ସୁନ୍ଦରଗଡ଼ – ୨୭/୦୭/୨୩ ରାଜଗାଙ୍ଗପୁର ମୁନିସିପାଲିଟି ଅଫିସରେ ଝାଡୁଦାର ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣା ଧାନଗୁନ,(୨୮ବର୍ଷ )ତାଙ୍କ ପତ୍ନୀ ରେଶମା ଧାନଗୁନ(୨୬ ବର୍ଷ) ଏବଂ ତାଙ୍କ ତିନୋଟି ଛୋଟ ଛୋଟ ପୁଅଙ୍କ ସହିତ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲର ପାନପୋଷ ପଞ୍ଚାୟତରେ ରହି ଆସୁଥିଲେ।କିଛି ଦିନ ପୂର୍ବରୁ ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀ ରେଶମା ଧାନଗୁନ ସ୍ୱାମୀଙ୍କ ଶୁଦ୍ଧିକ୍ରିୟା କିପରି କରିବେ ଏବଂ ଏହି ତିନୋଟି ଛୋଟ ଛୋଟ ପୁଅଙ୍କୁ କିପରି ମଣିଷ କରିବେ ସେଇ ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇ ଭାଙ୍ଗି ପଡ଼ିଥିବା ବିଷୟ କାଂଶବାହାଲ ବିଜେଡିର ବରିଷ୍ଠ ନେତା ଜିତୁ ଦାସ ଜାଣିବା ପରେ ତୁରନ୍ତ ସୁନ୍ଦରଗଡ଼ ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ବିଜେଡି ର ଉପସଭାପତି ଜୟ ନାରାୟଣ ତ୍ରିପାଠୀଙ୍କୁ ଅବଗତ କରାଇ ସାହାଯ୍ୟ କରିବାକୁ ନିବେଦନ କରିଥିଲେ।ସମସ୍ତ ବିଷୟକୁ ବୁଝି ମୃତକଙ୍କ ସବୁ ପ୍ରମାଣ ପତ୍ର ସହିତ ରେଡ଼କ୍ରସ ପାଣ୍ଠିରୁ ସାହାଯ୍ୟ ପାଇଁ ମୃତକଙ୍କ ପତ୍ନୀଙ୍କ ଆବେଦନ ପତ୍ର ନେଇ ଜୟ ନାରାୟଣ ତ୍ରିପାଠୀ ଏବଂ ବେଣୁଧର ତାଣ୍ଡିଆ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରବି ନାରାୟଣ ସାହୁଙ୍କୁ ସାକ୍ଷାତ କରି ଉକ୍ତ ଗରିବ ପରିବାରର ସମସ୍ତ ଦୁଃଖ ଓ ସମସ୍ୟା ଜଣାଇବା ସହିତ ତାଙ୍କୁ ଜିଲ୍ଲା
ରେଡ଼କ୍ରସ ପାଣ୍ଠିରୁ ଯତ୍ କିଞ୍ଚିତ ସାହାଯ୍ୟ ଦେବାକୁ ଅନୁରୋଧ କରିଥିଲେ। ସବୁ ବିଷୟ ଅତିରିକ୍ତ ଜିଲ୍ଲାପାଳ ଶୁଣିବା ପରେ ଅବିଳମ୍ବେ ଜିଲ୍ଲା ରେଡ଼କ୍ରସ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଡକେଇ ତାଙ୍କୁ ସବୁ ପ୍ରମାଣ ପତ୍ର ଦେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ ।ଆଜି ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ପାଖକୁ ଫାଇଲ ଗଲାପରେ ଜିଲ୍ଲାପାଳ ଏହି ଗରିବ ପରିବାର ପାଇଁ ଦଶ ହଜାର ଟଙ୍କା ରେଡ଼କ୍ରସ ପାଣ୍ଠିରୁ ମଞ୍ଜୁର କରି ଦେଇଥିଲେ । ତା ସହିତ ପଞ୍ଚାୟତରୁ ତିନି ହଜାର ଟଙ୍କା ହରିଶ୍ଚନ୍ଦ୍ର ଯୋଜନାରୁ ନେବାକୁ ପରାମର୍ଶ ଦେବା ସହିତ ବଡ଼ ଓ ମଝିଆଁ ପୁଅର ପାଠ ପଢ଼ିବା, ରହିବା, ଖାଇବା ସମସ୍ତ ସୁବିଧା ପାଇଁ ତାଙ୍କ ମାଁଙ୍କ ଇଚ୍ଛା ମୁତାବକ ସେ ଯେଉଁଠି ଚାହିଁବେ ରାଉରକେଲା ଏବଂ କୁତ୍ରାରେ ଥିବା ସରକାରଙ୍କ ଦ୍ୱାରା ପରିଚାଳିତ ଶିଶୁ ଅନଥାଶ୍ରମରେ ରଖିବା ଲାଗି ବନ୍ଦୋବସ୍ତ କରାଯାଇଛି ବୋଲି ସୂଚନା ମିଳିଛି।ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଗୋଟିଏ ଗରିବ ଅସହାୟ ପରିବାର ଶୀଘ୍ର ସାହାଯ୍ୟ ପାଇ ଥିବାରୁ ଜିଲ୍ଲା ବିଜେଡି ଉପସଭାପତି ଜୟ ନାରାୟଣ ତ୍ରିପାଠୀ ଓ ବେଣୁଧର ତାଣ୍ଡିଆଙ୍କ ସହିତ କାଂଶବାହାଲ ବିଜେଡିର ବରିଷ୍ଠ ନେତା ଜିତୁ ଦାସ ଏବଂ ଉକ୍ତପରିବାର ର ସମସ୍ତ ସଦସ୍ୟ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ