ଫାୟାର ଷ୍ଟେସନରୋଡ ବାରାହୀ ପାହାଡରୁ ମହିଳାଙ୍କ ଗଳିତ ଶବ ଠାବ, ହତ୍ୟା ସନ୍ଦେହ…

ହିଞ୍ଜିଳିକାଟୁ, ୮ା୧୦ : ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ୬ନଂ ୱାର୍ଡ ଅଗ୍ନିଶମ କେନ୍ଦ୍ର ପଛଭାଗ ବାରାହୀ ପାହାଡରୁ ଜଣେ ମହିଳାଙ୍କ ଗଳିତ ଶବକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକଙ୍କ ସଠିକ ପରିଚୟ ଜଣାପଡିନଥିବା ବେଳେ ଗଛରେ ବନ୍ଧା ଯାଇଥିବା ରଶି ଲଗା ଚୁନିକୁ ଚିହ୍ନଟ କରି ମୃତକଙ୍କ ପରିବାର ଲୋକେ ମୃତକ ଜଣଙ୍କ ବ୍ରହ୍ମପୁର ସଦର ଥାନା କୃପାସିନ୍ଧୁପୁର ଶାସନଗ୍ରାମର ବିଜୟ ନାୟକଙ୍କ ସ୍ତ୍ରୀ ଲିଲି ନାୟକ(୩୨)ବୋଲି ସନ୍ଦେହ କରାଯାଉଛି । ପାରିପ୍ୱାର୍ଶିକ ସ୍ଥିତିକୁ ଲକ୍ଷ୍ୟ କଲେ କେହି ଦୃର୍ବୁତ୍ତ ହତ୍ୟା କରିବା ପରେ ପାହାଡ ନିକଟର ଟାଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି । ମହିଳା ଜଣଙ୍କ ଦୀର୍ଘ ୧୨ ଦିନ ଧରି ନିଖୋଜ ଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୨୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ କାରଣ ଏବଂ ଡି.ଏନ.ଏ. ରିପୋର୍ଟ ଆସିବା ପରେ ମୃତକଙ୍କ ପରିଚୟ ସ୍ପଷ୍ଟ ହେବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି କହିଛନ୍ତି ।
ପ୍ରକାଶ ଯେ, ବ୍ରହ୍ମପୁର ସଦର ଥାନା କୃପାସିନ୍ଧୁପୁର ଶାସନଗ୍ରାମର ବିଜୟ ନାୟକଙ୍କ ସ୍ତ୍ରୀ ଲିଲି ନାୟକ ପରିବାର ସହ ଦୀର୍ଘ ଦିନ ଧରି ହିଞ୍ଜିଳିକାଟୁ ପୌରାଞ୍ଚଳ ୬ନଂ ୱାର୍ଡ କମ୍ବୁପାଣି ମାର୍ଗରେ ଭଡା ସୂତ୍ରରେ ରହି ଆସୁଥିଲେ । ଦୀର୍ଘ ୧୨ ଦିନ ଧରି ମହିଳା ଜଣଙ୍କ ନିଖୋଜ ଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ ମହିଳାଙ୍କ ସନ୍ଧାନ ମିଳିନଥିଲା । ରବିବାର ଅପରାହ୍ନରେ କିଛି ଶ୍ରମିକ ସଂପୃକ୍ତ ପାହାଡ ନିକଟରେ କାମ କରୁଥିବା ବେଳେ ଦୁର୍ଗନ୍ଧ ହେବାରୁ ମୃତଦେହ ପଡିଥିବା ସନ୍ଦେହ କରିଥିଲେ । ନିକଟସ୍ଥ ସ୍ଥାନକୁ ଯିବା ବେଳେ ଏକ କୁକୁର ମୃତ ମହିଳାଙ୍କ ଗୋଡକୁ ଝୁଣି ଝୁଣି ଖାଉଥିବା ଦେଖିବାକୁ ପାଇଥିଲେ । ଘଟଣା ନେଇ ଶ୍ରମିକ ମାନେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ଘଟଣା ସ୍ଥଳକୁ ଲୋକଙ୍କ ସୂଅ ଛୁଟିଥିଲା । ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀ ସେଠି ଓ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ମୃତଦେହ ପଡିଥିବା ସ୍ଥାନର ଅଳ୍ପ ଦୁରରେ ଥିବା ଏକ ନିମଗଛରେ ରଶିଲଗା ଚୁନି ବନ୍ଧା ଯାଇଥିବା ବେଳେ ମୃତଦେହ ସମ୍ପୁର୍ଣ୍ଣ ପଚିସଢି ଯାଇଥିବା ଦେଖିବାକୁ ମିଳିଛି । ଉଦ୍ଧାର ଗଳିତ ଶବ ବାସ୍ତବରେ ଲିଲିଙ୍କ ନା ଅନ୍ୟ କାହାର ସେ ନେଇ କୌଣସି ସ୍ପଷ୍ଟ ହୋଇ ପାରିନାହିଁ । କୌଣସି ଦୃର୍ବୁତ୍ତ କୌଣସି ମହିଳାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲକ୍ଷ୍ୟରେ ମୃତଦେହକୁ ପାହାଡ ନିକଟରେ ରଖି ଚାଲିଯାଇଛି ନା ପରିବାର ସନ୍ଦେହ ପ୍ରକାଶ କରୁଥିବା ଲିଲି ଆତ୍ମହତ୍ୟା କରିଛନ୍ତି ସ୍ପଷ୍ଟ ଜଣାପଡିନାହିଁ ।

nis-ad
Leave A Reply

Your email address will not be published.