ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଜାଗୃତିକଲୋନିରେ ଦନ୍ତା। ହାତୀକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ।
ମିଳିଥିବା ସୂଚନା ଅନୁଯାଇ ଶୁକ୍ରବାର ଭୋର ପ୍ରାୟ ତିନିଟା ସମୟରେ ବୀରମିତ୍ରପୁର ଜାଗୃତିକଲୋନିରେ ଏକ ଗୋଠଛଡା ଜଙ୍ଗଲୀ ଦନ୍ତା ପଶିଯାଇଥିଲା। କଲୋନିବାସୀ ଭୟଭୀତ ହୋଇପଡ଼ି ଜୋର ପାଟିତୁଣ୍ଡ କରିବା ସହ ବୀରମିତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ। ବୀରମିତ୍ରପୁର ରେଞ୍ଜର ଦୁର୍ଯ୍ୟୋଧନ ଜରେଇ ସ୍ୱତନ୍ତ୍ର ହାତୀ ଘଉଡ଼ାଇବା ଦଳ ସହ ସେଠାରେ ପହଞ୍ଚି ଦନ୍ତାକୁ ସେଠାରୁ ଘଉଡ଼ାଇ ଥିଲେ। ଦନ୍ତା ଜାଗୃତି କଲୋନିରୁ ଦାମଦାପଡା ଜାତୀୟରାଜପଥ ହୋଇ ଜଲଙ୍ଗବିରା ଜଙ୍ଗଲକୁ ଚାଲି ଯାଇଥିଲା।
ପ୍ରକାଶଥାଉକି ବୀରମିତ୍ରପୁର ବନରେଞ୍ଜର ହାତିବାରି ବନାଞ୍ଚଳ ଅନ୍ତର୍ଗତ ଓଡ଼ିଶା-ଝାରଖଣ୍ଡ ସୀମାନ୍ତ କରଡେଗା ଗ୍ରାମନିକଟରେ ଥିବା ଲୋଲେଇଖମନ ଜଙ୍ଗଲରେ ନିଜର ବାସସ୍ଥାନ ଭାବରେ ପରିଣତ କରିଥିବା ଏକ ୧୭ଟିକିଆ ଜଙ୍ଗଲୀ ହାତୀପଲ ରହିଛନ୍ତି। ଗତକାଲି ରାତିରେ ୧୭ଟି ଜଙ୍ଗଲୀ ହାତୀପଲ କରଡେଙ୍ଗା ଜଙ୍ଗଲରେ ରହିଥିବା ଖବରପାଇ ବୀରମିତ୍ରପୁର ବନ ଅଧିକାରୀ ଦୁର୍ଯ୍ୟୋଧନ ଜରେଇଙ୍କ ନିର୍ଦେଶକ୍ରମେ ସ୍ୱତନ୍ତ୍ର ହାତୀଖେଦା ଦଳ ରାତିତମାମ ହାତୀପଲଙ୍କୁ ଘୋଉଡ଼େଇ ଓଡିଶାରୁ କରଡେଗା, ବନକୋବା, କାଦୋପାନି ଜଙ୍ଗଲ ଦେଇ ଝାରଖଣ୍ଡ ଜଙ୍ଗଲକୁ ଖେଦିବା ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଦନ୍ତା ଗଠଛଡା ହୋଇଯାଇ ଝୁରମୁର ଜଙ୍ଗଲରେ ରହିଯାଇଥିଲା। ଆଜି ଭୋର ସମୟରେ ଏହି ଦନ୍ତା ବୀରମିତ୍ରପୁର ଜାଗୃତିକଲୋନି ଅଞ୍ଚଳକୁ ପଶିଆସି ଥିଲା। ବନବିଭାଗ କର୍ମଚାରୀ ଓ ବୀରମିତ୍ରପୁର ଥାନା ପୁଲିସ ଜଙ୍ଗଲୀ ହାତୀକୁ ଘୋଉଡ଼େଇ ଥିଲେବି ଦନ୍ତା ତହସିଲ କାର୍ଯାଳୟ, ଜାତୀୟରାଜପଥ ହୋଇ ବୀରମିତ୍ରପୁର ରେଲୱେ ସାଇଡିଂ ବାଟଦେଇ ଜଲଙ୍ଗବିରା ଜଙ୍ଗଲକୁ ପଡ଼େଇଯାଇଛି। ଜାତୀୟ ରାଜପଥରେ ହାତୀ ଆସିଥିବା ଖବର ପ୍ରଚାରିତ ହେବାପରେ ସେଠାରେ ହାତୀ ଦେଖିବାପାଇଁ ଲୋକମାନଙ୍କ ପ୍ରବଳ ଭିଡ଼ ଜମିଥିଲା।