ପଞ୍ଜାବର ଅମୃତସରରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ମାରି ଖସାଇଲା ‘ବିଏସ୍ଏଫ୍‌’

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିମାରି ଖସାଇବା ସହିତ ନିଶାଦ୍ରବ୍ୟ ଅଛି ବୋଲି ସନ୍ଦେହ ହେଉଥିବା ଗୋଟାଏ ବ୍ୟାଗ୍‌ ଉଦ୍ଧାର କରିଥିବା କଥା ଶନିବାର ଦିନ ‘ବର୍ଡର୍‌ ସିକ୍ୟୁରିଟି ଫୋର୍ସ’ର (ବିଏସ୍‌ଏଫ୍‌) ଯବାନମାନେ କହିଛନ୍ତି।

ଏହା ହେଉଛି ଗତ ୨ ଦିନ ମଧ୍ୟରେ ସେମାନେ ଗୁଳି ମାରି ଖସାଇଥିବା ୪ର୍ଥ ପାକିସ୍ତାନୀ ଡ୍ରୋନ୍‌।

ଏ ସଂକ୍ରାନ୍ତରେ ‘ଟୁଇଟ୍‌’ କରି ‘ବିଏସ୍‌ଏଫ୍‌ ପଞ୍ଜାବ ଫ୍ରଣ୍ଟିୟର୍‌’ କହିଛି: ଭାରତୀୟ ଆକାଶସୀମାକୁ ଚାଲି ଆସିଥିବା ଗୋଟାଏ ପାକିସ୍ତାନୀ ଡ୍ରୋନ୍‌କୁ ଅମୃତସର ସେକ୍ଟର୍‌ର ଜାଗ୍ରତ ‘ବିଏସ୍‌ଏଫ୍‌’ ସୈନିକମାନ‌େ ଗୁଳିମାରି ଖସାଇ ଦେଇଛନ୍ତି। ତଲାସ ବେଳେ ଉକ୍ତ ଡ୍ରୋନ୍‌ ଏବଂ ନିଶାଦ୍ରବ୍ୟ ଥିବା ଭଳି ସନ୍ଦେହ ହେଉଥିବା ଗୋଟାଏ ବ୍ୟାଗ୍‌ ଉଦ୍ଧାର କରାଯାଇଛି।

ଶନିବାର ରାତିରେ ଏହି ଡ୍ରୋନ୍‌ଟି ଭାରତୀୟ ଆକାଶସୀମାକୁ ପ୍ରବେଶ କରିଥିଲା। ଏହା ପୂର୍ବରୁ ଶୁକ୍ରବାର ରାତିରେ ମଧ୍ୟ ‘ବିଏସ୍‌ଏଫ୍‌’ ଆଉ ୩ଟି ଡ୍ରୋନ୍‌କୁ ଗୁଳିମାରି ଖସାଇଥିଲା ବୋଲି ‘ପିଟିଆଇ’ ରିପୋର୍ଟ କରିଛି।

ସମୁଦାୟ ୪ଟି ଡ୍ରୋନ୍‌କୁ ସେମାନେ ଭିନ୍ନ ଭିନ୍ନ ୪ଟି ଘଟଣାରେ ଗୁଳି ମାରି ଖସାଇଥିବା କଥା ‘ବିଏସ୍‌ଏଫ୍‌’ର ଜଣେ ମୁଖପାତ୍ର କହିଛନ୍ତି।

ମୁଖପାତ୍ରଜଣକ କହିଛନ୍ତି, ଅମୃତସର ଜିଲ୍ଲାର ଉଧାର ଧାରିୱାଲ୍‌ ଗ୍ରାମରୁ ଉଦ୍ଧାର କରାଯାଇଥିବା ପ୍ରଥମ ଡ୍ରୋନ୍‌ଟି ହେଉଛି ‘ଡିଜେଆଇ ମ୍ୟାଟ୍ରିସ୍‌ ୩୦୦ ଆର୍‌ଟିକେ’ର କଳା ରଙ୍ଗର ‘କ୍ବାଡ୍ରୋକପ୍ଟର୍‌’। ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ‘ବିଏସ୍‌ଏଫ୍‌’ ଯବାନମାନ‌େ ତାକୁ ଗୁଳିମାରି ଖସାଇଥିଲେ। ଦ୍ବିତୀୟ ଡ୍ରୋନ୍‌ଟି ମଧ୍ୟ ପ୍ରଥମ ଡ୍ରୋନ୍‌ ପରି ଥିଲା ଏବଂ ରାତି ପ୍ରାୟ ୯.୩୦ରେ ଅମୃତସର ଜିଲ୍ଲା ଅନ୍ତର୍ଗତ ରତ୍ତନ୍‌ ଖୁର୍ଦ ଗାଁରେ ତାକୁ ଉଦ୍ଧାର କରାଯାଇଥିଲା। ସେଥିରୁ ୨.୬ କିଲୋ ହେରୋଇନ୍‌ ଥିବା ୨ଟି ପ୍ୟାକେଟ୍‌ ଉଦ୍ଧାର କରାଯାଇଥିଲା। ଗୁଳି କରାଯିବା ପରେ ପାକିସ୍ତାନ ଅଞ୍ଚଳରେ ଖସି ପଡ଼ିବାରୁ ତୃତୀୟ ଡ୍ରୋନ୍‌ଟିକୁ ଉଦ୍ଧାର କରାଯାଇ ପାରିନାହିଁ।

nis-ad
Leave A Reply

Your email address will not be published.