ବ୍ୟବହାର ପୂର୍ବରୁ ପଦାରେ ପଡ଼ିଲା ୧କୋଟି ୩୦ଲକ୍ଷ ଟଙ୍କା : ଓଭରହେଡରୁ ଗଳୁଛି ପାଣି଼…

ନିମ୍ନ ମାନର କାମ ହୋଇଛି: ସରପଂଚ…



ହିଂଜିଳିକାଟୁ, ୨୯ା୮(): ଗଂଜାମ ଜିଲା ହିଂଜିଳିକାଟୁ ବ୍ଳକ ଦାରୁଭଦ୍ରା ପଂଚାୟତ ନିମିଗାଁରେ ୧କୋଟି ୩୦ଲକ୍ଷ ଟଙ୍କାର ପାଣି ପ୍ରକଳ୍ପ ଲୋକଙ୍କ ବ୍ୟବହାର ପୂର୍ବରୁ ନିମ୍ନ ମାନର ହୋଇଥିବା ପଦାରେ ପଡ଼ିଛି । ଠିକାଦାର ଓ ଯନ୍ତ୍ରୀ ମଧୁଚନ୍ଦ୍ରିକାରେ ନିର୍ମିତ ଏହି ପ୍ରକଳ୍ପର ସ୍ଥାୟୀତ୍ୱ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଭରହେଡ଼ ପାଣି ଟାଙ୍କିରେ ଫାଟ କାରଣରୁ ପାଣି ଅନବରତ ଗଳୁଛି । ୧ଲକ୍ଷ ଲିଟର ର୍ପୂ କ୍ଷମତା ପାଣି ଏଥିରେ ଭର୍ତି କରାଗଲେ ଏହା ଭୁଷୁଡ଼ି ପଡ଼ିବ ବୋଲି ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ତେବେ, ଏହାକୁ ସାଧାରଣ ଘଟଣା କହିବା ସହ ନିର୍ମାଣ ଜନିତ ତୃଟି ସଂଶୋଧନ ହୋଇଯିବ ବୋଲି ବିଭାଗୀୟ ଯନ୍ତ୍ରୀ କହୁଛନ୍ତି । ଅନ୍ୟ ପକ୍ଷରେ ଆରଡ଼ବ୍ଳ୍ୟୁଏସଏସ ବିଭାଗର ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର କାର୍ଯ୍ୟ କାରଣରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସରପଂଚ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।


ପ୍ରକାଶ ଯେ, ହିଂଜିଳିକାଟୁ ବ୍ଳକ ଦାରୁଭଦ୍ରା ପଂଚାୟତର ନିମିଗାଁରେ ଘରକୁ ଘର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଜନପ୍ରତିନିଧିଙ୍କ ବାରମ୍ବାର ଦାବି ଫଳରେ ସରକାର ପ୍ରାୟ ୧କୋଟି ୩୦ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରୋଜେକ୍ଟ ମଂଜୁର କରିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷରେ କାମ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ନିମିଗାଁ ର ୩୭୫୧ଜନ ସଂଖ୍ୟା ଓ ୪୫୪ଘରକୁ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପରେ ୨ଲକ୍ଷ ଲିଟର କ୍ଷମତାର ଭୁତଳ ଜଳ ଭାର, ୧ଲକ୍ଷ ଲିଟର କ୍ଷମତାର ଓଭର ହେଡ଼ ଜଳ ଭାର, ୨ଟି ଗଭୀର ନଳକୂପ ଓ ଗ୍ରାମର ୪୫୪ଘରକୁ ପାଇପ ପାଣି ସଂଯୋଗ ନିମନ୍ତେ ପାଇପ ବିଛା ଯାଇଛି । ପୂର୍ବରୁ ଗଭୀର ନଳକୂପ ଗୁଡ଼ିକ ନିର୍ଦ୍ଧାରିତ ଗଭୀର ପର୍ଯ୍ୟନ୍ତ ଖୋଳା ଯାଇନଥିବା ଅଭିଯୋଗ ହୋଇଥିଲା । ଗ୍ରାମରେ ବିଛା ଯାଇଥିବା ପାଇପ ଗୁଡ଼ିକୁ ମଧ୍ୟ ଆବଶ୍ୟକ ଗଭୀରରେ ଖୋଳାଯାଇନଥିବା ଓ ମନଇଛା ଏଣେତେଣେ ବିଛା ଯାଇଥିବା ଅଭିଯୋଗକୁ ବିଭାଗୀୟ ଯନ୍ତ୍ରୀ ର୍କପାତ କରିନଥିବା ଅଭିଯୋଗ ହୋଇଥିଲା । ପାଇପ କାମ ବେଳେ ପଂଚାୟତର କୌଣସି ପ୍ରତିନିଧିକୁ ପୂର୍ବରୁ ଅବଗତ କରାଯାଇନାହିଁ । ତେବେ ପ୍ରକଳ୍ପ ନିର୍ମାଣ ପରେ ଉକ୍ତ ପ୍ରକଳ୍ପ ଦ୍ୱାରା ଗ୍ରାମବାସୀଙ୍କୁ ପାଣି ଯୋଗାଣ ପାଇଁ ପଂଚାୟତ ସରପଂଚ ବିକାଶ ସେଠୀ ଗତ ମାସରେ ହୋଇଥିବା ପଂଚାୟତ ବୈଠକରେ ଦାବି କରିଥିଲେ । ପ୍ରାୟ ୭ ଦିନ ତଳେ କିଛି ଯନ୍ତ୍ରୀ ଓ ବିଭାଗୀୟ କର୍ମଚାରୀ ଓଭର ହେଡ଼ରେ ପାଣି ଲୋଡ଼ କରିଥିଲେ । ଅଳ୍ପ ପାଣି ଓଭରହେଡ଼ରେ ଭର୍ତି କରିବା ବେଳେ ସେଥିରୁ ଅନବରତ ପାଣି ତଳକୁ ଗଳିଥିଲା । ଫଳରେ କମ ପରିମାଣର ପାଣି ଭର୍ତି କରାଯାଇଥିଲା । ପାଣି ଟାଙ୍କିରୁ ଅନବରତ ପାଣି ଗଳିବା ନେଇ ଗ୍ରାମବାସୀ ଜାଣିବା ପରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ଘଟଣା ନେଇ ସରପଂଚକୁ ଜଣାଇଥିଲେ । ପରେ ସରପଂଚ ସେଠି ଏଥିନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖବର ପାଇ ବିଭାଗୀୟ ଯନ୍ତ୍ରୀ , ବିଡ଼ିଓ ପ୍ରମୁଖ ଘଟଣାସ୍ଥଳରେ ପହଂଚି ତଦାରଖ କରିଛନ୍ତି । ଛାତ ଢ଼ଳେଇ ବେଳେ କୌଣସି କାରଣରୁ ଅତି ଛୋଟ କଣା ରହିଗଲେ ଏପରି ପାଣି ଗଳିବ , ଏହାର ମରାମତି କରାଯିବ ବୋଲି ସହକାରୀ ଯନ୍ତ୍ରୀ ରବି ନାୟକ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟ ପକ୍ଷରେ ଏହି ପ୍ରୋଜେକ୍ଟ ସହ ଅନ୍ୟ କାର୍ଯ୍ୟ ଗୁଡ଼ିକ କିଏ କେତେବେଳେ କରୁଛି ସେଥିପାଇଁ ପଂଚାୟତକୁ ବିଭାଗ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଉନାହିଁ । ବହୁ ସମୟରେ ଯନ୍ତ୍ରୀ ମାନେ କାର୍ଯ୍ୟର ସଠିକ ତଦାରଖ କରୁନାହାନ୍ତି । କାର୍ଯ୍ୟ ସମୟରେ ଏହାର ଗୁଣାବତା ଯାଂଚ ହେଉନାହିଁ । ଫଳରେ ନିର୍ମାଣରେ ତୃଟି ରହୁଛି ବୋଲି ସରପଂଚ ବିକାଶ ସେଠି କ୍ଷୋଭର ସହ ଅଭିଯୋଗ କରିଛନ୍ତି । ପୂର୍ବରୁ କଂଚୁରୁ ଠାରେ ନିର୍ମାଣାଧୀନ ଭୂତଳ ଜଳ ଭାରର ଛାତ ଢ଼ଳେଇ ପରେ ଏହାର ଛାତ ଭୁଷୁଡ଼ି ଯାଇଥିଲା । ହିଂଜିଳିକାଟୁ ଗ୍ରାମ୍ୟଜଳ ଓ ପରିମଳ ବିଭାଗରେ ଏହିପରି ମନମର୍ଜିରେ ବହୁଦିନରୁ କାର୍ଯ୍ୟ ଚାଲିଛି । ଯନ୍ତ୍ରୀ ମାନେ ଦୀର୍ଘ ଦିନ ଧରି ଏଠାରେ ଅବସ୍ଥାପିତ ହୋଇ ରାଜନୈତିକ ପତିଆରା ସୃଷ୍ଟି କରିଛନ୍ତି । ଉଚ୍ଚ ବିଭାଗୀୟ ଅଧିକାରୀ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନାହାନ୍ତି । ଅଭିଯୋଗ ହେଉଥିଲେ ମଧ୍ୟ କଥା ପଦାରେ ପଡ଼ିଲେ କିଛି ଦିନ ଧଡ଼ପଗଡ଼ ପରେ ଯଥା ପୂର୍ବ ତଥା ପରଂ ନୀତିରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର କାର୍ଯ୍ୟ ହେଉଛି । ପାଣି ପ୍ରକଳ୍ପ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.