ପଙ୍କରେ ଫୁଟିଛି ପଦ୍ମ : ଅଭାବ ଓ ଦାରିଦ୍ର୍ୟ ଭିତରେ ସଫଳତା ପାଇଛନ୍ତି ଚିନ୍ମୟ

ମାଲକାନଗିରି/ବାଲିମେଳା:୦୧/୦୬/୨୦୨୩) ପ୍ରତିକୂଳ ପରିସ୍ଥିତି ଯେ ପଙ୍କରେ ପଦ୍ମର ସମ୍ଭାବନା ସୃଷ୍ଟି କରିପାରେ ତାହା କେବଳ ଆଜି ନୁହେଁ ଇତିହାସରୁ ହିଁ ପ୍ରମାଣ ମିଳେ । ଅଦମ୍ୟ ସାହସ , ଅହରହ ଉଦ୍ୟମ , ଅକ୍ଲାନ୍ତ ପରିଶ୍ରମ , ଅବିରତ ସଂଘର୍ଷ କେବଳ ଦାରିଦ୍ର୍ୟର ବେଡି ଭାଙ୍ଗି ସମସ୍ତ ଘାତ ପ୍ରତିଘାତ ପଛରେ ପକାଇ ସ୍ବପ୍ନ ସାକାରରେ ସହାୟ ହୁଏ ତାହା ପୁଣିଥରେ ଆଜି ପ୍ରମାଣ କରିଛନ୍ତି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଓସିସି କଲୋନୀର ଚିନ୍ମୟ ଗୌଡ । ୧୨ନଂ ୱାର୍ଡ଼ର କୁନି ଗୌଡ଼ଙ୍କ ଏକ ମାତ୍ର ପୁଅ ଚିନ୍ମୟ ଯେତେବେଳେ ଦେଢ଼ ବର୍ଷ ବୟସର ହୋଇଥାଏ ସେତେବେଳେ ବାପା ବିପିନ୍ ଗୌଡ଼ ଘର ଛାଡି କୁଆଡ଼େ ଚାଲି ଯାଆନ୍ତି । ବହୁତ୍ ଖୋଜାଖୋଜି ପରେ ସୁଦ୍ଧା ବିପିନ୍ ଙ୍କ ସନ୍ଧାନ ମିଳେନି । ତେବେ ଦୁନିଆକୁ ନିଜ ଆଖିରେ ଦେଖିବା ପୂର୍ବରୁ , ସମାଜର ଚାଲି ଚଳଣିକୁ ହାତ ଧରି ବୁଝାଇବା ପୂର୍ବରୁ ବାପାଙ୍କଠାରୁ ଦୂରେଇ ଯିବାର ଦୁଃଖ ଓ ବାପାଙ୍କ ଅନୁଶାସନରୁ ବଞ୍ଚିତ ଚିନ୍ମୟ ମାଆଙ୍କ ସ୍ନେହ , ଆଦର ଓ ଯତ୍ନରେ ଛୋଟରୁ ବଡ଼ କରିଥିବା ପୁଅଟି ଆଜି ମାଆଙ୍କ ଆଜୀବନର କଷ୍ଟକୁ ଏକ ପ୍ରକାରର ଲାଘବ କରିବାରେ ସକ୍ଷମ ହୋଇଛନ୍ତି । ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ଅଧ୍ୟୟନରତ ଚିନ୍ମୟ ଚଳିତ ବର୍ଷ ଅନୁଷ୍ଠାନର ଖୁବ୍ ବଳିଷ୍ଠ ଓ ସମ୍ବଳଯୁକ୍ତ ବିଜ୍ଞାନ ବିଭାଗର ସମସ୍ତ ଶିକ୍ଷାର୍ଥୀଙ୍କୁ ପଛରେ ପକାଇ ମୋଟ୍ ୬୦୦ ରୁ ୩୯୮ ମାର୍କ ରଖି ଅନୁଷ୍ଠାନର ଟପ୍ପର ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି । ଦଶମ ଶ୍ରେଣୀରେ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରୁ ୭୦% ମାର୍କ ରଖି ଉତ୍ତୀର୍ଣ୍ଣ ହେଉଥିବା ଚିନ୍ମୟ ପରିବାରର ଆର୍ଥିକ ଦୂରାବସ୍ଥା ତଥା ମାଆଙ୍କର ଏକ ମାତ୍ର ସାହାରା ହୋଇଥିବା କାରଣରୁ ଅନ୍ୟ କୌଣସି ବାହାର ଅନୁଷ୍ଠାନରେ ନାମ ଲେଖାଇବା ପୂର୍ବରୁ ନିଜ ଘର ଠାରୁ ପ୍ରାୟ ୫କି.ମି. ଦୂରରେ ଥିବା ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର +୨ ବିଜ୍ଞାନ ବିଭାଗରେ ନାମ ଲେଖାନ୍ତି।
ଠିକ୍ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମଣି ସହ କାଞ୍ଚନର ସଂଯୋଗ ହେବା ଭଳି ବେଦାଂଶ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ୍ ର ପ୍ରତିଷ୍ଠାତା ଶ୍ରୀ ଦେବୀ ସ୍ୱାଇଁଙ୍କ ଯୋଗାଯୋଗରେ ଚିନ୍ମୟ ଆସିବା ପରେ ଛୁଆଟିର ପଢ଼ାରେ ଆଗ୍ରହ ଦେଖି ଶ୍ରୀ ସ୍ୱାଇଁ ଅଧା ଟ୍ୟୁସନ୍ ଫି ରେ ତାଙ୍କୁ ପଢ଼ାଇବାର ପ୍ରତିଶୃତି ଦେଇଥିଲେ । କାଳକ୍ରମେ ଇନଷ୍ଟିଚ୍ୟୁଟ୍ ର ସମସ୍ତ ଶିକ୍ଷକଙ୍କ ପ୍ରିୟର ଭାଜନ ହୋଇ ଚିନ୍ମୟ ପଢ଼ାରେ ବେଶ୍ ମନୋନିବେଶ କରନ୍ତି । ସେପଟେ ତାଙ୍କ ମାଁ ଘର ପାଖ ଗୋଟିଏ ମିଠା ଦୋକାନ ରେ କାମ କରି ଦୁଇ ପ୍ରାଣୀ ବିଶିଷ୍ଟ ପରିବାର ପ୍ରତିପୋଷଣ ନିମନ୍ତେ ପ୍ରତିବଦ୍ଧ ଥିବା ବେଳେ ଅବସର ସମୟରେ ଦିନ ମଜୁରିଆ ହୋଇ, କାହା ବିଲରେ କାମ କରି ପୁଅର ପଢ଼ା ଖର୍ଚ୍ଚ ତୁଲାଇବା ନିମନ୍ତେ ବଦ୍ଧପରିକର ହୋଇଯାଆନ୍ତି । ତେବେ ଶେଷରେ ପରିଶ୍ରମର ମୂଲ୍ୟ କେବେ ନଷ୍ଟ ହୁଏନି ବରଂ ନିଶ୍ଚିତ ଭାବେ ଉପଯୁକ୍ତ ପ୍ରତିଦାନ ହୋଇ ଆଜି ଚିନ୍ମୟଙ୍କ କୃତିତ୍ୱ ଜରିଆରେ ସାମ୍ନାକୁ ଆସିଛି । କଠିନ ପରିଶ୍ରମ ଆଜି ଅଭାବ ଓ ଦାରିଦ୍ର୍ୟକୁ ଉପେକ୍ଷା କରି ସଫଳତାର ଶୀର୍ଷ ସ୍ଥାନ ଅଧିକାର କରାଇବାର ପ୍ରଧାନ ପରିଚାୟକ ଯେ ହୋଇଥାଏ ଏହି କାହାଣୀରେ ନୂଆ ଅଧ୍ୟାୟ ଭାବେ ଯୋଡ଼ି ହୋଇଛି ଚିନ୍ମୟଙ୍କ କାହାଣୀ ।
ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ମୋଟ୍ ୧୨୮ ଜଣ ଶିକ୍ଷାର୍ଥୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ବେଳେ ମାତ୍ର ୪୪ ଜଣ ଶିକ୍ଷାର୍ଥୀ ପାସ୍ ହୋଇଛନ୍ତି ଓ ଅବଶିଷ୍ଟ ଫେଲ୍। ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଚିନ୍ମୟ ନିଜ ସଫଳତାର ସମସ୍ତ ଶ୍ରେୟ ମାଙ୍କ ପ୍ରେରଣା ଓ ବେଦାଂଶ ଇନଷ୍ଟିଚ୍ୟୁଟ୍ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଥିବା ବେଳେ ଆଗାମୀ ଦିନରେ ଜଣେ ପ୍ରାଧ୍ୟାପକ ହୋଇ ସମାଜରେ ଦାରିଦ୍ର୍ୟତା କାରଣରୁ ବଞ୍ଚିତ ଓ ଶୋଷିତ ଛୁଆ ମାନଙ୍କ ଭବିଷ୍ୟତ ନିର୍ମାଣରେ ନିଜ ଜୀବନକୁ ଉତ୍ସର୍ଗ କରିବାରେ ନିଜକୁ ନିୟୋଜିତ କରିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ତେବେ ତାଙ୍କ ସଫଳତା ପାଇଁ ବର୍ତ୍ତମାନ ଅଞ୍ଚଳରେ ଏକ ଖୁସିର ମାହୋଲ ତିଆରି ହୋଇଥିବା ବେଳେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ତେବେ ବଣ ମଲ୍ଲୀ ବଣରେ ଫୁଟି ଝଡ଼ି ଯିବା ପୂର୍ବରୁ ତା’ର ସୁଗନ୍ଧ କେବଳ ବଣରେ ସୀମିତ ନରହି ଏହାର ମହକରେ ସମାଜକୁ ମହକାଇବା ନିମନ୍ତେ ଏକ ପ୍ରକୃଷ୍ଟ ମାଧ୍ୟମର ନିହାତି ଆବଶ୍ୟକ ରହିଥାଏ ଏଥିରେ ଦ୍ଵିମତ ନାହିଁ । ଏଣୁ ଚିନ୍ମୟଙ୍କ ଆଗାମୀ ଭବିଷ୍ୟତର ରଙ୍ଗୀନ୍ ସ୍ବପ୍ନ ସବୁ ପୂରଣ ଦିଗରେ ଦାରିଦ୍ର୍ୟ ଏକ ଆହ୍ଵାନ ହୋଇ ଯେପରି ଠିଆ ନ ହେଉ ସେ ଦିଗରେ ମାଲକାନଗିରି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି । ଏହା ସହ ଚିନ୍ମୟ ଭଳି ଏକ ପ୍ରତିଭା ଆଗାମୀ ଦିନରେ ଅନ୍ୟ ଅଭାବୀ ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରେରଣା ହୋଇ ପାରିବ ବୋଲି ସମାଜସେବୀ ଟୁକୁଲା ପ୍ରଧାନ , ପି.ସରୋଜିନୀ ଚନ୍ଦ୍ରନ୍ , ସୁଧାସିନୀ ମହାରଣା ଓ ଅବିନାଶ ବେହେରା ପ୍ରମୁଖ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସହ ଚିନ୍ମୟଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

nis-ad
Leave A Reply

Your email address will not be published.