୨ଚୋରା ବାଲି ଟ୍ରାକ୍ଟର ଜବତ : ଭାଇରାଲ ଭିଡ଼ିଓକୁ ନେଇ ଚର୍ଚ୍ଚା

ହିଂଜିଳିକାଟୁ, ୨ା୭: ଗଂଜାମ ଜିଲ୍ଲା ହିଂଜିଳିକାଟୁ ତହସିଲର ବିଭିନ୍ନ ନଦୀ ଘାଟରୁ ସରକାରୀ ଲିଜ ହୋଇ ନଥିବା ଘାଟରୁ ପ୍ରତିଦିନ ଶହଶହ ଗାଡ଼ି ବାଲି ଚୋରା ଚାଲାଣ ହେଉଥିବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଛି । ବର୍ଷା ଋତୁରେ ନଦୀରେ ପାଣି ଆସିବା ଫଳରେ ବାଲି ଉଠାଣ ହୋଇ ପାରିବ ନାହିଁ । ତେଣୁ ନଦୀରେ ବର୍ଷା ପାଣି ଆସିବା ପୂର୍ବରୁ ତଥା ଏହି ସମୟରେ ଚଢ଼ା ଦରରେ ବିକ୍ରୀ ନିମନ୍ତେ ମାଫିଆ ମାନେ ରାତି ଦିନ ଶହ ଶହ ଟ୍ରକ ଟ୍ରାକ୍ଟରରେ ବାଲି ଉଠାଉଥିବା ଅଭିଯୋଗ ହେଉଛି । ନମ୍ବର ବିହୀନ ଟ୍ରାକ୍ଟରରେ ଏହି ଚୋରା କାରବାର ଅନାୟସରେ ଚାଲିଛି । ମାଫିଆ ଏହି ସବୁ ବାଲି ବିଭିନ୍ନ ରାସ୍ତାକଡ଼, ସରକାରୀ ଜାଗା ଇତ୍ୟାଦିରେ ଗଛିତ କରି ରଖୁଛନ୍ତି । ଶନିବାର ହିଂଜିଳି ପୋଲିସର ପାଟ୍ରୋଲିଂ ଟିମ ବାଲି ଚୋରାଇ ନେଉଥିବା ୨ଟ୍ରାକ୍ଟରକୁ ହିଂଜିଳି ନିକଟରେ ଚଢ଼ାଉ କରି ଜବତ କରିଛି । ଏଥି ମଧ୍ୟରୁ ଗୋଟିଏ ଟ୍ରାକ୍ଟର ଇଂଜିନ ଓଡ଼ି ୦୭ୱାଇ ୪୧୩୫ ଥିବା ବେଳେ ଟ୍ରଲି ନମ୍ବର ମଧ୍ୟ (ଓଡ଼ି ୦୭ୱାଇ ୪୧୩୫) ରହିଛି । ଏହାର ମାଲିକ ତଥା ଡ଼୍ରାଇଭର ଶିକିରି ଗ୍ରାମର ବଳରାମ ଗୌଡ଼ଙ୍କ ନାମରେ ପୋଲିସ ମକଦ୍ଦମା ରୁଜୁ କରିଛି । ଅନ୍ୟ ଟ୍ରାକ୍ଟରର ଇଂଜିନ ଓ ଟ୍ରଲି ଉଭୟ ନମ୍ବର ବିହୀନ ରହିଛି । ପୋଲିସ ତଦନ୍ତ ବେଳେ ଚୋରା ବାଲି ଚାଲାଣ କରୁଥିବା ଏହି ଟ୍ରାକ୍ଟର ଗୁଡ଼ିକ ଟ୍ରାନଜିଟ ପାସ ନ’ଥାଇ ଦୀର୍ଘ ଦିନ ଧରି ସରକାରଙ୍କ ଲିଜ ହୋଇନଥିବା ଶିକିରି ନଦୀ ଘାଟରୁ ବାଲି ଚୋରାଇ ନେଉଥିବା ଜଣା ପଡ଼ିଛି । ଏଥି ନେଇ ହିଂଜିଳି ଥାନାରେ ନଂ- ୪୮୧/୨୩ରେ ମାମଲା ରୁଜୁ କରି ପୋଲିସ ଉଭୟ ଗାଡ଼ିକୁ ଜବତ କରିଛି ।
ଅନ୍ୟ ପକ୍ଷରେ ହିଂଜିଳି ଅଂଚଳରେ ଚୋରା ନଦୀବାଲି କାରବାରରେ ବିଭିନ୍ନ ରାଜନୈତିକ ପୃଷ୍ଠପୋଷକତା ଥିବା ଅଭିଯୋଗ ହେଉଛି । ବହୁ ନିର୍ବାଚିତ ଜନପ୍ରତିନିଧି ଓ ସେମାନଙ୍କ ସମ୍ପର୍କୀୟ ଏହି ଚୋରା କାରବାରରେ ଜଡ଼ିତ ଥିବା ଅଭିଯୋଗ ହେଉଛି । ଫଳରେ ଚୋରା ବାଲି ମାଫିଆଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ । ଅନ୍ୟ ପକ୍ଷରେ ଗତ କିଛି ଦିନ ତଳେ ଚୋରା ନଦୀ ବାଲି କାରବାରକୁ ନେଇ ଖରିଡ଼ା ଗ୍ରାମରେ ଜଣକ ଉପରେ ଆକ୍ରମଣ ହୋଇଥିବା ନେଇ ଥାନାରେ ମାମଲାରୁଜୁ ହୋଇଛି । ଚୋରା କାରବାରର ଫଟୋ ଓ ଭିଡ଼ିଓ କରି ତହସିଲକୁ ଜଣାଇବାରୁ ମାଫିଆ ମାନେ ଗାଁ ଦାଣ୍ଡରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟ ପକ୍ଷରେ ଏହି ଘଟଣା ପରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି । ଏଥିରେ ଜଣେ ବ୍ୟକ୍ତି ତାଙ୍କୁ କିଛି ବ୍ୟକ୍ତି ଓ ଜଣେ ସାମ୍ବାଦିକ ବଟି ମାଗିବା କଥା କହିଛନ୍ତି । ଉକ୍ତ ଭିଡ଼ିଓରେ ବ୍ୟକ୍ତି ଜଣକ ବାଲି ଉଠାଇବା ନିମନ୍ତେ ଆର ଫର୍ମର ଜେରେକ୍ସ କପି ରଖିଥିବା ଦାବି କରିଥିବା ବେଳେ ୫୦ରୁ ୬୦ଟ୍ରାକ୍ଟର ନଦୀ ବାଲି ଡ଼ିପୋ କରି ରଖିଥିବା କହିଛନ୍ତି । ରାଜସ୍ୱ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ବାଲି ଉଠାଇବା ନିମନ୍ତେ ଟଙ୍କା ଦେଉଥିବା ମଧ୍ୟ କହିଛନ୍ତି । ଫଳରେ ହିଂଜିଳି ଅଂଚଳରେ ଚୋରା ବାଲି କାରବାର ନେଇ ବିଭିନ୍ନ ପ୍ରଶ୍ନବାଚୀ ଉଠିଛି ।
ଫଟୋ: ହିଂଜିଳି ଥାନା ପରିସରରେ ଜବତ ୨ଟ୍ରାକ୍ଟର

nis-ad
Leave A Reply

Your email address will not be published.