ଅନାଥ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଆମେରିକାର ଦମ୍ପତ୍ତି

କଟକ:କଟକରୁ ଜଣେ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଆମେରିକାର ଦମ୍ପତି । ଅନାଥ ଶିଶୁକନ୍ୟା ଲିଲିଆନାର ନୂଆ ଠିକଣା ଏବେ ଆମେରିକାର ଆଲାବାମା ରାଜ୍ୟସ୍ଥିତ ଓକ୍ଲାହୋମା ସହର । ସେ ପାଇଲା ପରିବାର, ଆବାସ, ପିତାମାତା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ବୋଲି ଶିଶୁଟିକୁ ହସ୍ତାନ୍ତର ଅବସରରେ କଟକ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ପ୍ରକାଶ କରିଥିଲେ । ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ଆମେରିକାର ଆଲାବାମା ରାଜ୍ୟସ୍ଥିତ ଓକ୍ଲାହୋମା ସହରର ଦମ୍ପତ୍ତି ମିଷ୍ଟର ଡ଼େଭିଡ ବ୍ରିୟାଣ୍ଟ କୋଟ୍ଟଲେ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ଆନ୍ନା ଏଲିସ କୋଟ୍ଟଲେ ଲିଲିଆନାକୁ ପୋଷ୍ୟସନ୍ତାନ ରୂପେ ଗ୍ରହଣ କରିଛନ୍ତି । ଶିଶୁକନ୍ୟାକୁ ଖୋର୍ଦ୍ଧା ଶିଶୁ ସୁରକ୍ଷା ସମିତି ଦ୍ୱାରା ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ କଟକ ଶିଶୁଭବନକୁ ହସ୍ତାନ୍ତର କରାଯାଇଥିଲା । ଏ ସମ୍ବନ୍ଧିତ ସୂଚନା ପ୍ରାପ୍ତହୋଇ ଜିଲ୍ଲା ଶିଶୁ ମଙ୍ଗଳ ସମିତି, କଟକ ଶିଶୁଟିର ସେବାଯତ୍ନ ନିମନ୍ତେ କଟକସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ବସୁନ୍ଧରାକୁ ହସ୍ତାନ୍ତର କରିଥିଲେ । ଉକ୍ତ ଶିଶୁକନ୍ୟାକୁ ପୋଷ୍ୟସନ୍ତାନ ରୂପେ ଗ୍ରହଣ କରିବା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତି, କଟକ ତା୪.୦୫.୨୦୨୨ରିଖରେ ଅନୁମତି ପ୍ରଦାନ କରିଥିଲେ ।

ଏହାପରେ କେନ୍ଦ୍ରୀୟ ପୋଷ୍ୟସନ୍ତାନ ସଂଶାଧନ କର୍ତ୍ତୃପକ୍ଷ ୨୦୨୦ ଡିସେମ୍ବର ୧୫ତାରିଖ ଠାରୁ ତା୨୮.୧୧.୨୦୨୪ରିଖ ମଧ୍ୟରେ ବିନା ଆପତ୍ତିରେ ଆମେରିକାର ଦମ୍ପତିଙ୍କୁ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ । ପ୍ରକାଶଥାଉକି ଲିଲିଆନାଙ୍କ ପିତା ପେଷାରେ ଜଣେ ପ୍ରବନ୍ଧ ପରିକ୍ଷକ ଓ ମାତା ପେଷାରେ ନର୍ସ ଭାବେ କାର୍ଯ୍ୟରତ ବୋଲି ଜଣାଯାଇଛି । ଇତିମଧ୍ୟରେ ଲିଲିଆନାର ପାସପୋର୍ଟ ଭୁବନେଶ୍ୱର ପାସପୋର୍ଟ କାର୍ଯ୍ୟାଳୟକୁ ଆବେଦନ କରାଯାଇଥିବା ବେଳେ ଶିଶୁକନ୍ୟାଟିର ଭିସା ଉପଲବ୍ଧ କରିବା ପାଇଁ ଦିଲ୍ଲୀରେ ପ୍ରକ୍ରିୟା ଜାରି ରହିଛି । ନିଜ ପ୍ରତିକ୍ରିୟାରେ ଆମେରିକାର ଦମ୍ପତି ପ୍ରକାଶ କରିଛନ୍ତି ଯେ, ଲିଲିଆନା ସେମାନଙ୍କୁ ଖୁବ ଭଲ ପାଉଛି ଏବଂ ସେମାନେ ମଧ୍ୟ ଲିଲିଆନାକୁ ତତୋଧିକ ଭଲ ପାଉଛନ୍ତି । ଜିଲ୍ଲା ପ୍ରଶାସନକୁ ଗଭୀର କୃତଜ୍ଞତା ଜଣାଇ ଲିଲିଆନାର ନୂତନ ଜୀବନ ଯାତ୍ରାରେ ପ୍ରଶାସନର ସହଯୋଗ ଓ ଆଶୀର୍ବାଦ ଏକ ନୂତନ ପ୍ରେରଣା ବୋଲି କହିଛନ୍ତି ।

ଲିଲିଆନାଙ୍କୁ ଏକ ନୂତନ ଜୀବନ ଓ ଦିଗ୍ଦର୍ଶନ ପ୍ରଦାନ ନିମନ୍ତେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ବସୁନ୍ଧରା, କଟକ ଜିଲ୍ଲା ଶିଶୁ ମଙ୍ଗଳ ସମିତି,ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, କେନ୍ଦ୍ରୀୟ ପୋଷ୍ୟସନ୍ତାନ କର୍ତ୍ତୃପକ୍ଷ,ମାନ୍ୟବର ଜିଲ୍ଲାକୋର୍ଟ, ପାସପୋର୍ଟ ଅଧିକାରୀ ଭୁବନେଶ୍ୱରଙ୍କ ସମେତ ପୋଷ୍ୟସନ୍ତାନ ଗ୍ରହଣ ନିମନ୍ତେ ଦୀର୍ଘଯାତ୍ରାରେ ଅତ୍ୟନ୍ତ ସହଯୋଗ କରୁଥିବା, ତାଙ୍କୁ ଅଭିଭୂତ କରିଛି ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ଶିଶୁହସ୍ତାନ୍ତର କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ପ୍ରମୋଦ କିଶୋର ଆଚାର୍ଯ୍ୟ, ସଦସ୍ୟ ହରିହର ନାୟକ, ବସୁନ୍ଧରା ସାମାଜିକ କର୍ମୀ ଗିରିଧାରୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶିବ ଟୋପୋ, ଉପ-ନିର୍ଦେଶକ, ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଏବଂ ଏହି କାର୍ଯ୍ୟକ୍ରମର ମୁଖ୍ୟ ସଞ୍ଚାଳକ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.