ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଅଧୀନରେ ଋଣ ମେଳା : ୧୦୫ ଜଣ ଉଠା ଦୋକାନୀଙ୍କୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ

ସୁନ୍ଦରଗଡ /ରାଉରକେଲା (୨୯/୦୭) : ପ୍ରଧାନମନ୍ତ୍ରୀ ଷ୍ଟ୍ରୀଟ୍‌ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏମ୍ ସ୍ଵନିଧି) ଯୋଜନା ଅଧୀନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଷ୍ଟ୍ରୀଟ ଭେଣ୍ଡର ମାନଙ୍କ ନିମନ୍ତେ ଏକ ଋଣ ମେଳା ଶନିବାର ଉଦିତନଗର ସ୍ଥିତ ମହାନଗର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଛି । ଏହି ଋଣ ମେଳାରେ ୨୫୦ରୁ ଊର୍ଦ୍ଧ୍ବ ଷ୍ଟ୍ରୀଟ ଭେଣ୍ଡର ଯୋଗଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ (ଆର୍. ଏମ୍.) ଶ୍ରୀ ଅସିମ୍ କୁମାର ଘୋଷ ଯୋଗ ଦେଇ ରାଉରକେଲା ସହରରେ ତାଲିକାଭୁକ୍ତ ହୋଇଥିବା ସମସ୍ତ ଷ୍ଟ୍ରୀଟ ଭେଣ୍ଡର କେମିତି ଏହି ଯୋଜନାରେ ଲାଭ ପାଇପାରିବେ ସେହି ବିଷୟରେ ଅବଗତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ, ଷ୍ଟ୍ରୀଟ ଭେଣ୍ଡର ମାନେ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଅଧୀନରେ ତାଲିକାଭୁକ୍ତ ହେବା ଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟାୟର ଋଣ ପାଇବା ପର୍ଯ୍ୟନ୍ତ ସମ୍ମୁଖିନ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଋଣ ରାଶିକୁ କିପରି ସଦୁପଯୋଗ କରିବେ ଓ ସେମାନଙ୍କ ପାଇଁ ରାଉରକେଲା ମହାନଗର ନିଗମ ଦ୍ଵାରା ତିଆରି ହୋଇସାରିଥିବା ଓ ହେବାକୁ ଥିବା ଭେଣ୍ଡିଂ ଜୋନ୍ ସମ୍ପର୍କରେ ଅବଗତ କରାଇଥିଲେ । ଏହା ସହିତ ଠିକ୍‌ ସମୟରେ ଋଣ ପରିଶୋଧ କରୁଥିବା ଷ୍ଟ୍ରୀଟ୍‌ ଭେଣ୍ଡରମାନଙ୍କୁ ସ୍ବତନ୍ତ୍ରଭାବେ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛନ୍ତି ଶ୍ରୀ ମହାପାତ୍ର ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଅଧୀନରେ ଋଣ ନେଇ ଆବେଦନ କରୁଥିବା କୌଣସି ବି ଷ୍ଟ୍ରିଟ ଭେଣ୍ଡରଙ୍କ ଆବେଦନ ଖାରଜ ହେବନି ବୋଲି ଆଶ୍ବାସନା ଦେଇଥିଲେ ଏସ‌ବିଆଇ ଆଞ୍ଚଳିକ ପରିଚାଳକ । ଯେଉଁ ମାନେ ଠିକ୍ ସମୟରେ ଋଣ ପରିଶୋଧ କରୁଛନ୍ତି, ସେମାନଙ୍କ ପାଇଁ ଭବିଷ୍ୟତରେ ମଧ୍ୟ ଅଧିକ ଋଣ ନେଇପାରିବେ ଏଥିରେ କୌଣସି ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି । ଏହା ସହିତ ଷ୍ଟ୍ରୀଟ ଭେଣ୍ଡରମାନଙ୍କୁ ଠିକ୍ ସମୟରେ ଋଣ ପ୍ରଦାନ କରିବା ନିମନ୍ତେ ସମସ୍ତ ଶାଖା ପରିଚାଳକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମହାନଗର ନିଗମର ସିଟି ମିଶନ୍ ମ୍ୟାନେଜର୍ ଶ୍ରୀ ସନ୍ତୋଷ କୁମାର ଭୂୟାଁ, ସମସ୍ତ ଗୋଷ୍ଠୀ ସଙ୍ଗଠିକା ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସମସ୍ତ ଶାଖାର ପରିଚାଳକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଆଜିର ଏହି ଋଣ ମେଳାରେ ଷ୍ଟ୍ରୀଟ ଭେଣ୍ଡରମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ୟକ ଥିବା ବିଭିନ୍ନ ଡକ୍ୟୁମେଣ୍ଟ୍ ଓ ଯୋଗ୍ୟତା ବିଷୟରେ ଅବଗତ କରାଯାଇଥିଲା। ଏହା ସହିତ ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଭଳି ସାମାଜିକ ସୁରକ୍ଷା ଯୋଜନାରେ ସେମାନେ ଏବଂ ସେମାନଙ୍କ ପରିବାର ସଦସ୍ୟା କିଭଳି ସାମିଲ ହୋଇପାରିବେ ସେ ନେଇ ସୂଚିତ କରାଯାଇଥିଲା। ଏହି ମେଳାରେ ଉପସ୍ଥିତ ଥିବା କିଛି ଷ୍ଟ୍ରୀଟ ଭେଣ୍ଡର ମାନେ ତାଙ୍କର ଅଭିଜ୍ଞତା ଓ ସଫଳତାର କାହାଣୀ ସମସ୍ତଙ୍କ ସାମ୍ନାରେ କହିବା ସହିତ ଭାରତ ସରକାର, ଓଡିଶା ସରକାର, ଜିଲ୍ଲା ପ୍ରଶାସନ ତଥା ରାଉରକେଲା ମହାନଗର ନିଗମକୁ ଧନ୍ୟବାଦ ଅର୍ପଣ କରିଥିଲେ । ରାଉରକେଲା ମହାନଗର ନିଗମ ଷ୍ଟ୍ରୀଟ ଭେଣ୍ଡରମାନଙ୍କ ନିମନ୍ତେ ଉଦିତନଗର ଥାନା ନିକଟରେ ସ୍ଥାପନ କରିଥିବା ଉତ୍ସର୍ଗୀକୃତ କାର୍ଯ୍ୟାଳୟ ନିମନ୍ତେ ଧନ୍ୟବାଦ ଜଣାଇଥିଲେ । ଏହି ଋଣ ମେଳାରେ ୧୦୫ ଜଣ ଷ୍ଟ୍ରୀଟ ଭେଣ୍ଡରଙ୍କୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯିବା ସହିତ ୧୦୦ ରୁ ଉର୍ଦ୍ଧ୍ଵ ଷ୍ଟ୍ରୀଟ ଭେଣ୍ଡରଙ୍କୁ ଋଣ ପ୍ରଦାନ ନିମନ୍ତେ ଡକ୍ୟୁମେଣ୍ଟେସନ୍ କରାଯାଇଥିଲା ।

nis-ad
Leave A Reply

Your email address will not be published.