ଭାରତ ଓଡିଆଇ ବିଶ୍ବକପ ପାଇଁ ନଆସିଲେ ଆମେ ଏସିଆ କପ୍ ପାଇଁ ଯିବୁନି: ପାକ୍ କ୍ରୀଡା ମନ୍ତ୍ରୀ

ନୂଆଦିଲ୍ଲୀ: ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିୟା କପ୍ ୨୦୨୩। କିଛି ଦିନ ତଳେ ମ୍ୟାଚ୍ ଆରମ୍ଭ ହେବା ସମ୍ବନ୍ଧୀୟ ସୂଚନା ଦେଇଥିଲା ଏସିୟାନ କ୍ରିକେଟ କାଉନସିଲ(ଏସିସି)। ମ୍ୟାଚ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଲିବା ସହ ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ୍ ଖେଳାଯିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଏସିଆ କପ୍ ଖେଳାଯିବାକୁ ଥିବା ବେଳେ ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ୯ଟି ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି। ପାକିସ୍ତାନରେ ହେବାକୁ ଥିବା ୪ଟି ମ୍ୟାଚରେ ଭାରତ ଖେଳିବ ନାହିଁ ବୋଲି ଜଣାପଡ଼ିଛି।
ଏବେ ଏସିସିର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପାକ୍ କ୍ରୀଡା ମନ୍ତ୍ରୀ ଏହସାନ ମଜାରୀ। ସେ କହିଛନ୍ତି ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଆସିପାରିବ ନାହିଁ ‌ତେବେ ଆମେ କାହିଁକି ଓଡିଆଇ ବିଶ୍ବକପ ପାଇଁ ଭାରତ ଯିବୁ। ଆମକୁ ମଧ୍ୟ ହାଇବ୍ରିଡ ମଡେଲ ଦରକାର। ଏସିଆ କପ୍ ଭଳି ଓଡିଆଇ ବିଶ୍ବକପରେ ହାଇବ୍ରିଡ ମଡେଲ ଅଧିନରେ ପାକିସ୍ତାନକୁ ନିରପେକ୍ଷ ସ୍ଥାନ ଦିଆଯାଉ। ତାଙ୍କର ଏଭଳି ପ୍ରତିକ୍ରିୟା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିଶ୍ବକପକୁ ନେଇ ମତାନ୍ତର ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ତେବେ ଏଥର ଏସିଆ କପରେ ଭାରତ ଏବଂ ପାକିସ୍ତାନ ସମେତ ମୋଟ ୬ଟି ଦଳ ମଧ୍ୟରେ ୧୩ଟି ମ୍ୟାଚ୍ ଖେଳାଯିବ। ଏଥିରେ ଫାଇନାଲ୍ ମଧ୍ୟ ଅନ୍ତର୍ଭୁକ୍ତ, ଯାହା କେବଳ ଶ୍ରୀଲଙ୍କାରେ ଖେଳାଯାଇପାରେ। ସମସ୍ତ ୬ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ଏଥର ଏସିଆ କପ୍ ଓଡିଆଇ ଫର୍ମାଟରେ ଖେଳାଯିବ ଏବଂ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ଓ ନେପାଳ ଏଥିରେ ଭାଗ ନେବେ। ଗୋଟିଏ ଗ୍ରୁପରେ ଭାରତ, ନେପାଳ ଏବଂ ପାକିସ୍ତାନ ରହିବା ସହ ଅନ୍ୟ ଦଳରେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ରହିବ। ଉଭୟ ଗ୍ରୁପର ୨ଟି ଦଳ ସୁପର ୪ରେ ପହଞ୍ଚିବେ।
ତା’ପରେ ରାଉଣ୍ଡ ରବିନ ଫର୍ମାଟରେ ସୁପର- ୪ରେ ମୋଟ ୬ଟି ମ୍ୟାଚ୍ ଖେଳାଯିବ। ଏହା ପରେ ଦୁଇଟି ଦଳ ଫାଇନାଲରେ ପହଞ୍ଚିବେ ଏବଂ ସେମାନଙ୍କ ମଧ୍ୟରେ ଟାଇଟଲ୍ ମ୍ୟାଚ୍ ଖେଳାଯିବ। ଏହିପରି, ଏସିଆ କପ୍ ୨୦୨୩ରେ ଫାଇନାଲ୍ ସହିତ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ।

nis-ad
Leave A Reply

Your email address will not be published.