ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

୪୫୬ ଅଭିଯୋଗର ଶୁଣାଣୀ

ମାଲକାନଗିରି : ଜାତୀୟ ଶିଶୁ ସୁରକ୍ଷା ଆୟୋଗ, ନୂଆଦିଲ୍ଲୀରୁ ଏକ ପ୍ରତିନିଧି ଦଳ ଦୁଇ ଦିନିଆ ମାଲକାନଗିରି ଗସ୍ତ କରିଛନ୍ତି। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ବିଶାଲ ସିଂ ଙ୍କ ନିର୍ଦ୍ଦେଶରେ ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ କ୍ୟାମ୍ପ ଆୟୋଜନ କରାଯାଇଛି। ଏହି କ୍ୟାମ୍ପରେ ଆୟୋଗର ରେଜିଷ୍ଟ୍ରାର ଶ୍ରୀମତୀ ଅନୁ ଚୌଧୁରୀ ଅଧ୍ୟକ୍ଷତା କରି ପ୍ରାପ୍ତ ହୋଇଥିବା ସମସ୍ତ ଅଭିଯୋଗ ର ଶୁଣାଣୀ କରିଥିଲେ । ଅଭିଯୋଗ ଶୁଣାଣୀରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ସଚିବ ଶ୍ରୀ ପ୍ରଭାତ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ଓ ଜିଲ୍ଲା ମଙ୍ଗଳ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଉପସ୍ଥିତ ଥିଲେ।

ଆଜି ଶିବିରରେ ସର୍ବମୋଟ ୪୫୬ ଗୋଟି ଅଭିଯୋଗର ଶୁଣାଣୀ କରାଯାଇଛି। ସେଥିମଧ୍ୟରୁ ୩୩ ଟି ଅଭିଯୋଗର ଶିବିରରେ ସମାଧାନ ହୋଇଛି। ଆଜି ଶିବିରରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜଣଙ୍କୁ ୬ ଟି ହ୍ୱିଲ ଚେୟାର, ୨ ଟି ଟ୍ରାଇ ସାଇକେଲ, ୨ଟି ମସ୍ତିଷ୍କ ପକ୍ଷାଘାତ ଚେୟାର, ୭ ଟି ଶ୍ରବଣ ଯନ୍ତ୍ର ଏବଂ ୧୮ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇଛି।
ଏହି ଶିବିରରେ ଶିଶୁଙ୍କୁ ସହାୟତା କରିବା ନିମନ୍ତେ ଆଧାର କାର୍ଡ ଓ ବ୍ୟାଙ୍କ ଖାତା ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସେହିପରି ଭିନ୍ନକ୍ଷମ ପ୍ରମାଣପତ୍ର, ସ୍ଵାସ୍ଥ୍ୟ କାର୍ଡ ଓ ସ୍ଵାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା । ତତ୍ ସହିତ ଶିଶୁଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧିତ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଏଠାରେ ଲୋକଙ୍କୁ ସଚେତନ କରାଯାଇଛି।

ଅନୁସୂଚିତ ଜାତି ଓ ଜନଜାତି ଶିଶୁଙ୍କ ପାଇଁ ହଷ୍ଟେଲ ସୁବିଧା, ନୂତନ ହଷ୍ଟେଲ ଗୃହ, ହଷ୍ଟେଲ ଭିତ୍ତିଭୂମି, ଅଧିକ ଶ୍ରେଣୀ ଗୃହ, ଖେଳ ପଡିଆ ଓ ଶୌଚାଳୟ ବ୍ୟବସ୍ଥା କରିବା ପାଇଁ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭିନ୍ନକ୍ଷମ ଶିଶୁଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ସହ ଭିତ୍ତିଭୂମି ଏବଂ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଶିଶୁଙ୍କର ଜନ୍ମ ଓ ଜାତି ପ୍ରମାଣପତ୍ର ପ୍ରଦାନ କରିବା ସହ ସେମାନଙ୍କ ନିମନ୍ତେ ବ୍ୟାଙ୍କ ଏକାଉଣ୍ଟ ଖୋଲିବା ପାଇଁ ମଧ୍ୟ ଏଠାରେ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଅନାଥ ଏବଂ ଏକକ ଅଭିଭାବକ ଥିବା ଶିଶୁଙ୍କ ଥଇଥାନ ଓ ଆର୍ଥିକ ସହାୟତା ନିମନ୍ତେ ମଧ୍ୟ ଗୁରୁତ୍ଵ ଦିଆଯାଇଛି।

ସୂଚନା ଥାଉ କି, ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ହେଉଛି ଶିଶୁ ଅଧିକାର ଆଇନ ଆୟୋଗ ଅଧିନିୟମ, ୨୦୦୭ ଅନୁଯାୟୀ ଗଠିତ ଭାରତ ସରକାରଙ୍କ ଏକ ଆଇନଗତ ସଂସ୍ଥା। ସମସ୍ତ ଶିଶୁଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ହେଉଛି ଆୟୋଗର ମୂଳ ଉଦ୍ଦେଶ୍ୟ ।

ଜାତୀୟ ଶିଶୁ ସୁରକ୍ଷା ଆୟୋଗ ରୁ ଆସିଥିବା ଆଇନ ପରାମର୍ଶଦାତା ଶିଭମ ରାୟ ଶିବିର ଆରମ୍ଭ ହେବା ପୂର୍ବରୁ ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡ଼ା ପ୍ରଫୁଲ୍ଲ ନନ୍ଦ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ, ଜିଲ୍ଲା ଶିକ୍ଷାଧିକାରୀ, ମାନସ ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ, ପ୍ରଫୁଲ୍ଲ ଭୁଜବଳ, ଜିଲ୍ଲା ନିୟୋଜନ ଅଧିକାରୀ, ମନସ୍ଵୀ ସେଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ଜିଲ୍ଲା ଯୋଗାଣ ଅଧିକାରୀ, ଅଜୟ ରଥ, ଜିଲ୍ଲା ଶ୍ରମ ଅଧିକାରୀ, ଶରତ ପାଣିଗ୍ରାହୀ, ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉମା ଶଙ୍କର କୋୟାଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ
ଜିଲ୍ଲା ମଙ୍ଗଳ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.