ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା : ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ୮ ଗୁରୁତର…

ବ୍ରହ୍ମପୁର //ଦିଗପହଣ୍ଡି: ଆଜି ଭୋର ସମୟରେ ଘଟିଛି ବଡ଼ ଦୁର୍ଘଟଣା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ସହିତ ଦୁଇ ବସ୍‌ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଆହତ ହୋଇଛନ୍ତି।ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ପ୍ରାଥମିକ ଅବସ୍ଥାରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ସୂଚନା ଆସିଥିବା ବେଳେ ପରେ ଏହା ୧୨କୁ ବୃଦ୍ଧି ପାଇଥିବା ସ୍ଥାନୀୟ ବାସିନ୍ଦା ସୂତ୍ରରୁ ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ, ରାୟଗଡା ଜିଲ୍ଲା ଗୁଡାରିଠାରୁ ଭୁବନେଶ୍ୱର ଯାଉଥିବା ଓଏସ୍‌ଆର୍‌ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକଠାରେ ବିବାହ ଭୋଜି ସାରି ଫେରୁଥିବା ଏକ ଘରୋଇ ବସ୍‌କୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି ବୋଲି ଖବର ମିଳିଛି । ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତମାନଙ୍କୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ରହିଛି।

ତେବେ ଏହି ଘଟଣା ସଂପର୍କରେ ଓ ଏସ ଆର ଟି ସି ଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୦ ବୋଲି ପ୍ରକାଶ ପାଇଛି। ଆହତମାନଙ୍କର ଚିକିତ୍ସା ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ଚାଲିଥିବା କହାଯାଇଛି। ବ୍ରହ୍ମପୁର ଏସ ପି ଡାକ୍ତର ଶ୍ରବଣ ବିବେକ ଏମ ସ୍ଥାନୀୟ mkcg ମେଡିକାଲ କୁ ଯାଇ ଆହତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଭେଟିବା ସହିତ ମେଡିକାଲ କତୃପକ୍ଷ ଙ୍କ ସହିତ ଆଲୋଚନା କରିଛନ୍ତି l ଜିଲ୍ଲା ପ୍ରଶାସନ ମୃତ ବ୍ୟକ୍ତି ମାନଙ୍କ ପରିଚୟ ଜାଣିବା ପରେ ପରିବାରକୁ ଅବଗତ କରିବା ସହ ଶବ ହସ୍ତାନ୍ତର କରିବାକୁ ଜରୁରୀ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି, ଆହତ ମାନଙ୍କ ଚିକିତ୍ସା ରେ ଯେପରି ଅବହେଳା ନହୁଏ ସେଥି ପ୍ରତି ପ୍ରଶାସନ ପଦକ୍ଷେପ ନେବାସହ ଗୁରୁତର ମାନଙ୍କୁ ଜରୁରୀ ହେଲେ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି ଏବଂ ଏଥି ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତ ଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି

nis-ad
Leave A Reply

Your email address will not be published.