ଟାଟା ଷ୍ଟିଲ ମାଇନିଙ୍ଗ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ

ବ୍ରହ୍ମପୁର : ଟାଟା ଷ୍ଟିଲ ମାଇନିଙ୍ଗ ର ଗୋପାଳପୁର ଫେରୋ ଆଲଏଜ୍ ପ୍ଲାଣ୍ଟ ପକ୍ଷରୁ ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର କର୍ମଚାରୀମାନେ ପ୍ଲାଣ୍ଟ ପରିସର ତଥା ଏହାର ଆଖପାଖରେ ରେ ବିଭିନ୍ନ ଚାରା ଲଗାଇବା ସହ ପରିବେଶ ସୁରକ୍ଷା ଶପଥ ନେଇଛନ୍ତି।

ବିଶ୍ବରେ ବଢୁଥିବା ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ତଥା ପରିବେଶ ଉପରେ ଏହାର ପ୍ରଭାବ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବ୍ରହ୍ମପୁର ଜୋନ୍ ଅଧୀନରେ ବ୍ରହ୍ମପୁର ଆଇ ଟି ଆଇ ଗ୍ରାଉଣ୍ଡ ଠାରେ ଆୟୋଜନ କରା ଯାଇଥିବା ବିଶାଳ ଜନ ସଚେତନତା ରାଲିରେ କମ୍ପାନୀର କର୍ମଚାରୀମାନେ ଭାଗନେଇ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଇ ଟି ଆଇର ପ୍ରଶିକ୍ଷାର୍ଥୀ ମାନଙ୍କ ସହ ଆଖପାଖ ସ୍କୁଲର ଛାତ୍ରଛାତ୍ରୀ, ଶିଳ୍ପାନୁଷ୍ଠାନ ତଥା ବିଭିନ୍ନ ଅଣସରକାରୀ ସଂଗଠନ ମାନେ ଯୋଗଦେଇ ଏହି ବର୍ଷର ଥିମ୍ “ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ୍” ଉପରେ ଲୋକମାନଙ୍କୁ ସଚେତନ କରାଇଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟର ସହ ପରିବେଶ ଯନ୍ତ୍ରୀ ଦୀପକ କୁମାର ସାହୁ ପ୍ଲାଷ୍ଟିକ ବ୍ୟବହାରର ବିଭିନ୍ନ ନକରାତ୍ମକ ପ୍ରଭାବ ଓ ଏଥିପାଇଁ ଆବଶ୍ୟକ ଜରୁରୀ ପଦକ୍ଷେପ ଗୁଡ଼ିକ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ଅବସରରେ ଟାଟା ଷ୍ଟିଲ ମାଇନିଙ୍ଗ ଗୋପାଳପୁର ଫେରୋ ଆଲଏଜ୍ ପ୍ଲାଣ୍ଟର ୟୁନିଟ୍ ହେଡ୍ ଅଟଲା ରାମବାବୁ ପ୍ଲାଷ୍ଟିକ ପ୍ରଦୂଷଣ ଦ୍ଵାରା ପରିବେଶ ଉପରେ ପଡୁଥିବା କୁପ୍ରଭାବ ଉପରେ ଆଲୋକପାତ କରିଥିଲେ।

ଲୋକମାନଙ୍କୁ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ପାଇଁ ପ୍ରବର୍ତ୍ତାଇବା ଓ ପ୍ଲାଷ୍ଟିକ ବର୍ଜନ କରି ଝୋଟ ତଥା କପଡା ବ୍ୟାଗର ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ କ୍ଷୁଦ୍ର ନାଟକ ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ସମସ୍ତେ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.