ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରେ ସାମିଲ ହେଲେ ଭାରତୀୟ-ଆମେରିକୀୟ ହର୍ଷବର୍ଦ୍ଧନ ସିଂହ

ୱାସିଂଟନ୍‌: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭାରତୀୟ-ଆମେରିକୀୟ ଇଞ୍ଜିନିୟର ହର୍ଷବର୍ଦ୍ଧନ ସିଂହ ପ୍ରତିଦ୍ବନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି।

ଟୁଇଟର୍‌ରେ ପୋଷ୍ଟ୍‌ କରିଥିବା ଭିଡିଓ ବାର୍ତ୍ତାରେ ୩୮ ବର୍ଷିୟ ସିଂହ କହିଛନ୍ତି ଯେ, ସେ ହେଉଛନ୍ତି ‘ଲାଇଫ୍‌ଲଙ୍ଗ୍‌ ରିପବ୍ଲିକାନ୍‌’ ଏବଂ ‘ଆମେରିକା ଫାଷ୍ଟ୍‌’ ରକ୍ଷଣଶୀଳ ସଦସ୍ୟ। ‘ନ୍ୟୁଜର୍ସି ରିପବ୍ଲିକାନ୍‌ ପାର୍ଟି’ର ରକ୍ଷଣଶୀଳ ଶାଖାକୁ ପୁନଃରୁଦ୍ଧାର କରିବା ନିମନ୍ତେ ସେ କାମ କରିଛନ୍ତି।

ଶୁକ୍ରବାର ଦିନ ଜାରି କରିଥିବା ୩ ମିନିଟ୍‌ର ଭିଡିଓରେ ସେ କହିଛନ୍ତି, ଅଳ୍ପ କେତେ ବର୍ଷ ‌ତଳେ ଘଟିଥିବା ପରିବର୍ତ୍ତନକୁ ବିପରୀତମୁଖୀ କରିବା ଏବଂ ଆମେରିକୀୟ ମୂ‌ଲ୍ୟବୋଧର ପୁନଃରୁଦ୍ଧାର ନିମନ୍ତେ ଆମର ବଳିଷ୍ଠ ନେତୃତ୍ବ ଆବଶ୍ୟକ। ତେଣୁ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦବୀ ନିମନ୍ତେ ହେବାକୁ ଥିବା ୨୦୨୪ ନିର୍ବାଚନରେ ଭାଗ ନେବା ପାଇଁ ‘ରିପବ୍ଲିକାନ୍‌ ପାର୍ଟି’ ତରଫରୁ ପ୍ରାର୍ଥୀ ହେଲି।

ଗୁରୁବାର ଦିନ ସେ ‘ଫେଡେରାଲ୍‌ ଇଲେକ୍‌ସନ୍‌ କମିସନ୍‌’ରେ ବିଧିବଦ୍ଧ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା କଥା ‘ଦି ହିଲ୍‌ ନିଉଜ୍‌ପେପର୍‌’ ଶୁକ୍ରବାର ଦିନ ରିପୋର୍ଟ କରିଛି।

ସିଂହଙ୍କ ଆଗରୁ ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ଣ୍ଣର୍‌ ୫୧ ବର୍ଷୀୟ ନିକ୍କି ହେଲି, କୋଟିପତି ଉଦ୍ୟୋଗୀ ୩୭ ବର୍ଷିୟ ବିବେକ ରାମମୂର୍ତ୍ତି ମଧ୍ୟ ‘ରିପବ୍ଲିକାନ୍‌ ପାର୍ଟି’ ତରଫରୁ ନିଜ ନିଜର ପ୍ରାର୍ଥୀତ୍ବ ଘୋଷଣା କରିସାରିଛି।

‘କୋଭିଡ୍‌’ ଟିକା ନେଇ ନ ଥିବାରୁ ଇଞ୍ଜିନିୟର୍‌ ସିଂହ ନିଜକ ଏକମାତ୍ର ‘ପିଓର୍‌ବ୍ଲଡ୍‌ କ୍ୟାଣ୍ଡିଡେଟ୍‌’ (ଅଣ-ଅପମିଶ୍ରିତ ରକ୍ତଧାରୀ ପ୍ରାର୍ଥୀ) ବୋଲି କହିଛନ୍ତି। ପୂର୍ବରୁ ୨୦୧୭ ଓ ୨୦୨୧ରେ ନ୍ୟୁଜର୍ସି ଗଭର୍ଣ୍ଣର୍‌ ପଦବୀ ପାଇଁ ରିପବ୍ଲିକାନ୍‌ ପ୍ରାର୍ଥୀ ହୋଇଥିଲେ। ୨୦୧୮ରେ ହାଉସ୍‌ ସିଟ୍‌ ଓ ୨୦୨୦ରେ ସିନେଟ୍‌ ଲାଗି ବି ପ୍ରାର୍ଥୀ ହୋଇଥିଲେ। କିନ୍ତୁ, ସେ କୌଣସିଥିରେ ବିଜୟ ହାସଲ କରି ନ ଥିଲେ।

nis-ad
Leave A Reply

Your email address will not be published.