କିଶୋର ଜେନାଙ୍କୁ ଦେଢ଼ କୋଟି ର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

kishore jena

ଭୁବନେଶ୍ବର: କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର। ଚୀନର ହଙ୍ଗଝୌରେ ଜାରି ଏସୀୟ କ୍ରୀଡ଼ା ୨୦୨୩ର ଜାଭେଲିନ ଥ୍ରୋରେ ଇତିହାସ ରଚିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଥାଉକି, ଫାଇନାଲ୍‌ରେ କିଶୋର ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଛନ୍ତି। ନିଜ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି।

କିଶୋର ଜେନା ୮୧.୨୬ ମିଟର ଫିଙ୍ଗି ଫାଇନାଲ୍‌ରେ ନିଜର ଅଭିଯାନ ଆରମ୍ଭ କରିଥିଲେ। ସେ ପ୍ରଥମ ପ୍ରୟାସରେ ନୀରଜଙ୍କୁ କଡ଼ା ଟକ୍କର ଦେଇଥିଲେ। ନୀରଜ ଦ୍ଵିତୀୟ ପ୍ରୟାସରେ ୮୪.୪୯ ମିଟର ଜାଭେଲିନ ଫିଙ୍ଗିଥିବା ବେଳେ କିଶୋର ଫିଙ୍ଗିଥିଲେ ୭୯.୭୬ ମିଟର। ଆଉ ତୃତୀୟ ପ୍ରୟାସରେ କିଶୋର ୮୬.୭୭ ମିଟର ଭାଲା ଫିଙ୍ଗି ନୀରଜଙ୍କୁ ଅତିକ୍ରମ କରିଥିଲେ। ଚତୁର୍ଥ ପ୍ରୟାସରେ ନୀରଜ ୮୮.୮୮ ମିଟର ଫିଙ୍ଗି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। କିଶୋର ମଧ୍ୟ ନିଜର ଚତୁର୍ଥ ଉଦ୍ୟମରେ ଶ୍ରେଷ୍ଠ ପ୍ରଦର୍ଶନ କରି ୮୭.୫୪ ମିଟର ଭାଲା ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି।

ଏହା ପୂର୍ବରୁ ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପରେ କିଶୋର ୮୪.୭୭ ମିଟର ଭାଲା ଫିଙ୍ଗି ପଞ୍ଚମ ସ୍ଥାନ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ଯାହାକୁ ସେ ଏସୀୟ କ୍ରୀଡ଼ା ୨୦୨୩ରେ ଅତିକ୍ରମ କରିଛନ୍ତି। ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ବିଶ୍ଵ ଆଥଲେଟିକ୍ସରେ ସେ ଭାଗ ନେଇଥିଲେ। ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍ ଦମଦାର ପ୍ରଦର୍ଶନକୁ ବଜାୟ ରଖିଥିଲେ କିଶୋର ଜେନା। ଆଉ ଏସୀୟ କ୍ରୀଡ଼ା ଫାଇନାଲ୍‌ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

ସୂଚନାଯୋଗ୍ୟ, ୨୭ ବର୍ଷୀୟ କିଶୋର ଜେନା ହେଉଛନ୍ତି ପୁରୀ ଜିଲ୍ଲାର ବାସିନ୍ଦା। ୨୦୨୩ ଜୁନରେ ଭୁବେନଶ୍ଵରରେ ଆୟୋଜିତ ନ୍ୟାସନାଲ ଚାମ୍ପିଅନସିପରେ ସେ ରୌପ୍ୟ ପଦକ ଜିତିଥିଲେ। ଚଳିତ ବର୍ଷ ଜୁଲାଇ ୩୦ରେ ଶ୍ରୀଲଙ୍କାରେ ଖେଳା ଯାଇଥିବା ପ୍ରତିଯୋଗିତାରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୩୮ ମିଟର ଯାଏ ଭାଲା ଫିଙ୍ଗିଥିଲେ। ଏହି ପ୍ରଦର୍ଶନ ବଳରେ ସେ ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

nis-ad
Leave A Reply

Your email address will not be published.