ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ପାଇଁ ଦାବିପତ୍ର ପ୍ରଦାନ

ମାଲକାନଗିରି (୩।୮) : ମାଲକାନଗିରି ଜିଲ୍ଲା ପଦ୍ମଗିରି ଗ୍ରାମରେ ସ୍ଵଚ୍ଛ ପାନୀୟ ଜଳ ଯୋଗାଇବା ନିମନ୍ତେ ପ୍ରଶାସନର ଦ୍ଵାରସ୍ଥ ହୋଇ ଦାବି ପତ୍ର ଦେଲେ ସ୍ଥାନୀୟ ଜନ ପ୍ରତିନିଧି ଓ ଗ୍ରାମବାସୀ । ସୂଚନା ଅନୁଯାୟୀ ପଦ୍ମଗିରି ଗ୍ରାମରେ ଦୀର୍ଘ ଦିନଧରି ସ୍ବଚ୍ଛ ପାନୀୟ ଜଳର ସମସ୍ୟା ଦେଖା ଦେଇ ଆସୁଛି । ଏଠାକାର ଅଧିକାଂଶ ନଳକୂଅ ଅକାମି ହୋଇ ପଡିରହିଥିବା ବେଳେ ବଳକା ନଳକୂଅରୁ ଆଇରନ ମିଶ୍ରିତ ଗୋଳିଆ ପାଣି ବାହାରୁଛି । ଏହି ଦୂଷିତ ପାଣି ପିଇ ଗ୍ରାମର ଅନେକ ଲୋକେ କିଡ଼ନୀ ରୋଗ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ଗ୍ରାମର ଅଧିକାଂଶ ଲୋକ ଆର୍ଥିକ ଦୃଷ୍ଟିରୁ ଅନେକ ଦୁର୍ବଳ ତଥା ବ୍ୟକ୍ତିଗତ ଫିଲ୍ଟର କିଣି ସ୍ୱଚ୍ଛ ପାଣିର ବ୍ୟବସ୍ଥା କରିବା କଷ୍ଟ ସାଧ୍ୟ ହେଉଥିବା ବେଳେ, ବାଧ୍ୟ ହୋଇ ଲୋକେ ବର୍ତ୍ତମାନ ମଧ୍ୟ ସେହି ଲୌହ ମିଶ୍ରିତ ଓ ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି । ତେଣୁ ଲୋକ ମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଗ୍ରାମରେ ଏକ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଦାବି କରି ପଦ୍ମଗିରି ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଏକ ଦାବି ପତ୍ର ଜିଲ୍ଲାପାଳ ବିଶାଳ ସିଂଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା କୁନି ଭୂମିଆ, ଜିଲ୍ଲା ବିଜୁ ଜନତା ଦଳର ମହିଳା ନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.