ଏନ୍‌ଡିଏକୁ ୨୫ ବର୍ଷ; କୌଣସି ମେଣ୍ଟ ଏତେଦିନ ତିଷ୍ଠିନି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ) ଗଠନ ହେବାର ଏଥିମଧ୍ୟରେ ୨୫ ବର୍ଷ ପୂରିଛି। ୧୯୯୮ ମସିହା ମେ ୧୫ ତାରିଖରେ ଏହି ମେଣ୍ଟ ଗଠନ ହୋଇଥିଲା। ଗତକାଲି ବିଜେପି ନେତୃତ୍ବାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କର ଛଅଘଣ୍ଟା ବ୍ୟାପୀ ଅନୁଷ୍ଠିତ ଏକ ବୈଠକରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ରାଜନୈତିକ ମେଣ୍ଟ ଏତେଦିନ ଯାଏ ତିଷ୍ଠିପାରି ନାହିଁ। ଆଞ୍ଚଳିକ ଆଶା-ଆକାଂକ୍ଷା ଉପରେ ବିଜେପି ଗୁରୁତ୍ବାରୋପ କରିଆସୁଛି। ତେଣୁ ଏହା ଆଞ୍ଚଳିକ ଦଳଗୁଡ଼ିକ ସହ ସ୍ବଚ୍ଛନ୍ଦ ନୁହେଁ ବୋଲି କହିହେବ ନାହିଁ। ଆମେ ଆଞ୍ଚଳିକ ଦଳଗୁଡ଼ିକ ସହ ଏପରି ବ୍ୟବହାର କରିବା ଉଚିତ ଯେପରି ସେମାନେ ଭାବିବେ ଆମେ ସେମାନଙ୍କ ମାନସିକତା ବୁଝୁଛୁ। ମୁଖ୍ୟମନ୍ତ୍ରୀମାନେ କୌଣସି ଜନମଙ୍ଗଳ କ‌ାର୍ଯ୍ୟ ବାବଦରେ ନିଷ୍ପତ୍ତି ନେବା ବେଳେ ରାଜ୍ୟ ଏମ୍‌ପିମାନଙ୍କର ମଧ୍ୟ ପରାମର୍ଶ ନେବା ଉଚିତ ବୋଲି ମୋଦୀ କହିଛନ୍ତି।

ବିଜେପିର ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବାର ଅଭ୍ୟାସ ଯୋଗୁ ୱାଇଏସ୍‌ଆର୍‌ସିପି, ଜେଡିଏସ୍, ବିଜେଡି, ବିଏସ୍‌ପି, ଅକାଳୀ ଦଳ ଓ ଟିଡିପି ପରି ଆଞ୍ଚଳିକ ଦଳ ନୂତନ ସଂସଦ ଭବନ ଉଦ୍‌ଘାଟନ ସମୟରେ ବିଜେପିକୁ ଏକଘରିଆ କରିବା ପାଇଁ କଂଗ୍ରେସର ଡାକରାକୁ କର୍ଣ୍ଣପାତ କରି ନ ଥିଲେ। ଅନେକ ସମୟରେ ଉନ୍ନୟନମୂଳକ କାର୍ଯ୍ୟ ଲାଗି ନିଷ୍ପତ୍ତି ନେବା ସମୟରେ ମୁଖ୍ୟମନ୍ତ୍ରୀମାନେ ଏମ୍‌ପିମାନଙ୍କ ଅପେକ୍ଷା ବିଧାୟକମାନଙ୍କୁ ଅଧିକ ଗୁରୁତ୍ବ ଦେଇଥାନ୍ତି। କିନ୍ତୁ ଏମ୍‌ପିମାନଙ୍କୁ ବି ସମାନ ଗୁରୁତ୍ବ ପ୍ରଦାନ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି।

ମୋଦୀ କହିଛନ୍ତି, ଏନ୍‌ଡିଏ ଗଠନ ହେବାର ଇତିମଧ୍ୟରେ ୨୫ ବର୍ଷ ପୂରଣ ହୋଇଛି। ଏହାକୁ ଖୁବ୍ ବଡ଼ ଆକାରରେ ପାଳନ କରାଯିବା ଉଚିତ। କାରଣ ଏନ୍‌ଡିଏ ବ୍ୟତୀତ କୌଣସି ମେଣ୍ଟ ଆଜିଯାଏ ଏତେଦିନ ଏକାଠି ରହିପାରି ନାହାନ୍ତି। ତେଣୁ ଦଳ ପକ୍ଷରୁ ଏହାକୁ ଧୁମଧାମରେ ପାଳନ କରାଯିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ଏହି ବୈଠକ ଥିଲା ବିଜେପିର ସୁଶାସନ ଏଜେଣ୍ଡାର ଅଂଶ, ଯେଉଁଥିରେ ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ ରୂପାୟନ ବିଷୟରେ ଆଲୋକପାତ କରିଥିଲେ। ଏହି ବୈଠକରେ ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜସଭା ସାଂସଦ ବିନୟ ସହସ୍ରବୁଦ୍ଧେ, ଦଳ ସାଧାରଣ ସମ୍ପାଦକ (ସଂଗଠନ) ବିଏଲ୍‌ ସନ୍ତୋଷ ଓ ସାଧରଣ ସମ୍ପାଦକ ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହରିୟାଣାର ମନୋହରଲାଲ ଖଟ୍ଟର, ଆସାମର ହିମନ୍ତ ବିଶ୍ବଶର୍ମା, ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନ ଓ ଉତ୍ତରାଖଣ୍ଡର ପୁଷ୍କର ସିଂହ ଧାମି ପ୍ରମୁଖ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଉତ୍ତରପ୍ରଦେଶର କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ପ୍ରମୁଖ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.