ପିଲାଙ୍କୁ ନେଇ ମିଛ କହିବା ମେୟରଙ୍କୁ ମହଙ୍ଗା ପଡ଼ିଲା; ପଦରୁ ବିଦା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ବିହାର ଛପରା ଜିଲ୍ଲାର ମେୟର ଥିବା ରାକ୍ଷୀ ଗୁପ୍ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ରାକ୍ଷୀ ଗୁପ୍ତା ତାଙ୍କର ତିନି ସନ୍ତାନଙ୍କ ପାଇଁ ମେୟର ପଦ ହରାଇ ଦେଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ରାକ୍ଷୀ ଗୁପ୍ତା ତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କର ଦୁଇଟି ପିଲା ଅଛନ୍ତି ବୋଲି ଦର୍ଶାଇଥିଲେ । ତିନିଟି ପିଲା ଅଛନ୍ତି ବୋଲି ଜଣାଇ ନଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପୂର୍ବ ମେୟର ସୁନୀତା ଦେବୀ ନିର୍ବାଚନ ଆୟୋଗରେ ଏକ ମାମଲା ଦାଏର କରିଥିଲେ ।
ଏହି ମାମଲାର ଯାଞ୍ଚ ହୋଇଥିଲା। ଯାଞ୍ଚ ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା । ଏହି ଯାଞ୍ଚରୁ ଜଣାପଡ଼ିଥିଲା କି, ରାକ୍ଷୀ ଦାଖଲ କରିଥିବା ସତ୍ୟପାଠ ଭୁଲ ବୋଲି ପ୍ରମାଣିତ ହୋଇଛି। କାରଣ ତାଙ୍କର ତିନିଟି ପିଲା ଥିବା ବେଳେ ସେ ଦୁଇଟି ବୋଲି ଦର୍ଶାଇଥିଲେ।
କାରଣ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ୨୦୦୮ ଏପ୍ରିଲ ୪ ତାରିଖ ପରେ ଯାହାର ୨ରୁ ଅଧିକ ସନ୍ତାନ ହେବେ ତାଙ୍କୁ ନିର୍ବାଚନ ପାଇଁ ଯୋଗ୍ୟ ବୋଲି କୁହାଯାଇପାରିବ ନାହିଁ । ସେମାନେ ନିର୍ବାଚନ ବି ଲଢିପାରିବେ ନାହିଁ । ସେହି କାରଣରୁ ରାକ୍ଷୀ ତାଙ୍କର ତୃତୀୟ ସନ୍ତାନ ଥିବା କଥା କାହାକୁ ଜଣାଇ ନଥିଲେ। ଏମିତି କି ରାକ୍ଷୀ ତାଙ୍କ ତୃତୀୟ ସନ୍ତାନକୁ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ରାକ୍ଷୀ ସଫେଇ ଦେଇ କହିଛନ୍ତି, ‘ ହଁ ମୁଁ ତିନିଟି ସନ୍ତାନ ଜନ୍ମ କରିଥିଲି। କିନ୍ତୁ ସମ୍ପର୍କୀୟ ଜଣେ ମୋ ତୃତୀୟ ପିଲାକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରି ନେଇଛନ୍ତି । ତେଣୁ କହିବାକୁ ଗଲେ ମୋର ଏବେ ଦୁଇ ସନ୍ତାନ।’
ତେବେ ରାକ୍ଷୀଙ୍କ ଏହି ସଫେଇ ନିର୍ବାଚନ ଆୟୋଗଙ୍କୁ କୌଣସି ଫରକ ପକାଇ ନଥିଲା। ସେ ନିଜ ବିଚାର ଶୁଣାଇ ରାକ୍ଷୀଙ୍କୁ ମେୟର ପଦରୁ ବିଦା କରି ଦେଇଛନ୍ତି।

nis-ad
Leave A Reply

Your email address will not be published.