ଅଙ୍ଗନୱାଡି ସହାୟିକା ସଞ୍ଜୁଙ୍କ ପୁଅ ବାଲିମେଳା କଲେଜ୍ +୨ କଳା ବିଭାଗ ଟପ୍ପର…

ମାଲକାନଗିରି/ବାଲିମେଳା:(୧୩/୦୬/୨୦୨୩)
ନିକଟ ଅତୀତରେ ଅର୍ଥାତ୍ ତା୦୮.୦୬.୨୦୨୩ରିଖ ଦିନ ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷାଫଳ। ପୂର୍ବରୁ ଏହା ପ୍ରମାଣିତ ହୋଇ ସାରିଛି ଯେ ଅଦମ୍ୟ ସାହସ , ଅହରହ ଉଦ୍ୟମ , ଅକ୍ଲାନ୍ତ ପରିଶ୍ରମ ଯେ ଦାରିଦ୍ର୍ୟର ବେଡି ଭାଙ୍ଗି ସମସ୍ତ ଘାତ ପ୍ରତିଘାତକୁ ପଛରେ ପକାଇ ସ୍ବପ୍ନ ସାକାରରେ ସହାୟ ହୁଏ ଯାହା ପରବର୍ତ୍ତୀ ସମୟରେ ସଂଘର୍ଷରତ ସଂଘାତମୟ ସଂଗ୍ରାମର ଇତିହାସକୁ ଚିର ଜାଜ୍ଜ୍ୱଲ୍ୟମାନ ଓ ଦୀପ୍ତିମନ୍ତ କରିଥାଏ । ଠିକ୍ ଏଭଳି ଏକ ଅପରୂପ ଉଦାହରଣ ସାଜିଛନ୍ତି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଓସିସି କଲୋନୀର ସଞ୍ଜୁ ମହାରଣାଙ୍କ ଏକ ମାତ୍ର ସନ୍ତାନ ଚନ୍ଦନ ମହାରଣା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ର ବିଜ୍ଞାନ ବିଭାଗ ଫଳାଫଳ ଘୋଷଣା ସମୟରେ ମଧ୍ୟ ଏଭଳି ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା ଯାହା ଚଳିତ ମାସ ୧ ତାରିଖ ଦିନ । ଅର୍ଥାତ୍ ଉକ୍ତ ଘଟଣାରେ ମଧ୍ୟ ବିଜ୍ଞାନ ବିଭାଗରେ କଲେଜ୍ ଟପ୍ପର ହୋଇଥିବା ଚିନ୍ମୟ ଆର୍ଥିକ ଅନଟନ ଭିତରେ ସଫଳତା ପାଇଥିବା ପରିପ୍ରେକ୍ଷୀରେ ବର୍ତ୍ତମାନ କଳା ବିଭାଗ ଟପ୍ପର ଚନ୍ଦନ ମଧ୍ୟ ଆର୍ଥିକ ଦୂରାବସ୍ଥା ଭିତରେ ଛୋଟରୁ ବଡ଼ ହୋଇଛନ୍ତି । ସଂଯୋଗ ବଶତଃ ଚନ୍ଦନଙ୍କ ଘର ମଧ୍ୟ ଚିନ୍ମୟଙ୍କ ଭଳି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଓସିସି କଲୋନୀ । ଏହା ଛଡ଼ା ବିଜ୍ଞାନ ବିଭାଗର ଚିନ୍ମୟ ମୋଟ୍ ୩୯୮ମାର୍କ ରଖିଥିବା ବେଳେ ଚନ୍ଦନ ୪୦୧ମାର୍କ ରଖି ଅନୁଷ୍ଠାନର ଟପ୍ପର ହେବାର ସକ୍ଷମ ହୋଇଛନ୍ତି।

୨୦୧୬ ମସିହାରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଚନ୍ଦନ ଆଜନ୍ମ ମାନସିକ ରୋଗରେ ଶୀକାର ଗ୍ରସ୍ତ ବାପା ସାଇବ ମହାରଣାଙ୍କୁ ସବୁଦିନ ପାଇଁ ହରାନ୍ତି । କିନ୍ତୁ ଅଙ୍ଗନୱାଡି ସହାୟିକା ଭାବେ କାର୍ଯ୍ୟରତ ମାଆ ସଞ୍ଜୁ ଚନ୍ଦନଙ୍କ ଲାଳନ ପାଳନ , ଶିକ୍ଷା ଦୀକ୍ଷାରେ ଋଣ ବାଡ଼ି କରି ମଧ୍ୟ କେବେ ଅଭାବ ଉପଲବ୍ଧି କରିବାକୁ ଦେଇ ନାହାନ୍ତି । ତେବେ ମାଧ୍ୟମିକ ଶିକ୍ଷା ସମୟରୁ ହିଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ କେବଳ ମାଆଙ୍କ ତତ୍ତ୍ଵାବଧାନରେ ଦଶମ ଶ୍ରେଣୀରେ ୩୦୦ ମାର୍କ ରଖି ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ଜୀବନରେ ପ୍ରଶାସନିକ ସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିବାକୁ ଲକ୍ଷ୍ୟ ରଖିଥିବା ଚନ୍ଦନ ପରବର୍ତ୍ତୀ ସମୟରେ ମାଆଙ୍କୁ ଏକୁଟିଆ ନ ରଖିବାକୁ କଥା ଚିନ୍ତା କରି ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ହିଁ କଳା ବିଭାଗରେ ନାମ ଲେଖାନ୍ତି ।

ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ପାଖ ଘରୁ ଅନ୍ୟ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଜରିଆରେ ଚନ୍ଦନଙ୍କ ମାଆଙ୍କ ର ଯୋଗାଯୋଗ ହୁଏ ମେକ୍ ଏ ଫ୍ୟୁଚର୍ କୋଚିଂ ସେଣ୍ଟର୍ ପରିଚାଳକ ସୁଶାନ୍ତ କୁମାର ଡାକୁଆଙ୍କ ସହ । ପରିବାରର ଆର୍ଥିକ ସ୍ଥିତି ଗୋଟିଏ ପାଖରେ ଉଚ୍ଚ ଶିକ୍ଷାରୁ ପଛକୁ ଟାଣୁଥିବା ସମୟରେ ଚନ୍ଦନଙ୍କ ମାଆଙ୍କୁ ଉଜ୍ଜ୍ୱଳ ଭବିଷ୍ୟତର ନିର୍ଭର ପ୍ରତିଶ୍ରୁତି ସହ ସୁବିଧା ମୁତାବକ ଟ୍ୟୁସନ୍ ଫୀ ଦେବାକୁ ପରିଚାଳକ କୁହନ୍ତି । ତା’ପରଠାରୁ ବିଭିନ୍ନ ଘଟଣା ସମ୍ପର୍କରେ ଅନେକ ବିଷୟରେ ଆଲୋଚନା ସମୟରେ ଚନ୍ଦନଙ୍କ କୌତୁହଳ ଏବଂ ଜିଜ୍ଞାସା ଯେତେ ବଢ଼ୁଥାଏ ଅଧ୍ୟବସାୟ ମଧ୍ୟ ଠିକ୍ ସେହି ଢଙ୍ଗରେ ବଢ଼ି ବଢ଼ି ଚାଲିଥାଏ । ଶେଷରେ ସଫଳତା ଭାବେ ୬୦୦ ମୋଟ୍ ମାର୍କରୁ ୪୦୧ ମାର୍କ ରଖି ଟପ୍ପର ଭାବେ ଯୁକ୍ତ ଦୁଇରେ କୃତିତ୍ୱ ହାସଲ କରନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମାଲକାନଗିରି ବାଲିମେଳା ସ୍ଥିତ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର କଳାର ପରୀକ୍ଷା ଫଳ ଆଶାନୁରୂପକ ହୋଇ ନଥିବା ସ୍ଥଳେ ସୂଚନା ମୁତାବକ ଚଳିତ ବର୍ଷ ମୋଟ ୨୭୬ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ସମୁଦାୟ ୯୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇନଥିବା ପରିପ୍ରେକ୍ଷୀରେ ୧୭୬ଜଣ କୃତକାର୍ଯ୍ୟ ହୋଇଛନ୍ତି ଯେଉଁ ମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ରେ ୬ଜଣ,୨ୟ ରେ ୨୧ଜଣ ଓ ୩ୟ ରେ ସର୍ବାଧିକ ୧୫୦ ଜଣ ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି ।
ବର୍ତ୍ତମାନ ଚନ୍ଦନଙ୍କ ସଫଳତା ପାଇଁ ସେ ନିଜେ ଟ୍ୟୁସନ୍ ର ପରିଚାଳକ ଏବଂ ପଢ଼ାରେ ମାର୍ଗଦର୍ଶନ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଥିବା ସହ ମାଆଙ୍କ ସଂଘର୍ଷମୟ ଜୀବନ ହିଁ ତାଙ୍କ ପାଇଁ ପ୍ରମୁଖ ପ୍ରେରଣା ପ୍ରଦାନ କରିଥିବା କହିଛନ୍ତି । ସେପଟେ ଚନ୍ଦନଙ୍କ ମାଆ ସଞ୍ଜୁ ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନଙ୍କ ସହଯୋଗ କାମନା କରିଥିବା ସହ କିଭଳି ଚନ୍ଦନଙ୍କ ଭବିଷ୍ୟତ ନିର୍ମାଣ ହୋଇ ପାରିବ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିନତୀ ଜଣାଇଛନ୍ତି । ଚନ୍ଦନଙ୍କ ଏହି ସଫଳତା ପାଇଁ ବର୍ତ୍ତମାନ ଅଞ୍ଚଳରେ ଏକ ପ୍ରକାରର ଖୁସିର ମାହୋଲ ତିଆରି ହୋଇଥିବା ବେଳେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ମଧ୍ୟ ଛୁଟିଛି ।
ତେବେ ବଣ ମଲ୍ଲୀ ବଣରେ ଫୁଟି ଝଡ଼ି ଯିବା ପୂର୍ବରୁ ତା’ର ସୁଗନ୍ଧ କେବଳ ବଣରେ ସୀମିତ ନରହି ଏହାର ମହକରେ ସମାଜକୁ ମହକାଇବା ନିମନ୍ତେ ଏକ ପ୍ରକୃଷ୍ଟ ମାଧ୍ୟମର ନିହାତି ଆବଶ୍ୟକ ରହିଥାଏ ଏଥିରେ ଦ୍ଵିମତ ନାହିଁ । ଏଣୁ ଚନ୍ଦନଙ୍କ ଆଗାମୀ ଭବିଷ୍ୟତର ରଙ୍ଗୀନ୍ ସ୍ବପ୍ନ ସବୁ ପୂରଣ ଦିଗରେ ଦାରିଦ୍ର୍ୟ ଏକ ଆହ୍ଵାନ ହୋଇ ଯେପରି ଠିଆ ନ ହେଉ ସେ ଦିଗରେ ମାଲକାନଗିରି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି । ଏହା ସହ ଚନ୍ଦନ ଭଳି ଏକ ପ୍ରତିଭା ଆଗାମୀ ଦିନରେ ନିଶ୍ଚିତ ଅନ୍ୟ ଅଭାବୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହୋଇ ପାରିବ ବୋଲି ସମାଜସେବୀ ଟୁକୁଲା ପ୍ରଧାନ , ପି.ସରୋଜିନୀ ଚନ୍ଦ୍ରନ୍ , ତାଙ୍କ ଶିକ୍ଷକ କୁନା ଖରା , ଶିକ୍ଷୟିତ୍ରୀ ଶ୍ୱେତାଲୀନା ସ୍ୱାଇଁ, ଜ୍ୟୋତି ପାଣିଗ୍ରାହୀଙ୍କ ସମେତ ସୁନୀତା ମହାଲଦାର ପ୍ରମୁଖ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସହ ଚନ୍ଦନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

nis-ad
Leave A Reply

Your email address will not be published.