ମାଲକାନଗିରି: ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ମାଟି ପୁଅ ଗଣେଶ ଧାଙ୍ଗଡ଼ା ମାଝୀ । ତାଙ୍କ ଇଚ୍ଛା ଶକ୍ତି ଆଗରେ ହାରିଛି ପ୍ରତିବନ୍ଧକ । ମାଲକାନଗିରି ଜିଲ୍ଲାର ବଣ୍ଡା ଯୁବ ଖେଳାଳି ଗଣେଶ ଧାଙ୍ଗଡ଼ା ମାଝୀ ୨୦ ବର୍ଷରୁ କମ ଭାରତୀୟ ରଗବୀ ଦଳରେ ସ୍ଥାନ ପାଇଛନ୍ତି । ଖାଳି ଦଳରେ ସ୍ଥାନ ପାଇନାହାନ୍ତି ଦଳର ନେତୃତ୍ବ ମଧ୍ୟ ନେଇଛନ୍ତି । ଏହି ସଫଳତା ପାଇଁ ପରିବାରଠୁ ନେଇ ଜିଲ୍ଲାବାସୀ ଆଜି ଗର୍ବିତ । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର ମୁଦୁଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୁଡା ଗ୍ରାମର ସମା ଧାଙ୍ଗଡ଼ାମାଝୀଙ୍କ ସାନ ପୁଅ ଗଣେଶ ଧାଙ୍ଗଡା ମାଝୀ । ପରିବାର ଆର୍ଥିତ ସ୍ଥିତି ଏତେଟା ଭଲ ନାହିଁ । ବାପା ସମା ଧାଙ୍ଗଡାମାଝୀ ଜଣେ ଚୌକିଦାର । ହେଲେ ତାଙ୍କ ପୁଅ ଏବେ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି । ଜାତୀୟ ରଗବୀ ଦଳରେ ସ୍ଥାନ ପାଇଛନ୍ତି । ଖାଲି ସେତିକି ନୁହେଁ ଭାରତୀୟ ଦଳର କମାଣ ତାଙ୍କ କାନ୍ଧରେ ରହିଛି । ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି ଗଣେଶ ଧାଙ୍ଗଡ଼ାମାଝୀ । ଆସନ୍ତା ୧୯ ଓ ୨୦ ତାରିଖରେ ନେପାଳର କାଠମାଣ୍ଡୁରେ ହେବାକୁ ଥିବା ଏସୀୟ ରଗବୀ ଚମ୍ପିଆନସିପରେ ତାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍ । ଗଣେଶ ବଣ୍ଡାଘାଟିର ବନ୍ଧଗୁଡ଼ା ସ୍କୁଲ୍ରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ଭୁବନେଶ୍ବରର ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ +3ରେ ପାଠପଢ଼ା ଶେଷ କରିଥିଲେ । ଏହାସହ ରଗବୀ ଖେଳର ତାଲିମ୍ ନେଉଥିଲେ । ୭ଜଣ ଭାଇଭଉଣୀଙ୍କ ମଧ୍ୟରେ ଗଣେଶ ସମସ୍ତଙ୍କଠୁ ସାନ । ବହୁ କଷ୍ଟରେ ପାଠ ପଢିଛନ୍ତି ଗଣେଶ । କିନ୍ତୁ କିଛି କରି ଦେଖେଇବା ତାଙ୍କ ଲକ୍ଷ୍ୟ ଥିଲା । ଦୃଢ଼ ଇଛା ଶକ୍ତି ଆଜି ତାଙ୍କୁ ସୂଦୁର ବଣ୍ଡାଘାଟିରୁ ଭାରତୀୟ ଦଳରେ ସ୍ଥାନ ଦେଇଛି । ଏବେ ନେପାଳରେ ତାଙ୍କ ନେତୃତ୍ବରେ ଏସୀୟ ରଗ୍ବୀ ଚମ୍ପିଆନ୍ସିପ୍ ଖେଳିବ ଭାରତ ।
ଏହି କ୍ରୀଡ଼ାରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଦେଶର ନାଁ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ଗଣେଶ । ଗଣେଷ ଏବେ ନେପାଳରେ ଦଳ ସହ ଅଭ୍ୟାସ ଜାରି ରଖିଛନ୍ତି । ବଣ୍ଡା ଜନଜାତିର ଯୁବକ ହୋଇ ଏଭଳି ଏକ ଖେଳ ପ୍ରତିଯୋଗିତାର ଅଧିନାୟକ ହେବା ନିଜ ଗାଁ, ଜିଲ୍ଲା , ରାଜ୍ଯ ଓ ଦେଶ ପାଇଁ ନିଶ୍ଚିତ ଭାବରେ ଏକ ଗର୍ବ ଓ ଗୌରବ ବିଷୟ ହୋଇଛି ।