୨୦୨୩ ବିଶ୍ବକପ୍‌ ପାଇଁ ଦଳଗତ ମାନସିକତା ଆବଶ୍ୟକ: କପିଳ ଦେବ

ନୂଆଦିଲ୍ଲୀ: ମହାନ ଅଲ୍‌ରାଉଣ୍ଡର୍‌ କପିଳ ଦେବଙ୍କ ପାଇଁ ଭାରତ ପ୍ରଥମ ଥର ୧୯୮୩ ମସିହାରେ ବିଶ୍ବକପ୍ ଜିତିଥିଲା। ରବିବାର ଭାରତବାସୀ ଏହାର ୪୦ତମ ପୂର୍ତ୍ତି ପାଳନ କରୁଥିବା ବେଳେ ସେଦିନର ସଫଳ ଅଧିନାୟକ କପିଳ ଦେବ କିନ୍ତୁ ଚଳିତ ବର୍ଷର ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଦଳକୁ ପରାମର୍ଶ ଦେଇଛନ୍ତି। କପିଳ କହିଛନ୍ତି ‘୨୦୨୩ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ପୂର୍ବରୁ ରୋହିତ ଶର୍ମାଙ୍କ ଦଳକୁ ଏକତାର ନିଦର୍ଶନ ତଥା ସାମୂହିକ ମାନସିକତାର ସହ ଲଢ଼ିବାକୁ ‌ହେବ’। ଉତ୍ସର୍ଗୀକୃତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସଙ୍କଳ୍ପ ରଖିବାକୁ ହେବ। ଅସଲ ସଫଳତାର ମାପକାଠି ଫଳାଫଳରେ ନୁହେଁ ବ୍ୟକ୍ତିଗତ ଉତ୍କର୍ଷ ଜରିଆରେ ନିରଂତର ତ୍ୟାଗ ଓ ସଙ୍କଳ୍ପରୁ ମିଳିଥାଏ।`
ବର୍ତମାନର ବିସିସିଆଇ ସଭାପତି ତଥା ୧୯୮୩ ବିଶ୍ବକପ୍‌ରେ ସର୍ବାଧିକ ୧୮ ୱିକେଟ୍ ନେଇଥିବା ରୋଜର ବିନ୍ନି କହିଛନ୍ତି‘୧୯୮୩ ବିଶ୍ବକପ୍‌ ବିଜୟୀ ଦଳର ଅଂଶବି‌ଶେଷ ଏକ ଉଲ୍ଲେଖନୀୟ ଯାତ୍ରା ଥିଲା, ଯେଉଁଥିରେ ସଙ୍କଳ୍ପ ଓ ଦଳୀୟ ଉତ୍ସାହ ଭରପୂର ରହିଥିଲା। ବର୍ତମାନର ଦଳ ଏହି ଟ୍ରଫିକୁ ପୁଣି ଥରେ ଜିତିବାକୁ ଦକ୍ଷ ଥିବାରୁ ଆମେ ବିଶ୍ବାସ ରଖିଛୁ। ପ୍ରଶଂସକମାନେ ଏକାଠି ‌ହୋଇ ଆସନ୍ତୁ ସମସ୍ତଙ୍କୁ ଉତ୍ସାହିତ କରିବା ଇତିହାସ ରଚିବାକୁ। ଏହି ଅବସରରେ ୧୯୮୩ ବିଶ୍ବବିଜୟୀ ଦଳର ଅନ୍ୟ କିଛି ସଦସ୍ୟ ମଧ୍ୟ ସେହି ସ୍ମରଣୀୟ ବିଜୟର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଅନ୍ୟତମ ଅଲରାଉଣ୍ଡର୍‌ ସନ୍ଦୀପ ପାଟିଲ୍ କହିଥିଲେ ‘ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ ଦିନ (୨୨ ଜୁନ୍) ମୁଁ ଅର୍ଦ୍ଧଶତକ ହାସଲ କରିଥିଲ। ଏହା ଥିଲା ମୋ ମା’ଙ୍କ ଜନ୍ମଦିନ। ସେ ମୋତେ କହିଥିଲେ ଜୀବନରେ କିଛି ଦେଇନୁ, ମୋତେ ସେହି ଟ୍ରଫି ଚାହେଁ। ମୋ ସହିତ ଜିମ୍ମି (ମହିନ୍ଦର ଅମରନାଥ) ଏବଂ ଯଶପାଲ୍ ଶର୍ମାଙ୍କ ଭଲ ଭାଗୀଦାରି ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ନିର୍ଣ୍ଣାୟକ ହୋଇଥିଲା। ଫାଇନାଲ୍‌ରେ ମ୍ୟାଚ୍‌ ବିଜୟୀ ୱିକେଟ୍ ଅକ୍ତିଆର କରିଥିବା ମହିନ୍ଦର ଅମରନାଥ କହିଥିଲେ ‘ଫାଇନାଲ୍ ବିଜୟ ପରେ ମୁଁ ସ୍ମରଣିକା ଲାଗି ଷ୍ଟମ୍ପ୍ ସଂଗ୍ରହ ପାଇଁ ଦୌଡ଼ିଥିଲି, ପଡ଼ିଆ ଭିତରକୁ ଲୋକମାନେ ଏତେ ମାତ୍ରାରେ ପଶିଗଲେ ଯେ ତାହା ସମ୍ଭବ ହୋଇପାରିଲା ନାହିଁ। କିନ୍ତୁ ବିଶ୍ବ ଚାମ୍ପିଅନ୍ ‌ହୋଇଥିବାରୁ ଅତ୍ୟଧିକ ଖୁସି ହୋଇଥିଲି। ୱିକେଟ କଥା ଛାଡ଼ନ୍ତୁ, ଆମ ପାଇଁ ବିଶ୍ବକପ୍‌ଠାରୁ ଆଉ କିଛି ବଡ଼ ନଥିଲା।’’ ସୂଚନାଯୋଗ୍ୟ, ଅମରନାଥ ଉଭୟ ସେମିଫାଇନାଲ୍ ଓ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଭାରତର ପ୍ରଥମ ବିଶ୍ବକପ୍‌ ବିଜୟର ୪୦ତମ ବାର୍ଷିକୀ ଅବସରରେ ଆଦାନି ଗ୍ରୁପ୍‌ ପକ୍ଷରୁ ୨୦୨୩ ଦିନିକିଆ ବିଶ୍ବକପ୍‌ ପାଇଁ ଆରମ୍ଭ ହୋଇଛି ‘ଜ‌ିତେଙ୍ଗେ ହମ୍‌’ ଅଭିଯାନ। ଏହି ଅବସରରେ ୧୯୮୩ ବିଜୟୀ ଦଳର ଅଧିକାଂଶ ସଦସ୍ୟଙ୍କୁ ସମ୍ବର୍ଧିତ କରାଯାଇଥିବାବେଳେ ସେମାନେ ୨୦୨୩ ଦଳକୁ ମିଳିତ ସମର୍ଥନ କରିବାକୁ ଆହ୍ବାନ ଦେଇଛନ୍ତି। ଏକ ସ୍ବତନ୍ତ୍ର ଉତ୍ସବରେ ବିଶ୍ବ ବିଜେତା କ୍ରିକେଟର୍‌ଙ୍କ ସ୍ବାକ୍ଷରିତ ବ୍ୟାଟ୍‌କୁ କପିଳ ଦେବ ଆଦାନି ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନିଙ୍କୁ ପ୍ରଦାନ କରିଥିଲେ। ପ୍ରଶଂସକମାନେ ୨୦୨୩ ବିଶ୍ବକପ୍‌ ପର୍ଯ୍ୟନ୍ତ ‌ଟ୍ବିଟର୍‌ ଓ ଇନ୍‌ଷ୍ଟାଗ୍ରାମରେ ‘ଜ‌ିତେ‌ଙ୍ଗେ ହମ୍‌’ ଅଭିଯାନରେ ସାମିଲ ହେବାକୁ କୁହାଯାଇଛି।
ନୂଆଦିଲ୍ଲୀ: ୧୯୮୩ ବିଶ୍ବକପ୍‌ ବିଜୟୀ ଦଳରେ ସବୁଠାରୁ ବରିଷ୍ଠ ଖେଳାଳି ଥିଲେ ସୁନିଲ ଗାଭାସ୍କର। ଦିନିକିଆ କ୍ରିକେଟ୍ ସହ ଗାଭାସ୍କର ସେତେଟା ଖାପଖୁଆଇ ପାରିନଥିଲେ ମଧ୍ୟ ଇଂଲିସ୍ ପରିବେଶରେ କପିଳ ଦେବଙ୍କ ଯୁବ ଦଳ ପାଇଁ ଥିଲେ ଅଭିଜ୍ଞତାର ଉତ୍ସ ଏବଂ ଦିଗଦର୍ଶକ। ବିଶ୍ବକପ୍‌ ବିଜୟ ତାଙ୍କ ଜାଜୁଲ୍ୟମାନ ଖେଳ ଜୀବନ ପାଇଁ ଥିଲା ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ବିଶ୍ବକପ୍ ବିଜୟର ୪୦ ବର୍ଷ ପୂର୍ତ୍ତି ଅବସରରେ ଏହି ଲିଟିଲ୍ ମାଷ୍ଟର୍ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଅନେକ କଥା।
ବିଶ୍ବକପ୍‌ ବିଜୟ ମୋ କ୍ରିକେଟ୍‌ ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ। ଏହି ସ୍ମୃତି ସାରା ଜୀବନ ସାଥୀରେ ରହିବ। ବିଶ୍ବକପ୍‌ ଖେଳିବାକୁ ଇଂଲଣ୍ଡ ଗସ୍ତ ପୂର୍ବରୁ ଆମେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବା ଥିଲା ଭିଟାମିନ୍ ଭଳି। ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇବା ଆମ ମ‌ନୋବଳକୁ ଉଚ୍ଚରେ ପହଞ୍ଚାଇ ଦେଇଥିଲା। ମୋ ବ୍ୟକ୍ତିଗତ ପ୍ରଦର୍ଶନ ବିଗତ ଦୁଇ ଥର ଭଳି ଖରାପ ଥିଲା। ମୁଁ ଦିନିକିଆ କ୍ରିକେଟ୍‌ ସହ ଅଭ୍ୟସ୍ତ ହୋଇପାରିନଥିଲି। କିନ୍ତୁ ଯୁବ କପିଳ ଦେବଙ୍କ ସହିତ ମହିନ୍ଦର ଅମରନାଥ, ସୟଦ କିର୍ମାନି, ମଦନ ଲାଲଙ୍କ ଭଳି ବରିଷ୍ଠ ଖେଳାଳି ବଢ଼ିଆ ଖେଳିଥିଲେ। ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ କପିଳ ଦେବଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଚମତ୍କାର ଥିଲା। କପିଳ ଫାଇନାଲ୍‌ରେ ନେଇଥିବା ଭିଭିଆନ୍ ରିଚାର୍ଡସଙ୍କ କ୍ୟାଚ୍‌କୁ ଭୁଲିବାର ନାହିଁ। ତାଙ୍କ ନେତୃତ୍ବ ଥିଲା ଅସାଧାରଣ। ଏହି ଫର୍ମାଟ ପାଇଁ ଯେଭଳି ଆବଶ୍ୟକ ଥିଲା ସେଭଳି କରିଥିଲେ। ଅସଲରେ ସେ କ୍ୟାପଟେନ୍ କୁଲ୍‌।
ଜିମ୍ବାୱେ ବିପକ୍ଷରେ ତାଙ୍କ ୧୭୫* ରନ୍‌ ପାଳି ମୁଁ ଦେଖିଥିବା ଦିନିକିଆ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ପାଳି ହୋଇ ରହିଛି। ଭାରତ ପାଇଁ ଯେଉଁମା‌ନେ ଏହା ପରେ ମ୍ୟାଚ୍ ବିଜୟୀ ଶତକ ହାସଲ କରିଛନ୍ତି ମୁଁ ସେମାନଙ୍କୁ ଅସମ୍ମାନ କରୁନାହିଁ। କପିଳ କିନ୍ତୁ ୧୭/୫ ବିପଦରୁ ଦଳକୁ ଯେଭଳି ବାହାର କରିଥିଲେ ଏହା ଥିଲା ଅବିଶ୍ବସନୀୟ। ଫାଇନାଲ୍‌ରେ ଆମେ ମାତ୍ର ୧୮୩ ରନ୍ କରିବା ପରେ ଡ୍ରେସିଂ ରୁମ୍‌ରେ ନିରାଶା ଥିଲା କିନ୍ତୁ ମୁଁ ସମସ୍ତଙ୍କୁ କହିଥିଲି ‘ଚଲୋ ଜୱାନୋଁ..ଜାଆକେ ଲଢ଼େଙ୍ଗେ…’। ଆଉ ଗର୍ଡନ ଗ୍ରିନିଜଙ୍କୁ ଯେତେବେଳେ ବଲବିନ୍ଦର ସାନ୍ଧୁ ମ୍ୟାଜିକ୍ ସ୍ପେଲ୍‌ ବୋଲିଂ କଲେ ଏହା ଭାରତୀୟ କ୍ରିକେଟ୍‌ର ଐତିହାସିକ ମୁହ‌ୂର୍ତର ଶୁଭାରମ୍ଭ କରିଥିଲା। ୱେଷ୍ଟଇଣ୍ଡିଜ୍ ହ୍ୟାଟ୍ରିକ୍ ବିଶ୍ବକପ୍‌ ବିଜୟରୁ ବଞ୍ଚିତ ହେବାର ଦୁଃଖ ଓ ଅବସୋସକୁ ଏବେ ମଧ୍ୟ କ୍ଲାଇବ୍ ଲୟଡ ଓ ଭିଭିଆନ୍ ରିଚାର୍ଡସ କହିଥାନ୍ତି। ତଥାପି ଭାରତର ଦକ୍ଷତା ଓ କ୍ଷମତାକୁ ସ୍ବୀକାର କରିଥାନ୍ତି।

nis-ad
Leave A Reply

Your email address will not be published.