ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୩ ପାଳିତ

ଫୁଲବାଣୀ : ଜିଲ୍ଲା ପ୍ରଶାସନ କନ୍ଧମାଳ ଓ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୩ ମହାସମାରୋହର ସହିତ ପାଳିତ ହୋଇଯାଇଛି ।

ଏହି ଉପଲକ୍ଷେ ସକାଳେ ଯୋଗ ଶିବିର ଅନୁଷ୍ଠିତ ହେବା ସହିତ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ମାଗଣା ଔଷଧ ବଣ୍ଟନ ମଧ୍ୟ କରାଯାଇଛି। ଏହି ଯୋଗ ଶିବିରରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ମନୋଜ କୁମାର ଉପାଧ୍ୟାୟ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗଦେଇଥିଲେ ।

ଏହି ଦିବସ ପାଳନ ଅବସରରେ, ବରିଷ୍ଠ ନାଗରିକ ମାନଙ୍କ ଯତ୍ନ ନେବା, ସେମାନଙ୍କୁ ଭଲ ପାଇବା ଏବଂ ସେମାନଙ୍କୁ ସମ୍ମାନର ସହିତ ବଞ୍ଚିବାକୁ ଦେବା ଭଳି ସଚେତନତା ବାଆଁ ଦେବା ଉଦ୍ଦେଶ୍ୟରେ ଆଜି ସକାଳେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପରେ ପରେ ଏକ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଲେ, ବରିଷ୍ଠ ନାଗରିକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ । ସେହିପରି, ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି କହିଲେ, ବରିଷ୍ଠ ନାଗରିକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ମୁଖ୍ୟ ଚିକିତ୍ସାଳୟ ରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଦରକାର। ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ଶ୍ରୀ ସେଠୀ ତାଙ୍କ ପ୍ରାରମ୍ଭିକ ସୁଚନା ପ୍ରଦାନ ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ବରିଷ୍ଠ ନାଗରିକ ମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ସେହି ପ୍ରତିଯୋଗିତାର କୃତୀ ପ୍ରତିଯୋଗିମାନଙ୍କୁ ଅତିଥୁମାନଙ୍କ ଦ୍ବାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସଭା ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ସଭାରେ କମଳା ପାଣ୍ଡେ, ସର୍ବେଶ୍ୱର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବସନ୍ତ ପାତ୍ର, ଆଦର୍ଶ ପୋଲିସ ଷ୍ଟେସନର ଆଇ.ଆଇ.ସି. କନକ ମାଝୀଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.