ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ‘ଅକ୍ସିଜେନ୍‌ ସପୋର୍ଟ’ରେ ରଖି ‘ଏଲ୍‌ଏନ୍‌ଜେପି’କୁ ନିଆଯାଉଛି: ‘ଆପ୍‌’

ନୂଆଦିଲ୍ଲୀ: ‘ଅକ୍ସିଜେନ୍‌’ ଦିଆଯାଇ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ‘ଏଲ୍‌ଏନ୍‌ଜେପି’ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଉଥିବା କଥା ‘ଆମ୍‌ ଆଦ୍‌ମୀ ପାର୍ଟି’ କହିଛି। ତିହାର୍‌ ଜେଲ୍‌ କର୍ତ୍ତୃପକ୍ଷମାନେ ବି ଏ ଖବରକୁ ସୁନିଶ୍ଚିତ କରିଛନ୍ତି।
ତିହାର ଜେଲ୍‌ ମେଡିକାଲ୍‌ ଟିମ୍‌ ରେଫର୍‌ କରିବାରୁ ଜୈନ୍‌ଙ୍କୁ ହସ୍ପିଟାଲ୍‌ ଅଣାଯାଇଥିଲା ବୋଲି ‘ଦୀନ୍‌ ଦୟାଲ୍‌ ଉପାଧ୍ୟାୟ ହସ୍ପିଟାଲ୍‌’ର (ଡିଡିୟୁ) ଡାକ୍ତରମାନେ କହିଛନ୍ତି। ପିଠି, କାନ୍ଧ ଓ ଆଣ୍ଠୁ ବିନ୍ଧା ଲାଗି ରହୁଛି ବୋଲି କହିବା ପରେ ତାଙ୍କର ଏକ୍ସ-ରେ ଏବଂ ସ୍କାନ୍‌ କରାଯାଇଥିଲା। ତା’ପରେ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯାଇଥିଲା। ତା’ପରେ ତାଙ୍କୁ ‘ଲୋକ ନାୟକ ହସ୍ପିଟାଲ୍‌’ (ଏଲ୍‌ଏନ୍‌ଜେପି)କୁ ରେଫର୍‌ କରାଯାଇଥିବା କଥା ହସ୍ପିଟାଲ୍‌ ଅଧିକାରୀମାନେ କହିଛନ୍ତି।
କିନ୍ତୁ, ‘ଲୋକ ନାୟକ ହସ୍ପିଟାଲ୍‌’ ପ୍ରଶାସନ ସତ୍ୟେନ୍ଦ୍ରଙ୍କ ଭର୍ତ୍ତି ହେବା ପ୍ରସଙ୍ଗରେ ସବିଶେଷ ବିବରଣୀ ଜାରି କରିନାହିଁ।
ତିହାର ଜେଲ୍‌ ‘ଡିଜି’ଙ୍କ କହିବା ଅନୁସାରେ, ଜେଲ୍‌ ପରିସରସ୍ଥିତ ସେଲ୍‌ ନମ୍ବର ୭ରେ ରଖାଯାଇଥିବା ସତ୍ୟେନ୍ଦ୍ର ଜୈନ୍‌ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ୱାସ୍‌ରୁମ୍‌ ମଧ୍ୟରେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ କେତେଗୁଡ଼ିଏ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ତାଙ୍କ ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଯିବ।
ଦୁର୍ବଳ ଲାଗୁଛି ବୋଲି କହିବାରୁ ଜୈନ୍‌ଙ୍କ ତତ୍ତ୍ବାବଧାନରେ ରଖାଯାଇଥିଲା ବୋଲି ଆ‌ଉ ଜଣେ ଜେଲ୍‌ ଅଧିକାରୀ କହିଛନ୍ତି। ତାଙ୍କ ଶରୀରର ଅଭ୍ୟନ୍ତର ଅଙ୍ଗପ୍ରତ୍ୟଙ୍ଗ (ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌, ମସ୍ତିଷ୍କ) ଆଦି ସ୍ବାଭାବିକ ଥିବା ଜଣାପଡ଼ିଛି। କିନ୍ତୁ, ତାଙ୍କ ପିଠି, ବାମ ଗୋଡ଼ ଏବଂ କାନ୍ଧ ବିନ୍ଧୁଛି ବୋଲି ସେ କହୁଛନ୍ତି।
ସୋମବାର ଦିନ ଦିଲ୍ଲୀର ସଫ୍‌ଦରଗଞ୍ଜ ହସ୍ପିଟାଲ୍‌ରେ ଜୈନ୍‌ଙ୍କ ମେରୁଦଣ୍ଡ ସମସ୍ୟା ପରୀକ୍ଷା କରାଯାଇଥିଲା ବୋଲି ସେଠାକାର ଜଣେ ମୁଖପାତ୍ର କହିଛନ୍ତି।

nis-ad
Leave A Reply

Your email address will not be published.