ରେଗୁଲାର ଏଲ୍‌ଏଲ୍‌ଏମ୍ କୋର୍ସ ଖୋଲିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ପୂରଣ ଲାଗି ଦାବିପତ୍ର

ବ୍ରହ୍ମପୁର : ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ରେଗୁଲାର ଭିତ୍ତିରେ ଏଲ୍‌. ଏଲ୍‌. ଏମ୍. କୋର୍ସ ଖୋଲି ଅବିଳମ୍ବେ ନାମ ଲେଖା ପ୍ରକ୍ରିୟା ଆରମ୍ଭ କରିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ପୂରଣ କରିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଏ ଆଇ ଡି ଏସ ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଦାବିପତ୍ର ପ୍ରଦାନକରାଯାଇଛି। _
୨୦୨୩-୨୪ ଶିକ୍ଷାବର୍ଷ ଠାରୁ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ସେଲ୍ଫ ଫାନାନ୍ସିଂ ମୋଡରେ ଚାଲିଥିବା ଏଲ୍‌. ଏଲ୍‌. ଏମ୍. ନାମ ଲେଖା ହେବ ନାହିଁ ବୋଲି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନ୍‌ସିଲ୍ ଅଧ୍ୟକ୍ଷଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ କଲେଜ ଭାବେ ପରିଗଣିତ ହେବା ସତ୍ତ୍ୱେ ଦୀର୍ଘ ବର୍ଷ ଧରି ଉକ୍ତ ମହାବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ସମେତ ଉପଯୁକ୍ତ ଭିତ୍ତିଭୂମିର ବିକାଶ ମଧ୍ୟ କରାଯାଉନାହିଁ । ଏହି ଆଳରେ ସମ୍ପୂର୍ଣ୍ଣ କୋର୍ସରେ ନାମଲେଖା ବନ୍ଦ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦିଆଯାଇଛି ।

ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏ ସମ୍ପର୍କରେ ବାରମ୍ୱାର ଦାବି କରାଯିବା ପରେ ମଧ୍ୟ ସରକାର ଏବଂ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଯଦି ଶିକ୍ଷକ ନାହାନ୍ତି, ତେବେ ପୂର୍ବରୁ ନାମ ଲେଖାଇଥିବା ଏଲ୍ ଏଲ୍ ବି ଏବଂ ଏଲ୍ ଏଲ୍ ଏମ୍ ଛାତ୍ରଛାତ୍ରୀ କିଭଳି ପାଠ ପଢିବେ? ସେମାନଙ୍କ ପାଇଁ ଶିକ୍ଷକ ନିଯୁକ୍ତି ଦିଆଯିବ ନା ସମାନ ଆଳ ଦେଖାଇ ଏଲ୍ ଏଲ୍ ବି କର୍ସକୁ ମଧ୍ୟ ବନ୍ଦ କରିଦିଆଯିବ? ଏହି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ତେଣୁ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ରେଗୁଲାର ଭିତ୍ତିରେ ଏଲ୍‌. ଏଲ୍‌. ଏମ୍. କୋର୍ସ ଖୋଲି ଅବିଳମ୍ବେ ନାମ ଲେଖା ପ୍ରକ୍ରିୟା ଆରମ୍ଭ କରିବା ସହ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ପୂରଣ କରିବା ଏବଂ ଉପଯୁକ୍ତ ଭିତ୍ତିଭୂମିର ବିକାଶ କରିବା ପାଇଁ ଏ ଆଇ ଡି ଏସ ଓ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଆଜିକାର ଏହି କାର୍ଯ୍ୟକ୍ରମରେ ଏ ଆଇ ଡି ଏସ ଓ ଓଡ଼ିଶା ସମ୍ପାଦକ ମଣ୍ଡଳୀ ସଦସ୍ୟ ଶିବାନୀ ଶଙ୍କର ମିଶ୍ର, ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଜିଲ୍ଲା କମିଟି ସଦସ୍ୟା ଶୁଭସ୍ମିତା ପାଣିଗ୍ରାହି ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.