ଜଗତସିଂହପୁର : ୧୬/୮ : ଆଳିପିଙ୍ଗଳ ଜେଲରୁ ଫେରାର୍ ହୋଇଯାଇଥିବା ଜଣେ ଅଭିଯୁକ୍ତ ଆଜି ନିଜ ଆଈକୁ କଟୁରିରେ ବିଭତ୍ସ ଭାବେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେବା ଭଳି ଘଟଣା ଏବେ ଜଗତସିଂହପୁର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ଜେଲରୁ ଫେରାର୍ ଥିବା ଏହି ଅଭିଯୁକ୍ତ ନାତି ନିଜ ଆଈକୁ ଅତି ଭୟାନକ ଭାବେ କଟୁରୀରେ ହାଣି ହତ୍ୟା କରିଥିବା ବେଳେ ଦୁଇଜଣ ମହିଳା ଓ ଜଣେ ଶିଶୁକନ୍ୟା ମଧ୍ୟ ଅଭିଯୁକ୍ତ ଦ୍ୱାରା ଗୁରୁତର ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଆଜି (ବୁଧବାର) ସକାଳୁ ବାଲିକୁଦା ଥାନା ଅନ୍ତର୍ଗତ ନାଗପୁର ପଞ୍ଚାୟତର ଗଦେଇଗିରି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଜେଲ୍ ଯାଇଥିଲା ଅଭିଯୁକ୍ତ। କିଛି ଦିନ ତଳେ ଜେଲ୍ ପ୍ରାଚୀର ଡେଇଁ ସେ ଫେରାର ହୋଇଯାଇଥିବା ବେଳେ ନିଜ ଘରକୁ ଆସି ଆଜି ସକାଳୁ ଏଭଳି ଏକ ଲୋମଟାଙ୍କୁରା ଭୟାନକ ହତ୍ୟାକାଣ୍ଡ ଘଟାଇଛି ଏହି ଅଭିଯୁକ୍ତ।
ସୂଚନାନୁଯାୟୀ ଅଭିଯୁକ୍ତ ଜଣକ ହେଉଛି ବାଲିକୁଦା ଥାନା ଅନ୍ତର୍ଗତ ଗଦେଇଗିରି ଗାଁର ଜୀବନ ଜ୍ୟୋତି ସାହୁ ଓରଫ୍ ସମୀର । କିଛି ବର୍ଷ ପୂର୍ବେ ସମୀର ସେହି ଗାଁର ଜଣେ ନାବାଳିକାଙ୍କୁ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ୍ ହୋଇ ଆଳିପିଙ୍ଗଳ ଜେଲରେ ଥିଲା ଅଭିଯୁକ୍ତ ସମୀର। କିନ୍ତୁ ଜଗତସିଂହପୁର ଆଳିପିଙ୍ଗଳ ଉପକାରାଗାରରେ ବିଚାରଧୀନ କଏଦୀ ଭାବେ ଥିବା ସମୟରେ ସୁଯୋଗ ପାଇ ସମୀର ଜେଲ ପ୍ରାଚୀର ଡେଇଁ ଫେରାର ହୋଇଯାଇଥିଲା।ସେବେଠାରୁ ତାର ପତ୍ତା ମିଳୁ ନଥିଲା। ହେଲେ ଗତକାଲି ରାତିରେ ସେ ହଠାତ୍ ଗାଁରେ ପହଞ୍ଚିଥିଲା। ଆଉ ଆଜି ସକାଳେ ଏଭଳି ଏକ ଭୟାନକ ହତ୍ୟାକାଣ୍ଡ ଭିଆଇ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ତାକୁ କାବୁ କରିନେଇ ବାନ୍ଧି ବାଲିକୁଦା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଭିଯୁକ୍ତକୁ ଗିରଫ୍ କରି ଥାନାକୁ ନେଇଯାଇଥିବା ଜଣାପଡିଛି। ଅଭିଯୁକ୍ତର ଆକ୍ରମଣରେ ମୃତକ ଜଣକ ହେଉଛନ୍ତି ଶଖି ସାହୁ (୭୫ ବର୍ଷ) ଓ ସେ ଅଭିଯୁକ୍ତ ସମୀରର ନିଜ ଆଈ । ଏଥିସହିତ ମା’ ସନ୍ଧ୍ୟା ଦାସ, ପଡ଼ୋଶୀ ହେମ ଦାସ ଓ ୬ ବର୍ଷର ଶିଶୁ କନ୍ୟା ଗୌରୀ ଦାସ ଅଭିଯୁକ୍ତର ଆକ୍ରମଣରେ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ପକ୍ଷରେ ବାଲିକୁଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।