ଆରମ୍ଭ ହେଲା ମୋ ଘର ଯୋଜନା

ଭୁବନେଶ୍ବର: ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ମୋ ଘର ଉପହାର। ଆରମ୍ଭ ହେଲା ମୋ ଘର ଯୋଜନା। ଏହାକୁ ମିଳିଲା କ୍ୟାବିନେଟ ଅନୁମୋଦନ। ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାପଦଣ୍ଡ ଯୋଗୁ ବାଦ୍‌ ପଡିଥିବା ଏବଂ ସ୍ୱଳ୍ପ ଗୃହ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ପରିବାର ଏହା ଦ୍ୱାରା ଉପକୃତ ହେବେ। ଏହାସହ ବିଗତ ବର୍ଷରେ ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଘରର ଉନ୍ନତିକରଣ କରିପାରିବେ।

ଆବେଦନକାରୀଙ୍କୁ ସରକାରଙ୍କ ସବ୍‌ସିଡି ଥିବା ଗୃହ ଋଣ ମିଳିବ। ସବ୍‌ସିଡି ରାଶି ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିବେ। ମୋ ଘର ଯୋଜନାରେ ନୂଆ ଘର ନିର୍ମାଣ କିମ୍ବା ବର୍ତ୍ତମାନ ଥିବା ଗୃହର ସମ୍ପ୍ରସାରଣ କରି ହେବ। ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ। ପ୍ରଥମ ବର୍ଷ ରିହାତି ଅବଧିକୁ ବାଦ୍‌ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ପଡିବ। ଏହି ଯୋଜନାରେ ଏକ ଲକ୍ଷ, ଦେଢ଼ ଲକ୍ଷ ଓ ୨ ଲକ୍ଷ ଓ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ରହିଛି। ଆବେଦନକାରୀ କୌଣସି ଗୋଟିଏ ପ୍ରକାର ଋଣ ନେଇ ପାରିବେ।

ଅନୁସୂଚିତ ଜାତି ଓ ଜନଜାତି ପରିବାର କିମ୍ବା ପରିବାର ମୁଖିଆ ଯଦି ଭିନ୍ନକ୍ଷମ ହୋଇଥିବେ ତେବେ ଅତିରିକ୍ତ ସବ୍‌ସିଡି ମିଳିବ। ମୋ ଘର ଯୋଜନା ପାଇଁ ଆସନ୍ତା ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ। rhodisha.gov.in/moghara ୱେବ୍‌ସାଇଟ୍‌ରେ ପଞ୍ଜିକରଣ କରିବାକୁ ପଡିବ। ଆବେଦନକାରୀ ନିଜେ କିମ୍ବା ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରିପାରିବେ। ପ୍ରାୟ ୪ ଲକ୍ଷ ହିତାଧିକାରୀଙ୍କ ପାଇଁ ଦୁଇ ବର୍ଷ ମଧ୍ୟରେ ୨୧୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

nis-ad
Leave A Reply

Your email address will not be published.