ଟ୍ରେନ୍ ଦୁର୍ଘଟଣାଗ୍ରସ୍ତଙ୍କୁ ରିଲାଏନ୍ସ ଫାଉଣ୍ଡେସନର ସହାୟତା: ୬ ମାସର ରାସନ, ଚିକିତ୍ସା ସହ ଦେବେ ପରିବାରକୁ ଚାକିରି

ମୁମ୍ବାଇ/ ଭୁବନେଶ୍ୱର : ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ଲୋକମାନଙ୍କ ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ ପ୍ରକାର ରିଲିଫ୍ ପଦକ୍ଷେପ ଘୋଷଣା କରିଛି । ଛଅ ମାସ ପର୍ଯ୍ୟନ୍ତ ମାଗଣାରେ ରାସନ, ଆହତମାନଙ୍କୁ ଔଷଧ ଓ ଆବଶ୍ୟକ ସ୍ଥଳେ ଡାକ୍ତରଖାନାରେ ଚିକିତ୍ସା, ଆମ୍ବୁଲାନ୍ସକୁ ମାଗଣାରେ ଇନ୍ଧନ, ୧ ବର୍ଷ ପର୍ଯ୍ୟନ୍ତ ମାଗଣାରେ ମୋବାଇଲ୍ ସଂଯୋଗ ପ୍ରଦାନ ଏବଂ ଏହା ବ୍ୟତୀତ ଜିଓ ଓ ରିଲାଏନ୍ସ ରିଟେଲ୍ ଜରିଆରେ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି ।

ରିଲାଏନ୍ସ ଫାଉଣ୍ଡେସନ (ଆର୍‌ଏଫ୍‌)ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ଯେ, “ଅତ୍ୟନ୍ତ ଦୁଃଖ ଓ ଭାରି ହୃଦୟ ସହ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ମୁଁ ଓଡ଼ିଶାର ଦୁଃଖଦ ଟ୍ରେନ୍ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକୁ ମୋର ଗଭୀର ସମବେଦନା ଜଣାଉଛି । ଏହି ଦୁର୍ଘଟଣା ବିଷୟରେ ଜାଣିବା ପରେ କ୍ଷେତ୍ର ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ଆମର ସ୍ୱତନ୍ତ୍ର ବିପର୍ଯ୍ୟୟ ପରିଚାଳନା ଟିମ୍‌କୁ ତୁରନ୍ତ ମୂତୟନ କରାଯାଇଥିଲା । ଆମର ଟିମ୍ ଚବିଶ ଘଂଟା ଆହତମାନଙ୍କୁ ସହାୟତା ଓ ସହଯୋଗ ଜାରି ରଖିଛି ।

ଏହି ଦୁଃଖଦ ଘଟଣାର କ୍ଷତିକୁ ଯଦିଓ ଆମେ ଭରଣା କରିପାରିବୁ ନାହିଁ, କିନ୍ତୁ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସେମାନଙ୍କ ଜୀବନକୁ ପୁଣି ଥରେ ଗଢ଼ି ତୋଳିବା ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବାରେ ସାହାଯ୍ୟ କରିବା ଲାଗି ଆମେ ପୂର୍ଣ୍ଣ ପ୍ରତିବଦ୍ଧ ରହିଛୁ । ଏହି ଦୁର୍ଭାଗ୍ୟଜନକ ଘଟଣାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ପ୍ରତି ଆମର ଅତୁଟ ସମର୍ଥନ ପ୍ରଦାନ କରିବା ସହିତ ଏହାକୁ ଆମର ଏକମାତ୍ର ଲକ୍ଷ୍ୟ ଭାବେ ଗ୍ରହଣ କରି ଆମେ ୧୦-ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କରିଛୁ । ଏହି କଠିନ ସମୟରେ ଆମ ଫାଉଣ୍ଡେସନ ଓ ବର୍ଦ୍ଧିତ ରିଲାଏନ୍ସ ପରିବାର ପ୍ରଭାବିତ ଲୋକମାନଙ୍କ ସହିତ ଏକଜୁଟ ହୋଇ ଠିଆ ହୋଇଛି ।’’

nis-ad
Leave A Reply

Your email address will not be published.