ସାଫ୍‌ ଚାମ୍ପିଅନ୍‌ସିପ୍‌: ଭାରତ ନବମ ଥର ବିଜେତା, କୁଏତକୁ ସଡନ୍‌ଡେଥ୍‌ରେ ହରାଇଲା

ବେଙ୍ଗାଲୁରୁ: ଭାରତ ନବମ ଥର ଲାଗି ସାଫ୍‌ ଚାମ୍ପିଅନ୍‌ସିପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବିଜେତା ହୋଇଛି। ମଙ୍ଗଳବାର ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଆୟୋଜକ ଭାରତ ୫-୪ (୧-୧) ସଡନ୍‌ଡେଥ୍‌ରେ କୁଏତକୁ ପରାସ୍ତ କରିଛି। ଏଥିସହ ଭାରତ ଲଗାତାର ଦ୍ବିତୀୟ ଥର ଲାଗି ଏହି ଟ୍ରଫି ଜିତିଛି। ଏହି ପ୍ରତିଯୋଗିତାରେ ୬ ଗୋଲ୍‌ ଦେଇଥିବା ‌ଅଧିନାୟକ ସୁନିଲ ଛେତ୍ରୀଙ୍କୁ ଗୋଲ୍‌ଡେନ୍‌ ବୁଟ୍‌ ଏବଂ ‌ମୋଷ୍ଟ ଭାଲ୍ୟୁବଲ ‌ଖେଳାଳି ପୁରସ୍କାର ମିଳିଥିଲା।
ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ଅଲ୍‌ ବ୍ଲୌସିଙ୍କ ପାସ୍‌କୁ ସାବିବ ଅଲ୍‌ ଖାଲ୍‌ଦି ଗୋଲ୍‌ରେ ପରିଣତ କରି କୁଏତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। କୁଏତର ଏହି ଖୁସି ବେଶି ସମୟ ରହିନଥିଲା। ୩୮ତମ ମିନିଟ୍‌ରେ ଭାରତର ଲାଲିଆଞ୍ଜୁଆଲା ଚାଙ୍ଗଟେ ଗୋଲ୍‌ ଶୁଝି ସ୍ଥିତି ବରାବର କରିଥିଲେ। ସାହାଲ ସାମଦଙ୍କ ଚମତ୍କାର କ୍ରସ୍‌ ପାସ୍‌କୁ ‌ଚାଙ୍ଗ୍‌ଟେ କୌଣସି ଭୁଲ୍‌ ନକରି ସିଧା କୁଏତ ଗୋଲ୍‌ ପୋଷ୍ଟ୍‌କୁ ବଲ୍‌ ପଠାଇ ଦେଇଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ଦ୍ବିତୀୟାର୍ଦ୍ଧ ଗୋଲ୍‌ ଶୂନ୍ୟରେ ସରିଥିଲା। ତେଣୁ ଫଳାଫଳ ଲାଗି ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା। ଏଥିରେ ମଧ୍ୟ ଫଳାଫଳ ନବାହାରିବାରୁ ପେନାଲ୍ଟି ସୁଟ୍‌ଆଉଟ୍‌ ହୋଇଥିଲା। ଏଥିରେ ଉଭୟ ଦଳ ୪-୪ ସ୍କୋର୍‌ କରିପାରିଥିଲେ। ଭାରତର ଛେତ୍ରୀ, ସନ୍ଦେଶ ଝିଙ୍ଗାନ, ଚାଙ୍ଗଟେ ଓ ସୁଭାଶିଷ ବୋଷ ସଫଳ ହୋଇଥିଲା ବେଳେ ଉଦାନ୍ତ ସିଂହ ବିଫଳ ହୋଇଥିଲେ। ଶେଷରେ ସଡନଡେଥ୍‌ ଫଳାଫଳ ବାହାରିଥିଲା। ସଡନ୍‌ଡେଥ୍‌ରେ ମହେଶ ସିଂହ ଗୋଲ୍‌ ଦେଇ ଭାରତକୁ ଅଗ୍ରଣୀ ଦେଇଥିଲେ। ଏହାପରେ କୁଏତର ହାଜିଆଙ୍କ ସଟ୍‌କୁ ଗୁରୁପ୍ରୀତ ସିଂହ ଅଟକାଇ ଭାରତକୁ ବିଜୟ ଭେଟି ଦେଇଥିଲେ।

nis-ad
Leave A Reply

Your email address will not be published.