ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ: ସୁପ୍ରିମ୍‌ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଭାରତର ରାଷ୍ଟ୍ରପତିଙ୍କଦ୍ବାରା ଉଦ୍‌ଘାଟନ କରାଇବା ପାଇଁ ଲୋକସଭା ସଚିବାଳୟ ଏବଂ କେନ୍ଦ୍ର ସରକାଙ୍କୁ ନିର୍ଦେଶ ଦିଆଯାଉ ବୋଲି ନିବେଦନ କରି ଆଜି ସୁପ୍ରିମ୍‌ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।
ଓକିଲ ସି.ଆର୍‌. ଜୟ ସୁକିନ୍‌ ଫାଇଲ୍‌ କରିଥିବା ଉକ୍ତ ପିଟିସନ୍‌ରେ ଉଲ୍ଲେଖ ଅଛି ଯେ, ଉଦ୍‌ଘାଟନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅନ୍ତର୍ଭୁକ୍ତ ନ କରାଇ କେନ୍ଦ୍ର ସରକାର ଭାରତର ସମ୍ବିଧାନ ଉଲ୍ଲଂଘନ କରିଛନ୍ତି।
ସଂସଦ ହେଉଛି ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥାନ। ରାଷ୍ଟ୍ରପତି ଏବଂ ଦୁଇ ଗୃହ ଯଥା:- ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ। ସଂସଦ ବା ଲୋକସଭା ଭାଙ୍ଗିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି ବୋଲି ଉକ୍ତ ପିଟିସନ୍‌ରେ ଉଲ୍ଲେଖ କରାଯାଇଛି।
ଉଦ୍‌ଘାଟନୀ ଉତ୍ସବକୁ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ଅଶୋଭନୀୟ କଥା। ରାଷ୍ଟ୍ରପତି ସଂସଦର ଅବିଚ୍ଛେଦ୍ୟ ଅଙ୍ଗ। ଶିଳାନ୍ୟାସ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ଡକାଗଲା ନାହିଁ କାହିଁକି? ଏବେ ଉଦ୍‌ଘାଟନୀ ଉତ୍ସବକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ଡକାଯାଇନି। ସରକାରଙ୍କ ନିଷ୍ପତ୍ତି ଯୁକ୍ତିଯୁକ୍ତ ନୁହେଁ ବୋଲି ଉକ୍ତ ପିଟିସନ୍‌ରେ କୁହାଯାଇଛି।
ସୂଚନାଯୋଗ୍ୟ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଆମନ୍ତ୍ରଣକ୍ରମେ ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ୪ ତାଲାବିଶିଷ୍ଟ ନୂତନ ସଂସଦ ଭବନର ଉଦ୍‌ଘାଟନ କରିବେ।
ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ହୋଇଥିବା ବେଳେ ରାଷ୍ଟ୍ରପତି ଦେଶର ମୁଖ୍ୟ ଅଟନ୍ତି। ତେଣୁ, ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ ବୋଲି ବିରୋଧୀ ଦଳମାନେ ଯୁକ୍ତି ବାଢ଼ିଛନ୍ତି।

nis-ad
Leave A Reply

Your email address will not be published.