ପାଣ୍ଡିୟାନଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ କରି ବିଜେପି ସାମ୍ୱାଦିକ ସମ୍ମିଳନୀ

ବ୍ରହ୍ମପୁର, ୨୪/୮ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ କରି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ଆମ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପଦରେ । ସମସ୍ତ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଜଣେ କନିଷ୍ଠ କ୍ୟାଡରର ଆଇଏଏସ୍ ଅଫିସର ଶାସନତନ୍ତ୍ରକୁ କରାୟତ କରିଛନ୍ତି । ରାଜ୍ୟରେ ଶାସକ ଦଳ ବିଜେଡ଼ିର ୧୧୩ ବିଧାୟକ, ୨୦ ଜଣ ମନ୍ତ୍ରୀ, ୨୧ ଜଣ ଲୋକସଭା ଓ ରାଜ୍ୟସଭା ସାଂସଦ ଆଜି କିଂ କର୍ତ୍ତବ୍ୟ ବିମୂଢ଼ ପାଲଟିଛନ୍ତି । ଅସନ୍ତୋଷ ଜଳଜଳ ହୋଇଥିଲେ ବି ଟିକେଟ ଆଶାରେ କୌଣସି ବିଧାୟକ, ସଂସାଦ ଓ ମନ୍ତ୍ରୀ ମୁହଁ ଖୋଲୁନାହାନ୍ତି । ବରଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନଙ୍କ ଗସ୍ତ ପାଇଁ ଟେଣ୍ଟ ଭିଡ଼ିଛନ୍ତି । ଗଣତନ୍ତ୍ରର ଏଭଳି ଦୟନୀୟ ସ୍ଥିତିରେ ବିଜେପି ଉଦବେଗ ପ୍ରକାଶ କରୁଛି ।
ସଚିବଙ୍କ ମାତ୍ର ତିନିଦିନ ଗଞ୍ଜାମ ଗସ୍ତରେ ଜିଲ୍ଲାର ୧୨ଟି ନିର୍ବାଚନମଣ୍ଡଳୀରେ ସଭା ଆୟୋଜନ କରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏକ ଧୂଆଁବାଣ । ଗତ ଦୁଇ ମାସ ଧରି ସଚିବ ରାଜ୍ୟ ସାରା ବୁଲୁଛନ୍ତି। ହଜାର ହଜାର ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ କେତେ ଅଭିଯୋଗ ସମାଧାନ ହୋଇଛି ତାହାର ଜବାବ ମାଗୁଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ଜିଲ୍ଲାପାଳ ପ୍ରତି ସପ୍ତାହରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର କରୁଛନ୍ତି । ବିଡିଓ ମାନେ ବ୍ଲକ୍ ସ୍ତରରେ ଅଭିଯୋଗ ଶୁଣୁଛନ୍ତି । ତଥାପି ସଚିବଙ୍କ ଗସ୍ତ ସମୟରେ ଅଭିଯୋଗର ପାହାଡ଼ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ଶାସନ କାଳରେ ସାଧାରଣ ଲୋକଙ୍କ କୌଣସି ସମସ୍ୟା ସମାଧାନ ହୋଇନଥିବା ଏହା ପ୍ରମାଣିତ କରୁଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମକୁ ଏକ ନମ୍ବର କରିବାକୁ ପ୍ରତିଶ୍ରୁତି ପାଣିରେ ଗାର ହେବା ପରେ ଏବେ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ନୂଆ ନାଟକ ଆରମ୍ଭ କରିଛନ୍ତି । ଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ବିଶେଷ କରି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରୁ ରାଜନୀତି ଆରମ୍ଭ କରି ଏଠାରୁ ପ୍ରତିନିଧିତ୍ଵ କରିଆସୁଛନ୍ତି ।
ରାଜନୈତିକ ଉଦ୍ଦେଶ୍ୟ ସାଧନ କରିବାକୁ ସଚିବଙ୍କ ବ୍ୟୟ ବହୁଳ ଗସ୍ତ ଓଡ଼ିଶାବାସୀଙ୍କୁ ଚକିତ କରିଛି । ଗୋଟିଏ ବ୍ଲକରୁ ପଡୋଶୀ ବ୍ଲକ୍ ଗସ୍ତ ପାଇଁ ହେଲିକେପ୍ଟର ବ୍ୟବହାର କରି କୋଟି କୋଟି ଟଙ୍କା ରାଜସ୍ଵ ଖର୍ଚ୍ଚ କରୁଛନ୍ତି । ଏପରିକି ବ୍ରହ୍ମପୁରର ଅମ୍ବପୁଆ ବିବେକ ବିହାର ଠାରୁ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ ଯିବାକୁ ହେଲିକପ୍ଟର । ରାଜାରାଜୁଡ଼ା ଶାସନ ବ୍ୟବସ୍ଥା ଠାରୁ ଆହୁରି ତଳକୁ ଖସିଛି ଓଡ଼ିଶା ଶାସନ ବ୍ୟବସ୍ଥା । ସଭାସ୍ଥଳକୁ ଲୋକଙ୍କୁ ବୋହି ନେଉଛନ୍ତି ବିଧାୟକ ଓ ସ୍ଥାନୀୟ ପ୍ରଶାସନ। ଏବାବଦରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ଶହ ଶହ ବସ୍ କାର ଲଗାଇ ଲୋକ ବୁହା ହେଉଛି । ମହିଳା ଏସଏଚଜି ସରକାରଙ୍କ ହାତବାରିସି ପାଲଟିଛି । କଲେଜ ପିଲାଙ୍କୁ ଫେଲ୍ ଧମକ ଦେଇ ସଭାସ୍ଥଳକୁ ବୋହି ନେବା ବ୍ୟବସ୍ଥା ହୋଇଥିବା ଅଭିଯୋଗ ପହଞ୍ଚିଛି ।
ବିଜେପି ଜିଲ୍ଳା ସଭାପତି ବିଭୂତି ଭୂଷଣ ଜେନା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟର ସବୁଠୁ ପଛୁଆ ଓ ଅନୁନ୍ନତ ଜିଲ୍ଲା ଗଞ୍ଜାମ । ଏଠାରେ ବିକାଶ ଛାଇ ମାଡ଼ିନି । କୃଷି, ଶିଳ୍ପ, ଶିକ୍ଷା, ଚିକିତ୍ସା ଓ ମହିଳା ବିକାଶ କ୍ଷେତ୍ରରେ ସବୁଠୁ ନିମ୍ନରେ । ଦାଦନ ଶ୍ରମିକରେ ଗଞ୍ଜାମ ଜିଲ୍ଲା ନମ୍ବର ୱାନ ହୋଇଛି । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଗଞ୍ଜାମ ଜିଲ୍ଳାରେ ଗୋଟିଏ ବି ଡ୍ୟାମ୍ ନିର୍ମାଣ ହୋଇନି । ଇଞ୍ଚେ ଅଧିକ ଜମିକୁ ଜଳସେଚନ ହୋଇନି । ଗତ ୨୪ ବର୍ଷରେ ଛୁଞ୍ଚି କାରଖାନା ଗୋଟେ ସରକାର କରିନାହାନ୍ତି । ଅନ୍ୟପକ୍ଷରେ ଶିଳ୍ପ ନାଁ ରେ ହଜାର ହଜାର ଏକର ଜମି ବୃହତ୍ କମ୍ପାନୀକୁ ଟେକି ଦେଇଛନ୍ତି‌ । କୌଣସି ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି । ସ୍କୁଲରେ ଶିକ୍ଷକ ଅଭାବ‌ ।
ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜନୈତିକ କାର୍ଯ୍ୟକ୍ରମ ପାଲଟିଛି । ପଲ୍ଲୀସଭା ଓ ଗ୍ରାମ ପଞ୍ଚାୟତ ବୈଠକରେ ଯୋଜନା ପ୍ରସ୍ତୁତ ହେଉନାହିଁ । ଲୋକଙ୍କ ଭାଗୀଦାରୀ ରହୁନାହିଁ । ଏହି ଯୋଜନା ବିଜେଡ଼ିର ରାଜନୈତିକ ସ୍ଵାର୍ଥ ହାସଲ କରୁଛି । ମନେରଗା ଯୋଜନାରେ ଆର୍ଥିକ ହେରଫେର ଅଭିଯୋଗ ସବୁ ପଞ୍ଚାୟତରୁ ଆସୁଛି । ଶହେ ଦିନର କାମ କାଁଭାଁ ମିଳିଛି । ଦାଦନ ଶ୍ରମିକ ଚାଲାଣରେ ଗଞ୍ଜାମ ନମ୍ବର ୱାନ ହୋଇଛି । ରାଜ୍ଯ ଓ ବିଦେଶରୁ ଫେରୁଛି ଶବ । ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ମିଳିନି । ଚାଷ ଜମିକୁ ପାଣି ମିଳୁନି । ହେକ୍ଟର ହେକ୍ଟର ଜମି ପଡ଼ିଆ ପଡ଼ିଛି, ଚାଷୀ ହତାଶ । ଗୋଟିଏ ବି ଶୀତଳ ଭଣ୍ଡାର ସ୍ଥାପନ ହୋଇପାରିଲାନି । ଗୋପାଳପୁର ଠାରୁ ରାୟପୁର ରେଳଲାଇନ୍ ପ୍ରକଳ୍ପ ସର୍ଭେରେ ଅଟକିଛି ।
ବ୍ରହ୍ମପୁରରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ସ୍ଵପ୍ନ ପାଲଟିଛି । ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନବନ୍ଦର ନିର୍ମାଣ ଦିଗରେ ସରକାର ନିର୍ବାଚନ ଧୂଆଁବାଣ ମାରିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନ ରାଜ୍ୟର ସର୍ବ ପୁରାତନ । ଗତ ଦଶନ୍ଧି ଧରି ଏହାକୁ ସମ୍ପ୍ରସାରଣ କରାଯିବ ବୋଲି ଶୁଣିବାକୁ ମିଳୁଛି । ଆଧୁନିକୀକରଣ ପାଇଁ ସରକାର ପଦକ୍ଷପ ନେଇନାହାନ୍ତି । ମହିଳା ସଶକ୍ତୀକରଣ କେବଳ କାଗଜ କଲମରେ ସୀମିତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଉନି । ରାଜନୈତିକ ଭେଦଭାବ ହେଉଛି । ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଛନ୍ତି ।
ଗଞ୍ଜାମର ବୁଣାକାରଙ୍କୁ ପ୍ରୋସାହନ ଅଭାବରୁ କୌଳିକ ବୃତ୍ତି ଛାଡୁଛନ୍ତି ।
ଗଞ୍ଜାମ ଜିଲ୍ଲାରୁ ପ୍ରଚୁର ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହେଉଛି । ସରକାର ବାଲି ଓ ପଥର ମାଫିଆଙ୍କ ସହାୟତାରେ ଭୋଟ ରାଜନୀତି କରୁଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ଗଞ୍ଜାମ ଜିଲ୍ଲାର ଏସବୁ ସମସ୍ୟା ଅଭିଯୋଗ ସମାଧାନ ଦିଗରେ ପଦକ୍ଷେପ ନେବେ କି ବୋଲି ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ପ୍ରଶ୍ନ କରିଛନ୍ତି । ‌ ଆପଣଙ୍କ – ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ, ବିଜେପି, ଗଞ୍ଜାମ ।

nis-ad
Leave A Reply

Your email address will not be published.