ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ର ପୁନରୁଦ୍ଧାର ଓ ଆଧୁନିକୀକରଣରେ ଲିପ୍ତ ସଂସ୍ଥା ବି.ଏଚ୍.ଇ.ଏଲ୍.ର କାର୍ଯ୍ୟ ଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ…

ତିନି ମାସ ମଧ୍ୟରେ ସାତ ଥର ଅଚଳ ରହିଲା ପୁନରୁଦ୍ଧାର ହୋଇଥିବା ଟ୍ରାନ୍ସଫର୍ମର ୟୁନିଟ୍:କାରଣ ଅସ୍ପଷ୍ଟ ।

ମାଲକାନଗିରି/ବାଲିମେଳା : ସାଧାରଣତଃ ନୂଆ ଜିନିଷଟେ କିଣିଲେ ଆମେ ପ୍ରଶ୍ନ କରିଥାଉ ଯେ ଜିନିଷଟିର ସ୍ଥାୟୀତ୍ବ କିପରି? ଠିକ୍ ଭାବେ ଚଳାଚଳ କରିବ ନା ନାହିଁ? ଖରାପ୍ ହେଲେ ଫେରାଇବାର ବନ୍ଦୋବସ୍ତ ଅଛି ନା ନାହିଁ? ଇତ୍ୟାଦି। ଏଣୁ ଜିନିଷଟି କିଣିବା ବେଳେ ଆମେ ଉକ୍ତ ଜିନିଷର ବ୍ରାଣ୍ଡ୍ ବା ମାର୍କା ଅନୁସନ୍ଧାନ କରିଥାଉ ଯେ, ଅମୁକ ବ୍ରାଣ୍ଡ୍ ଜିନିଷ ତ ନିହାତି ଭଲ ରହିବ । ତେବେ ୬୦୦ କୋଟି ଟଙ୍କାର ଡି.ପି.ଆର୍. ପ୍ରସ୍ତୁତି ତଥା ଆର୍ଥିକ ନିବେଶର ଯୋଜନା କରିବା ବେଳେ କିଭଳି ଏହାକୁ ଅତି ହାଲୁକା ଭାବରେ ନିଆଯାଇପାରେ ତାହା ନିଶ୍ଚୟ ତଦନ୍ତ ସାପେକ୍ଷ । ଏଭଳି ଏକ ଗୁରୁତର ଘଟଣା ଦେଖିବାକୁ ମିଳିଛି ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର ପୁନରୁଦ୍ଧାର ଓ ଆଧୁନିକୀକରଣ ନିମନ୍ତେ ଆନ୍ତର୍ଜାତୀୟ ଟେଣ୍ଡର ପ୍ରକ୍ରିୟାରେ ମନୋନୀତ ହୋଇଥିବା କମ୍ପାନୀ ବି.ଏଚ୍.ଇ.ଏଲ୍.(ଭେଲ୍) ପରିପ୍ରେକ୍ଷୀରେ । ସୂଚନା ଯୋଗ୍ୟ ଯେ, ଗତ ୨୫.ସେପ୍ଟେମ୍ବର ୨୦୨୩ ରେ ଆମ ଗଣମାଧ୍ୟମ ପକ୍ଷରୁ ଏନେଇ ଖବର ପରିବେଷଣ ହୋଇଥିଲା ଯେ କାର୍ଯ୍ୟ ସମ୍ପାଦନର ସମୟ ଅବଧି ଅତିକ୍ରାନ୍ତ ସତ୍ତ୍ଵେ ୫୦% କାମ କରିବାରେ ବିଫଳ ହୋଇଛି ସମ୍ପୃକ୍ତ ସଂସ୍ଥା ଭେଲ୍ । ତଥା ଇତି ମଧ୍ୟରେ ୟୁନିଟ୍-୧ ଏବଂ ୟୁନିଟ-୨ ର ହିଁ ପୁନରୁଦ୍ଧାର ଏବଂ ଆଧୁନିକୀକରଣ ସମ୍ଭବପର ହୋଇ ପାରିଛି । ତେବେ ଆଜି ଓଡ଼ିଶା ଜଳ ବିଦ୍ୟୁତ୍ ନିଗମର ଆନୁଷ୍ଠାନିକ  ଅନଲାଇନ୍ ତଥ୍ୟରୁ ଜଣାପଡିଛି ଯେ, ଗତ ଜୁଲାଇ,ଅଗଷ୍ଟ ଓ ସେପ୍ଟେମ୍ବର ୨୭ ସୁଦ୍ଧା ମୋଟ୍ ୭ଥର ପୁନରୁଦ୍ଧାର ହୋଇଥିବା ୟୁନିଟ୍-୧ ଅଚଳ ରହିଥିଲା । ମିଳିଥିବା ସୂଚନା ମୁତାବକ ଗତ ଜୁଲାଇ-୨୦ ତାରିଖରେ ଥରେ, ଅଗଷ୍ଟ୧୧,୨୬,୨୭ ତାରିଖରେ ଥରେ ଥରେ ହୋଇ ୩ଥର ଏବଂ ସେଭଳି ସେପ୍ଟେମ୍ବର-୧୪,୧୫,୧୬ ତାରିଖରେ ଥରେ ଥରେ ହୋଇ ତିନି ଥର ଅଚଳ ରହିଥିଲା ୟୁନିଟ୍-୧ ଟ୍ରାନ୍ସଫର୍ମର। ତେବେ ଉପରୋକ୍ତ ତଥ୍ୟରୁ ପୁନରୁଦ୍ଧାରରେ ସମ୍ପୃକ୍ତ ଠିକାଦାରୀ ସଂସ୍ଥା ପୂର୍ବାଞ୍ଚଳ ଓ ଟେଣ୍ଡର ପ୍ରକ୍ରିୟାରେ ମନୋନୀତ ହୋଇଥିବା ସଂସ୍ଥା ଭେଲ୍ ର କାର୍ଯ୍ୟ ଦକ୍ଷତା ଉପରେ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଘଟଣାକୁ ନେଇ ମୁହଁ ଖୋଲିବାକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି ପୂର୍ବାଞ୍ଚଳ ଠିକାଦାରୀ ସଂସ୍ଥାର ମୁଖ୍ୟ ସଂଯୋଜକ ଭୂପେଶ୍ ପାଣ୍ଡେ । ଏନେଇ ଅଧିକ ତଥ୍ୟ ପାଇଁ ଭେଲ୍ କମ୍ପାନୀର ପ୍ରୋଜେକ୍ଟ୍ ମ୍ୟାନେଜର ପ୍ରେମ୍ କୁମାରଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସିଏ ସିଧାସଳଖ କହିଛନ୍ତି ୟୁନିଟ୍-୧ ରେ ସେଭଳି କୌଣସି ତ୍ରୁଟି ନାହିଁ ଏବଂ ୟୁନିଟ୍-୧ ଟ୍ରାନ୍ସଫର୍ମର ଅଚଳ ନେଇ ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ର କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖି ପାରିବେ ଏବଂ ଏହାଛଡ଼ା ପର୍ଫର୍ମାନ୍ସ୍ ଗ୍ୟାରେଣ୍ଟି ଟେଷ୍ଟ୍ ବା ପି.ଜି. ଟେଷ୍ଟ୍ ଅନୁସାରେ ଉଭୟ ୟୁନିଟ୍ ର ଯାଞ୍ଚ୍ ସରିଛି ଏବଂ ଉକ୍ତ ୟୁନିଟ୍ ଗୁଡ଼ିକର କାର୍ଯ୍ୟକ୍ଷମତାକୁ ଅନୁମୋଦନ କରିଛନ୍ତି ଖୋଦ୍ ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର କର୍ତ୍ତୃପକ୍ଷ।
ତେବେ ସ୍ଥାନୀୟ ଜନସାଧାରଣରେ ଓ ବୁଦ୍ଧିଜୀବି ମହଲରେ ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେ, ଭେଲ୍ କମ୍ପାନୀ ପକ୍ଷରୁ କଣ୍ଟ୍ରାକ୍ଟ୍ ନେଇ କାମ କରୁଥିବା ପୂର୍ବାଞ୍ଚଳ କମ୍ପାନୀର ମୁଖ୍ୟ ସଂଯୋଜକ କାହିଁକି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିବାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି? ଯଦି ଭେଲ୍ କର୍ତ୍ତୃପକ୍ଷଙ୍କ କହିବା ମୁତାବକ ପି.ଜି. ଟେଷ୍ଟ୍ ସଫଳ ହୋଇଛି ତେବେ କାହିଁକି ୭ଥର କାର୍ଯ୍ୟକ୍ଷମ ହେବାରେ ବିଫଳ ହେଉଛି ସଦ୍ୟ ପୁନରୁଦ୍ଧାର ହୋଇଥିବା ୟୁନିଟ୍-୧ ଟ୍ରାନ୍ସଫର୍ମର? ଯଦି ଏଭଳି ହିଁ ଆଗାମୀ ଦିନରେ ଜାରି ରୁହେ ତେବେ ବର୍ତ୍ତମାନର ଏହି ପୁନରୁଦ୍ଧାର ଏକ ପ୍ରହସନ ନୁହେଁ କି? ନା କମ୍ପାନୀ ମାନଙ୍କୁ ପୋଷିବା ପାଇଁ ଏହା କର୍ପୋରେଟ ହାଉସ୍ ପକ୍ଷରୁ କରାଯାଇଥିବା ଏକ ସୁନିୟୋଜିତ ଷଡ଼ଯନ୍ତ୍ର? ହେଲେ ଏ ନେଇ ବର୍ତ୍ତମାନ ସୁଦ୍ଧା ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର ଅଧିକାରୀ ମାନଙ୍କ ଠାରୁ କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ ଯେ କେଉଁ ପରିପ୍ରେକ୍ଷୀରେ ତିନିମାସ ମଧ୍ୟରେ ସାତ ଥର ଅଚଳ ରହିଥିଲା ପୁନରୁଦ୍ଧାର ହୋଇଥିବା ଟ୍ରାନ୍ସଫର୍ମର ।

nis-ad
Leave A Reply

Your email address will not be published.