ଶିକ୍ଷକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ନେଇ ତାତିଲେ ଅଭିଭାବକ…

ନିମାପଡା : ଶିକ୍ଷକଙ୍କ କାର୍ଯ୍ୟବନ୍ଦ ପ୍ରତିବାଦରେ ତାତିଲେ ଅଭିଭାବକ ଆଜିକୁ ୮ ଦିନ ହୋଇଗଲା ଶିକ୍ଷକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ବହୁ ଯାଗାରେ ଶିକ୍ଷକମାନେ ସମୂହ ଛୁଟିରେ ରହି ଆନ୍ଦୋଳନ ଜାରି ରଖିଛନ୍ତି । ପିଲାମାନଙ୍କର ମଧ୍ୟାନ ଭୋଜନ ବନ୍ଦ ରହିବା ସହ ପାଠପଢା ପୁରା ଠପ । ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି କି ଶିକ୍ଷକ ମାନଙ୍କ ସହ କୌଣସି ଆଲୋଚନା ମଧ୍ୟ କରୁନାହାନ୍ତି । ବେସରକାରୀ ସ୍କୁଲ ମାନଙ୍କରେ ନିୟମିତ ପାଠପଢା ଚାଲିଥିବା ବେଳେ ସରକାରୀ ସ୍କୁଲର ଶିକ୍ଷକ ମାନଙ୍କର ଆନ୍ଦୋଳନ ପାଇଁ ସ୍କୁଲ ବନ୍ଦ ରହିବାରୁ ପିଲାମାନଙ୍କର ପାଠପଢା ବ୍ୟାଘାତ ହେବାସହ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । ଶିକ୍ଷକ ମାନଙ୍କର ଏହି କାର୍ଯ୍ୟବନ୍ଦ ନିଷ୍ପତ୍ତିକୁ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହି
ପ୍ରତିବାଦରେ ଆଜି ନିମାପଡ଼ା ସ୍ଥିତ ଅଣ୍ଢିଆସାହି ଗ୍ରାମ ପ୍ରାଥମିକ ସ୍କୁଲ ସାମ୍ନାରେ ଆମରଣ ଅନଶନରେ ବସିଛନ୍ତି । କୁନି କୁନି ପିଲା ମାନଙ୍କ ଭବିଷ୍ୟତ ଅନ୍ଧକାର କରିବା ପାଇଁ ଉତ୍ତରଦାୟୀ କିଏ? ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳିବାକୁ ତୁମକୁ ଅଧିକାର ଦେଲା କିଏ? ସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ ପଠା ପଢ଼ାଇବା କଣ ଆମର ଭୁଲ? ପ୍ରାଇଭେଟ ସ୍କୁଲ ଗୋଟେ ଦିନ ବନ୍ଦ ହେଉ ନଥିବା ବେଳେ ସରକାରୀ ସ୍କୁଲ ଏତେଦିନ ବନ୍ଦ ରଖିବାକୁ ଆଦେଶ ଦେଲା କିଏ? ଏହିଭଳି ପ୍ରଶ୍ନ କରିଛନ୍ତି ଅଭିଭାବକମାନେ । ପିଲା ମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଶିକ୍ଷକମାନଙ୍କ ପ୍ରତି ସରକାର କଣ ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଅଭିଭାବକ ମନୋଜ କୁମାର ପଣ୍ଡା ପ୍ରଶ୍ନ କରିଛନ୍ତି । ଶିକ୍ଷକମାନଙ୍କ ସହ ଆଲୋଚନା ନକରି ଏହି ଆନ୍ଦୋଳନକୁ ପ୍ରୋତ୍ସାହନ ଦେଉଥିବାରୁ ସରକାରଙ୍କ ଅପାରଗତା ଆଜି ପଦାରେ ପଡିଛି, ଆମେ ଏହାର ତୀବ୍ର ନିନ୍ଦା କରୁଛୁ, ଦୁଇଦିନ ଭିତରେ ଯଦି କିଛି ସମାଧାନ କରା ନଯାଏ ତେବେ ଅଭିଭାବକ ମାନଙ୍କର ଆନ୍ଦୋଳନ ତୀବ୍ର ହେବାସହ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସମାଜସେବୀ ତପନ ପଣ୍ଡା ଜଣାଇଛନ୍ତି । ସ୍କୁଲ ପରିଚାଳନା କମିଟିର ସଭାପତି ହେମନ୍ତ କୁମାର ସାହୁ, ଅଭିଭାବକ ବାବୁଲି ବେହେରା, ବାଲୁଙ୍କେଶ୍ୱର ବେହେରା ପ୍ରମୁଖ ସରକାର ଏବଂ ଶିକ୍ଷକ ମାନଙ୍କର ଏପରି ଆଭିମୁଖ୍ୟକୁ ତୀବ୍ର ନିନ୍ଦା କରିବା ସହ ଯଥାଶୀଘ୍ର ଏହାର ସମାଧାନ କରିବାକୁ ଦାବୀ କରିଛନ୍ତି ।

nis-ad
Leave A Reply

Your email address will not be published.