ବ୍ଲକ୍ ଓ ଗ୍ରାମ ପଞ୍ଚାୟତସ୍ତରରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସଚେତନତା କର୍ମଶାଳା

“ଉଚିତ୍ ସମୟରେ ସଠିକ୍ ପରିଚାଳନା କରିପାରିଲେ ବିପର୍ଯ୍ୟୟର ମୁକାବିଲା ସମ୍ଭବ”

ଛତ୍ରପୁର (୧୨.୦୯) : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଓସଡମା) ତରଫରୁ ଜିଲ୍ଲା ପରିଷଦ ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଡେପୁଟି କଲେକ୍ଟର, ଜରୁରୀ କାଳିନ ଆୟୁସୀ ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ଏହି ଶିବିରର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।
ବିପର୍ଯ୍ୟୟ ପରିଚାଳନାରେ ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଏବଂ କାର୍ଯ୍ୟଶୈଳୀ ପାଇଁ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ଅନ୍ୟରାଜ୍ୟ ପାଇଁ ଉଦାହରଣ ପାଲଟିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ପ୍ରକାଶ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶାସନିକ ପ୍ରସ୍ତୁତି ମଧ୍ୟରେ ଉତ୍ତମ ଯୋଗାଯୋଗ ଓ ସୁପରିଚାଳନା କରିପାରିଲେ ଆମେ ଏହାର ସୁଫଳ ପାଇ ପାରିବେ । ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟ କରୁଥିବା ବିପର୍ଯ୍ୟୟ ବନ୍ଧୁଙ୍କୁ ବାର ଦିନିଆ ତାଲିମ୍ ଦିଆଯାଇଛି । ତୃଣମୂଳ ସ୍ତରରେ ସଚେତନ କରିପାରିଲେ ବିପର୍ଯ୍ୟୟରୁ ପ୍ରତ୍ଯେକେ ନିଜକୁ ସୁରକ୍ଷିତ ରଖିପାରିବେ । ସ୍ବୟଂସିଦ୍ଧା କାର୍ଯ୍ୟକ୍ରମ ଜରିଆରେ ପ୍ରତି ଗ୍ରାମ ପଞ୍ଚାୟତରେ 15ରୁ 20 ଜଣ ମହିଳାଙ୍କୁ ତାଲିମ୍ ଦିଆଯାଇଛି । ବିପର୍ଯ୍ୟୟ ସମୟରେ ସେମାନେ ତୁରନ୍ତ ପହଞ୍ଚି ଲୋକ ମାନଙ୍କୁ ସୁରକ୍ଷା ନିମନ୍ତେ ପ୍ରବର୍ତ୍ତାଇବେ ବୋଲି ଶ୍ରୀ ପୃଷ୍ଟି ପ୍ରକାଶ କରିଥିଲେ ।
ସମ୍ଭାବ୍ୟ ବନ୍ୟା, ବାତ୍ୟା ଭଳି ସ୍ଥିତି ଉପୁଜିବା ପ୍ରାକ୍ ପ୍ରସ୍ତୁତି , ବିପର୍ଯ୍ୟୟ ସମୟରେ ଓ ପରେ ଏହାର ମୁକାବିଲା, ଉଦ୍ଧାର ଓ ଥଇଥାନ କିପରି ବ୍ୟବସ୍ଥିତ ଭାବେ ପରିଚାଳନା କରି ଜନ ସାଧାରଣଙ୍କ ଧନ ଜୀବନ କିପରି ସୁରକ୍ଷିତ କରାଯାଇ ପାରିବ ସେ ସମ୍ବନ୍ଧରେ ଓସଡମାର ସିଜିଏମ୍ ଡଃ ସୁନିତା ଜେନା ବିସ୍ତୃତ ଭାବେ ଆଲୋଚନା କରି ବୁଝାଇଥିଲେ । ବାତ୍ୟା, ବନ୍ୟା, ମରୁଡି, ସୁନାମୀ, ସର୍ପ ଦଂଶନ, ବଜ୍ରପାତ, ଅଂଶୁଘାତ, କାଳବୈଶାଖୀ ଆଦି ବିପର୍ଯ୍ୟୟ ସମୟରେ ଦେଖାଯାଉଥିବା ସମସ୍ୟା ଗୁଡିକୁ ଚିହ୍ନଟ କରି ସେଗୁଡିକର ସମାଧାନ କରିପାରିଲେ ଏହାର ସୁଫଳ ସମସ୍ତେ ପାଇପାରିବେ । ଉଚିତ୍ ସମୟରେ ସଠିକ୍ ପଦକ୍ଷେପ ନେଲେ ଯେତେ ବିପର୍ଯ୍ୟୟ ଆସିଲେ ମଧ୍ୟ ଆମେ ତାକୁ ମୁକାବିଲା କରିପାରିବା । ଉନ୍ନୟନ ଓ ବିପର୍ଯ୍ୟୟ ପରିଚାଳନା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । ବ୍ଲକ୍ ର ସମସ୍ତ ନୋଡାଲ ଅଧିକାରୀ ମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଭୟଭୀତ ନହୋଇ ବିପଦସଙ୍କୁଳ ଅବସ୍ଥାରେ ଥିବା ଜନ ସାଧାରଣଙ୍କୁ ସଠିକ ସୂଚନା ପ୍ରଦାନ କରି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଶ୍ରୀମତୀ ଜେନା ପରାମର୍ଶ ଦେଇଥିଲେ । ରାଜ୍ୟ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଜନ ସାଧାରଣ ଧନଜୀବନକୁ କିପରି ରକ୍ଷା କରିପାରିବେ ତାହା ଏହି ତାଲିମ୍ ଶିବିରର ମୂଳଲକ୍ଷ୍ୟ ବୋଲି କହିଥିଲେ ।
ଏହି ତାଲିମ୍ ଶିବିରରେ ଯୁନିସେଫ୍ ର କନସଲଟାଣ୍ଟ କାପାସିଟି ବିଲଡିଂ ର ଜେନିଫର୍ କିଶାନ୍, ବ୍ଲକ୍ ର ସମସ୍ତ ନୋଡାଲ ଅଧିକାରୀ, ଆଠ ଗୋଟି ଜିଲ୍ଲାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ବା ଡି.ଆର୍.ଆର୍. ଓସଡମା ପ୍ରମୁଖ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.