ପାହାଡ଼ ଚଢ଼ି ଯାଇ ପାରୁ ନାହିଁ 5T : ପଦ୍ମପୁର ଗାଆଁରେ ଅପହଞ୍ଚ ବିକାଶ

ମାଲକାନଗିରି(୨୭/୦୫) : ସ୍ୱାଧୀନତାର ୭୫ବର୍ଷ ପରେ ଦେଶ ଯେତେବେଳେ ଆଜାଦୀର ଅମୃତ ମହୋତ୍ସବରେ ଉତ୍ସବ ମୁଖରିତ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୌଳିକ ସୁବିଧାରୁ କିଛି ଅଞ୍ଚଳ ବଞ୍ଚିତ ରହିବା ନିହାତି ଅବିଶ୍ବାସ ଯୋଗ୍ୟ ହେଲେ ସୁଦ୍ଧା ଅନେକ ସମୟରେ ଏଭଳି ଘଟଣା ଲୋକ ଲୋଚନକୁ ଆସୁଛି । ତେବେ ଯାହା ମଧ୍ୟ ହେଉ ବିଗତ ୨୦୧୮ ରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ମାଲକାନଗିରି ଭଳି ଏକ ମାଓ ଉପଦ୍ରୁତ, ଆଦିବାସୀ ଅଧ୍ୟୁଷିତ, ଉପାନ୍ତ ଜିଲ୍ଲା ବର୍ତ୍ତମାନ ବିକାଶର ମୁଖ୍ୟ ବିନ୍ଦୁରେ ରହିଥିବା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଅନେକ ଥର ଶୁଣିବାକୁ ମିଳିଛି। ଏହା ଛଡ଼ା ରାଜ୍ୟର 5T ସଚିବ ଗତ ମାସରେ ଆସି କେତେ ଯେ ବିକାଶ ମୂଳକ କାର୍ଯ୍ୟର ବିନ୍ଧାଣୀ ବା ବିଶ୍ଵକର୍ମା ହୋଇ ଚାଲିଗଲେ ସମସ୍ତ ଗଣମାଧ୍ୟମରେ ତାହାର ଖୁବ୍ ପ୍ରଚାର ପ୍ରସାର ମଧ୍ୟ ହେଲା । ଏହା ସତ୍ତ୍ଵେ ମଧ୍ଯ ମାଲକାନଗିରି ଜିଲ୍ଲା ତଥା ମାଲକାନଗିରି ପଞ୍ଚାୟତ ସମିତିର ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗାଆଁ ଆଜି ମଧ୍ୟ ସରକାର ଓ ପ୍ରଶାସନଙ୍କ ନଜରକୁ ଆସିବାରେ ଅକ୍ଷମ ହୋଇ ଯାଇଛି । ଯାହା ଆମେ ନୁହେଁ ବରଂ ଗାଆଁର ରାସ୍ତା ଘାଟ ଓ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ହିଁ ବୟାନ କରୁଛି । ବନ୍ଧଗୁଡ଼ା ଗ୍ରାମରୁ ଏକ ପିଚୁ ରାସ୍ତା ପାଖାପାଖି ଦେଢ଼ କି.ମି. ଯାଏଁ ଯାଇ ଅସମ୍ପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇଯାଇଛି । ଅର୍ଥାତ୍ ଗ୍ରାମୀଣ ପରିବେଶ ଏକ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରୁଛି ଯେ , ଏକ ସମାଜକୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ନିମନ୍ତେ ପ୍ରକୃତରେ ୭୫ ବର୍ଷ ଯଥେଷ୍ଟ ନୁହଁ କି ? ଯେଉଁ କ୍ଷେତ୍ରରେ ଆଜି ମଧ୍ୟ ଗାଆଁର ଗର୍ଭବତୀ , ପ୍ରସୂତି ମହିଳା ପାହାଡ଼ର ଅଣଓସାରିଆ ପଥୁରିଆ ରାସ୍ତା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି ତେବେ ଏହା ହିଁ କ’ଣ ମୁଖ୍ୟମନ୍ତ୍ରୀଙ୍କ ମାଁକୁ ସମ୍ମାନ ! ନା ଜଳ ସେଚନରୁ ବଞ୍ଚିତ ରହି କେବଳ ବର୍ଷା ଅପେକ୍ଷାରେ ମାସ ମାସ କାଳାତିପାତ କରୁଥିବା ନିରୀହ ଆଦିବାସୀଙ୍କ ଗାଆଁକୁ କାମ !!


ଏଠାରେ ପ୍ରକାଶ ଯୋଗ୍ୟ ଯେ , ସରକାରୀ ଯୋଜନାରେ ଆଦିବାସୀ ବିକାଶ ନିମନ୍ତେ ଯୋଜନା ଦେଖିବାକୁ ଗଲେ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶହ ଶହ ଯୋଜନା ରହିଥିବା ବେଳେ ପରୋକ୍ଷ ଭାବେ NGO ମାନଙ୍କ ଦ୍ଵାରା ମାଳ ମାଳ ଯୋଜନା ଆଜି ସମୟରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ।

କେନ୍ଦ୍ର ଯୋଜନାକୁ ଅନୁଧ୍ୟାନ କଲେ ଜଣା ପଡ଼େ ଯେ , ଗ୍ରାମ୍ୟ ସଂଯୋଗୀକରଣ ପ୍ରକ୍ରିୟାରେ ୨୦୦୦ ମସିହାରେ ତତ୍କାଳୀନ କଂଗ୍ରେସ ଶାସନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନର ଭା.ଜ.ପା. ଶାସନରେ ୨୦୧୯ ସୁଦ୍ଧା ଉକ୍ତ ଯୋଜନା ତୃତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଛି । ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ କେନ୍ଦ୍ର ମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତି ରାଜ୍ୟସଭା ନିକଟରେ ଲିଖିତ ଦାଖଲ କରିଥିବା ତଥ୍ୟ ମୁତାବକ ୨୧.୦୭.୨୦୨୨ ସୁଦ୍ଧା ସାରା ଦେଶରେ ୭ଲକ୍ଷ ୯୩ହଜାର ୫୬୮ କି.ମି. ଦୈର୍ଘ୍ୟ ବିଶିଷ୍ଟ ୧ଲକ୍ଷ ୮୪ହଜାର ୫୬ଟି ରାସ୍ତା ସମେତ ୧୦ହଜାର ୮୨ଟି ବ୍ରିଜ୍ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧିନରେ ଅନୁମୋଦିତ ହୋଇ ସାରିଛି । ଏହା ସମେତ ୨୦୨୧ ମସିହା ସେପ୍ଟେମ୍ବର ମାସରେ ନେସନାଲ ବ୍ୟାଙ୍କ୍ ଫର୍ ଏଗ୍ରିକଲଚର୍ ଆଣ୍ଡ ରୁରାଲ୍ ଡେଭଲପମେଣ୍ଟ ( ନାବାର୍ଡ ) ସଂସ୍ଥା ତରଫରୁ ୨୦୬ କୋଟି ଟଙ୍କା ଆମ ରାଜ୍ୟର ୧୭୨୩ ଗୋଟି ଗାଆଁର ୨୦.୪୮ଲକ୍ଷ ଗ୍ରାମବାସୀଙ୍କ ଉନ୍ନତିକରଣ ନିମଣ୍ଟେ ସମୁଦାୟ ୨୦୩କି.ମି. ଦୈର୍ଘ୍ୟ ବିଶିଷ୍ଟ ୨୫ଟି ରାସ୍ତା ନିର୍ମାଣ ପାଇଁ ଅନୁମୋଦନ କରିଥିଲେ । କିନ୍ତୁ ବିଡମ୍ବନା ହେଲା, ଏତେ ସତ୍ତ୍ଵେ ଜନସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ପକ୍କା ରାସ୍ତା ଖଣ୍ଡେ ଆଜି ମଧ୍ୟ ତିଆରି ହୋଇ ପାରିଲା ନାହିଁ ଯେଉଁ କାରଣରୁ ପାହାଡ଼ କାଟି ପଦ୍ମପୁର ଗ୍ରାମର ଗ୍ରାମବାସୀ ବିପଦ୍ଜନକ ଏବଂ ଦୁର୍ଗମ ରାସ୍ତାରେ ଜୀବନକୁ ବାଜି ଲଗାଇ ଗମନାଗମନ କରୁଛନ୍ତି ।
ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କେତେବେଳେ ଏଠାକାର ସୋନ୍ଦର୍ଯ୍ୟଭରା ପ୍ରାକୃତିକ ସମ୍ପଦ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ କେତେବେଳେ ଏହା ଗଞ୍ଜେଇ ତ ଆଉ କେତେବେଳେ ଏହା ନକ୍ସଲ୍ ପ୍ରବଣତା ପାଇଁ ରାଜ୍ୟରେ ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ରହି ଆସିଛି । ବିଗତ କିଛି ଦିନ ତଳେ ଆଦିବାସୀମାନେ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସଶସ୍ତ୍ର ବିଦ୍ରୋହ କରି ଥାନା ଘେରାଉ କରୁଥିବା ନଜିର ମଧ୍ୟ ଏହି ଜିଲ୍ଲାରେ ଦେଖିବାକୁ ମିଳିଛି। ତେବେ ଏହି ପରିପ୍ରେକ୍ଷୀରେ ଶୋଷିତର ଆର୍ତ୍ତ ଚିତ୍କାର ଶାସକ ଗୁଳିର ଗର୍ଜନ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ମାଟିକୁ ଆଜି ମଧ୍ୟ ରକ୍ତ ରଞ୍ଜିତ କରୁଛି । ଏହା ସତ୍ତ୍ଵେ ମଧ୍ଯ ବଞ୍ଚିବାର ଅଧିକାର ତଥା ମୌଳିକ ଆବଶ୍ୟକତା ସହ ମୁକାବିଲା କରିବାରେ ଅସମର୍ଥ ପଦ୍ମଗିରୀ ଗାଆଁର ଗ୍ରାମବାସୀ । ତେବେ ସରକାର ଓ ପ୍ରଶାସନଙ୍କ ହେୟ ଜ୍ଞାନ ତଥା ଉଦାସୀନତା ଆଗାମୀ ଦିନର ତୀବ୍ର ଜନ ଅସନ୍ତୋଷ ସୃଷ୍ଟିର କାରଣ ପାଲଟିବା ପୂର୍ବରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମାଲକାନଗିରି ଏ ଦିଗରେ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସିନ୍ଧ୍ରିମାଳ ପଞ୍ଚାୟତର ବୁଦ୍ଧିଜୀବି ସଞ୍ଜୟ ମାଡକାମି,ବସନ୍ତ,ଉଙ୍ଗା,ହରି ମାଡକାମି ଆଦି ମତ ଵ୍ୟକ୍ତ କରିଛନ୍ତି ।

nis-ad
Leave A Reply

Your email address will not be published.