ପ୍ରଫୁଲ୍ଲ ସାମନ୍ତରାଙ୍କ ଗିରଫଦାରୀର କାରଣ : ବ୍ୟବସ୍ଥା ଦ୍ଵାରା ହେଉଥିବା ନିର୍ଯ୍ୟାତନାର ଉଜାଗର ନୁହେଁ ତ…!!

ଭୁବନେଶ୍ୱର:(୨୯/୦୮) ବିଶେଷ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ପରିବେଶବିତ୍ ଗ୍ରୀନନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାଙ୍କୁ ଆଜି ଅପରାହ୍ନ ଠାରୁ ରାୟଗଡ଼ା ପୋଲିସ ହେପାଜତକୁ ନେଇଛି । ଏଭଳି ଏକ ହାଇ ଭୋଲଟେଜ୍ ଡ୍ରାମାରେ ପ୍ରଫୁଲ୍ଲ ସାମନ୍ତରାଙ୍କୁ ପ୍ରଥମେ ବେଆଇନ ଭାବେ ଅପହରଣ କରାଯାଇଥିଲା, ପରେ ବେଆଇନ ଭାବେ ରାୟାଗଡା ପୋଲିସ ଦ୍ୱାରା ଅଟକ ରଖାଯାଇଥିଲା ଏବଂ ଜେ.କେ ପୁର ରାୟାଗଡା ସ୍ଥିତ ଜିଲ୍ଲା ସଶସ୍ତ୍ର ପୋଲିସ ମୁଖ୍ୟାଳୟରେ ରଖାଯାଇଥିଲା ଏବଂ ପରେ ଜବରଦସ୍ତ ୨୦୫ କିଲୋମିଟର ଦୂରରେ ବ୍ରହ୍ମପୁର ସହରକୁ ନିଆଯାଇଛି ବୋଲି ବିଶେଷ ସୂତ୍ର ରୁ ଖବର ମିଳିଛି, ସୂଚନାନୁସାରେ, ରାୟଗଡା ପୋଲିସ ପ୍ରଥମେ ତାଙ୍କ ହୋଟେଲ ଛାଡିବାକୁ ବାରଣ କରିବା ସହ ପ୍ରଫୁଲ୍ଲ ସାମନ୍ତରାଙ୍କ କୋଠରୀର କବାଟ ବାହାରେ ତାଲା ପକାଇ ଦେଇଥିଲା। PCR ଭ୍ୟାନ୍ ହୋଟେଲ ଫାଟକରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ବଳପୂର୍ବକ ଭ୍ୟାନ୍ ଆଡକୁ ଠେଲି ନେଇଥିଲେ ଏବଂ ସେ ପ୍ରତିକ୍ରିୟାଶୀଳ ହେବା କିମ୍ବା କୌଣସି ପ୍ରକାରର ସହାୟତା ନିମନ୍ତେ ଶବ୍ଦ କରିବା ପୂର୍ବରୁ ସେମାନେ ତାଙ୍କୁ ରାୟାଗଡା ସହରଠାରୁ ୧୫ କିଲୋମିଟର ଦୂରରେ ଥିବା ଜେ.କେ ପୁରକୁ ନେଇ ଯାଇଥିଲେ ଏବଂ ଏହି ସମସ୍ତ ପ୍ରାୟୋଜିତ ଯୋଜନା ତାଙ୍କୁ କେବଳ ଚୁପ୍ କରିବା ଏବଂ ତାଙ୍କୁ ଗଣମାଧ୍ୟମକୁ ସମ୍ବୋଧନ କରିବାକୁ ବାରଣ କରିବା ପାଇଁ..!

ଏଠାରେ ପ୍ରକାଶ ଯୋଗ୍ୟ ଯେ କେବଳ ଚଳିତ ଅଗଷ୍ଟ ମାସ ଭିତରେ, ନିୟମଗିରିରେ ବେଦାନ୍ତ କମ୍ପାନୀ ବିରୋଧରେ ଆନ୍ଦୋଳନରତ ନେତୃତ୍ୱ ମାନଙ୍କ ମଧ୍ୟରୁ ୯ଜଣଙ୍କ ବିରୋଧରେ ବହୁ ବିବାଦୀୟ U.A.P.A. ଭଳି ଧାରା ଆଧାରରେ ମାମଲା ରୁଜୁ ହୋଇଥିଲା । ଏହା ସମେତ କାଶୀପୁର ଅଞ୍ଚଳରେ ଆଦିବାସୀଙ୍କ ମୈତ୍ରୀ କମ୍ପାନୀକୁ ବିରୋଧ ଆନ୍ଦୋଳନ ସହ ସଂଶ୍ଲିଷ୍ଟ ପ୍ରାୟ ୨୧ଜଣ ନେତୃତ୍ଵଙ୍କୁ ଗିରଫଦାରୀ ସହ କୋର୍ଟ ଚାଲାଣ କରାଯାଇଥିଲା ଯେଉଁ ମାନଙ୍କ ମଧ୍ୟରୁ ଅନେକଙ୍କ ବିରୋଧରେ ଆର୍ମ ଆକ୍ଟର ପ୍ରୟୋଗ ମଧ୍ୟ କରାଯାଇଥିଲା । ଯେଉଁ ଘଟଣାର ଅନୁଧ୍ୟାନ ପାଇଁ ପ୍ରଫୁଲ୍ଲ ସାମନ୍ତରା ନିୟମଗିରି ଏବଂ କାଶୀପୁରର କାର୍ଯ୍ୟକର୍ତ୍ତା ତଥା ନେତାମାନଙ୍କୁ ଭେଟିବା ପାଇଁ ରାୟଗଡା ଯାଇଥିଲେ । ଯେଉଁ ମାନଙ୍କୁ ଗିରଫ କରାଯାଇ ରାୟଗଡା ସବ-ଜେଲରେ ରଖାଯାଇଛି । ଜେଲରେ ଥିବା ନେତାମାନଙ୍କୁ ଭେଟିବା ପରେ ଖଣି ଖନନକୁ ନେଇ ଲୋକଙ୍କ ପ୍ରତିରୋଧ ଉପରେ ରାଜ୍ୟ ଦମନ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ ସେ ଅପରାହ୍ନ ପ୍ରାୟ ୫ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ନିମନ୍ତେ ପ୍ରେସ୍ ଆମନ୍ତ୍ରଣ କରିଥିଲେ ।

ତେବେ ଏହି ପରିପ୍ରେକ୍ଷୀରେ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ଯେ,ପୁଞ୍ଜିଭୂତ ଅସନ୍ତୋଷର ସ୍ୱରକୁ ଦମନ କରିବା ପାଇଁ ଏହା ହିଁ ଅନ୍ତିମ କୌଶଳ କି? ଏହି ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ଓଡିଶାର ଆଦିବାସୀ-ଦଳିତ ନେତାଙ୍କ ଉପରେ ଓଡିଶା ରାଜ୍ୟ ତଥା ଏହାର ପୋଲିସ ଏବଂ ରାୟଗଡା ଜିଲ୍ଲା ପ୍ରଶାସନର କଟକଣା ସାମ୍ନାକୁ ଯଦି ଆସନ୍ତା ତାହା କାହା ସ୍ୱାର୍ଥ ସାଧନରେ ବ୍ୟାଘାତ ଭାବେ ପ୍ରତୀତ ହୁଅନ୍ତା ? ଏହି କ୍ରମେ ଓଡିଶାର ଆଇନ୍ ସୁରକ୍ଷା ନିମନ୍ତେ ଉତ୍ତରଦାୟୀ ପୋଲିସ୍ କାହା ଇସାରାରେ ଏବଂ ପ୍ରରୋଚନାରେ ସମ୍ପ୍ରତି ଗିରଫ, ଅଟକ, ହେପାଜତ ତଥା ମିଥ୍ୟା ମାମଲା ଦ୍ଵାରା ବେଆଇନ ଆକ୍ରମଣ କରୁଥିବା ଆରୋପ ଉଠୁଛି। ଖାସ୍ କରି ଯେଉଁଠାରେ ସରକାର ଖଣି ମାଫିଆଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଅଭିଯୋଗ ଘନୀଭୂତ ହେଉଛି । ବିଶେଷ କରି କାଶିପୁର ଏବଂ ନିୟମଗିରିରେ ଖଣି ଖନନ କରୁଥିବା କମ୍ପାନୀଗୁଡିକଙ୍କ ଈସାରାରେ ଏଭଳି ଅସାମ୍ବିଧାନିକ ଦମନ ସାଧନ ହେଉଥିବା ସାଧାରଣରେ ତୀବ୍ର ଅସନ୍ତୋଷର କାରଣ ପାଲଟୁଥିବା ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.