ହିଞ୍ଜିଳିକାଟୁ (୩/୮) : ଗୁରୁବାର ଭୋରରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ବେବର୍ତ୍ତା ପୋଖରୀ ନିକଟରୁ ହିଞ୍ଜିଳି ପୁଲିସ ଜଣେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତକା ଜଣଙ୍କ ସ୍ଥାନୀୟ ପୌରାଞ୍ଚଳ ଥାନାସାହିର ବନବାସୀ ସାହୁ (୪୬) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୧୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଗୁରୁବାର ଭୋରରୁ ମହିଳା ଜଣଙ୍କ ଫୁଲ ତୋଳିବା ପାଇଁ ଘର ପଛପଟ ବେବର୍ତ୍ତା ପୋଖରୀ ନିକଟକୁ ଯାଇ ଆଉ ଘରକୁ ଫେରି ନଥିଲେ । ସକାଳୁ କିଛି ମହିଳା ପୋଖରୀକୁ ଯିବା ବେଳେ ମହିଳା ଜଣଙ୍କ ଫୁଲ ଗଛ ନିକଟରେ ପଡ଼ିଥିବା ଦେଖି ପରିବାର ସଦସ୍ୟଙ୍କୁ ଜଣାଇଥିଲେ।
ପରିବାର ଲୋକେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ। ଅନ୍ୟ ପକ୍ଷରେ ମୃତ ମହିଳାଙ୍କ ହାତ ପାପୁଲିରେ ପୋଡି ଯାଇଥିବା କ୍ଷତ ଚିହ୍ନ ରହିଥିବାରୁ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଫୁଲ ଚୋରୀରୁ ବର୍ତ୍ତିବା ଲାଗି ଗଛରେ କେହି ବିଦ୍ୟୁତ୍ ସଂଯୋଗ କରିଥିବା ଚର୍ଚ୍ଚା ଜୋର ଧରିଛି ।