍, ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋର ଅତି ପ୍ରିୟ ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି। ଏହି ଅବସରରେ ଯୋଜନାର ପ୍ରଥମ ବସ୍‌ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣି ମାଲକାନଗିରିରୁ ଏମ୍.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି ସେଠାରେ BQSର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଉଚ୍ଛସିତ ଜନତାଙ୍କ ତାଳି, ସ୍ୱାଗତମ୍ ଧ୍ୱନି ଓ ମହିଳାମାନଙ୍କ ହୁଳହୁଳି ଧ୍ୱନି ମଧ୍ୟରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ “ମାଲକାନଗିରିରୁ ହିଁ ଏକ ଟଙ୍କିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରି ପ୍ରମୁଖ ଯୋଜନା ଆରମ୍ଭ କରିଥିଲି। ଆଜି ପୁଣି ଥରେ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା ‘ଲକ୍ଷ୍ମୀ ଯୋଜନା’ ଆରମ୍ଭ କରି ମୁଁ ବହୁତ ଖୁସି” ବୋଲି ବକ୍ତବ୍ୟ ରଖିଥିଲେ ।

ଓଡିଶାର ବିକାଶରେ ମାଲକାନଗିରିର ଭୂମିକା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମା’ ମାନଙ୍କ ପାଇଁ BSKYରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥାର ପ୍ରସ୍ତାବ ମାଲକାନଗିରି ରୁ ହିଁ ଆସିଥିଲା ।

ସେ ପୁଣି କହିଥିଲେ ଯେ ଆମର ଏହି ଲକ୍ଷ୍ମୀ ଯୋଜନାର ସଂପର୍କ ମଧ୍ୟ ମାଲକାନଗିରି ସହ ରହିଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାଲକାନଗିରି ଗସ୍ତରୁ ସେ ଲୋକଙ୍କ ଅସୁବିଧା ବିଷୟରେ ଜାଣିପାରିଥିଲେ। ତା ପରେ ଏହି ଲକ୍ଷ୍ମୀ ଯୋଜନାର ପରିପକଳ୍ପନା କରାଗଲା ବୋଲି ସେ କହିଥିଲେ।

ଏହି ଯୋଜନା ଆମର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଆମର ଅର୍ଥନୀତିକୁ ଆହୁରି ମଜବୁତ କରିବ ଏବଂ ଗାଁ ଗାଁରେ ସମୃଦ୍ଧି ଆଣିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ସାରା ରାଜ୍ୟରେ ଏକ ହଜାରରୁ ଅଧିକ ବସ୍‌ ଚାଲିବ। ମାଲକାନଗିରିରେ ଆଜି ୩୬ଟି ବସ୍‌ ଚାଲିଲା । ମାଲକାନଗିରିର ୧୧୧ଟି ପଞ୍ଚାୟତକୁ ବସ୍‌ ସୁବିଧା ମିଳିଲା । ଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହେଲା ବୋଲି ସେ କହିଥିଲେ | ଆଜି ୬ଟି ଜିଲ୍ଲାରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ ହେଉଛି। ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପଞ୍ଚାୟତରୁ ବ୍ଲକକୁ, ବ୍ଲକରୁ ଜିଲ୍ଲା ସଦରମହକୁମାକୁ ଗାଡି ଚଳାଚଳ କରିବ। ଗ୍ରାମାଞ୍ଚଳର କୃଷକ, ଛାତ୍ରଛାତ୍ରୀ, ମା’ ଭଉଣୀ ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ପ୍ରତି ବ୍ଲକରେ ବସ୍‌ ଷ୍ଟାଣ୍ଡ ନିର୍ମାଣ ହେଉଛି। ଏହା ବସ୍ ଚଳାଚଳ ବ୍ୟବସ୍ଥାରେ ଉନ୍ନତି ଆଣିବ ।

nis-ad
Leave A Reply

Your email address will not be published.