ବଲାଙ୍ଗୀର: ବଲାଙ୍ଗୀରର ସାଲେପାଲିପଡ଼ାରେ ବୀଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାନ ଭାଇ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ସାନ ଭାଇ ପାରିବାରିକ କଳହରୁ ବଡ଼ ଭାଇକୁ ହାଣି ୮ ଖଣ୍ଡ କରିଥିଲା। ଦୁଇଦିନ ତଳେ ପଲିଥିନରେ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ଆଜି ସିନ୍ ରିକ୍ରିଏସନ୍ କରିଛି ପୁଲିସ।
ବଲାଙ୍ଗୀର ସହରର ୧୮ ନଂ. ୱାର୍ଡ ସାଲେପାଲିପଡ଼ାର ମୃତ ଯୁବକ ଜଣକ ହେଲେ ରିଙ୍କୁ ମେହେର (୨୭ ବର୍ଷ)। ପୁଲିସ ଶବ ନିକଟରୁ ରକ୍ତଲଗା ଟାଙ୍ଗିଆ ସହ ବ୍ଲେଡ୍ ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡରେ ଏକାଧିକ ଲୋକ ସଂପୃକ୍ତ ଥିବା ସନ୍ଦେହ କରାଯାଉଥିଲା।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ବଲାଙ୍ଗୀର ସହର ୧୮ ନମ୍ବର ୱାର୍ଡ ସାଲେପାଲି ପଡ଼ାରେ ପ୍ରାୟ ୨୦ ବର୍ଷ ହେବ ଭଡ଼ାଘରେ ରହୁଥିଲେ ମାର୍କଣ୍ଡ ମେହେର। ମାର୍କଣ୍ଡଙ୍କ ଚାରିପୁଅ। ବଡ଼ପୁଅ ବଲାଙ୍ଗୀର ସହରରେ ରହୁଥିବା ବେଳେ ଆଉ ଜଣେ ପୁଅ ସମ୍ବଲପୁରରେ ରହୁଛନ୍ତି। ତୃତୀୟ ଓ ଚତୁର୍ଥ ପୁଅ, ବାପା ମାର୍କଣ୍ଡ ଏବଂ ମା’ଙ୍କ ସହିତ ସାଲେପାଲିର ଭଡ଼ାଘରେ ରହୁଥିଲେ। ମାର୍କଣ୍ଡଙ୍କ ବଡ଼ପୁଅ କହିବା ଅନୁସାରେ, ତୃତୀୟ ପୁଅ ରିଙ୍କୁ (ମୃତକ) ମାନସିକ ରୋଗୀ ଥିଲେ। ସମୟ ସମୟରେ ସେ ପରିବାର ଲୋକଙ୍କୁ ମାରପିଟ କରୁଥିଲେ। ୨୦ ଦିନ ତଳେ ରିଙ୍କୁ ନିଜ ବାପା ମାର୍କଣ୍ଡଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ମାର୍କଣ୍ଡଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୬ ଦିନ ତଳେ ମାର୍କଣ୍ଡ ଡାକ୍ତରଖାନାରୁ ଫେରିଥିଲେ। ତେବେ ପୁଣି ୪ ଦିନ ତଳେ ମାର୍କଣ୍ଡଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସାନପୁଅ ଓ ତାଙ୍କ ସ୍ତ୍ରୀ ମାର୍କଣ୍ଡଙ୍କୁ ବୁର୍ଲା ନେଇଥିବା ବେଳେ ସାଲେପାଲି ଭଡ଼ାଘରେ ୪ ଦିନ ହେଲା ରିଙ୍କୁ ଏକା ରହୁଥିଲେ।
ବୁଧବାର ସକାଳୁ ରିଙ୍କୁ ରହୁଥିବା ବନ୍ଦ କୋଠରିରୁ ଦୁର୍ଗନ୍ଧ ଆସୁଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ୱାର୍ଡ କାଉନସିଲର ପୁଲିସକୁ ଜଣାଇଥିଲେ। ବଲାଙ୍ଗୀର ଏସ୍ଡିପିଓ, ମାଜିଷ୍ଟ୍ରେଟ୍ଙ୍କ ସହିତ ଘଟଣାସ୍ଥଳକୁ ଆସି ତାଲା ଖୋଲି ବନ୍ଦ କୋଠରି ଭିତରରେ ପଶି ଭୟଙ୍କର ଦୃଶ୍ୟ ଦେଖିବାକୁ ପାଇଥିଲେ। ଘର ଭିତରେ ମୁଣ୍ଡବିହୀନ ଖଣ୍ଡ ବିଖଣ୍ଡିତ ଶବ ପଡ଼ି ରହିଥିଲା। ସଙ୍ଗେସଙ୍ଗେ ସାଇଣ୍ଟିଫିକ୍ ଟିମ୍କୁ ଡକାଯାଇଥିଲା। ସାଇଣ୍ଟିଫିକ୍ ଟିମ୍ ଆସିବାପରେ ବନ୍ଦ ଘରୁ ଶବକୁ ଉଦ୍ଧାର କରାଯାଇଥିଲା। ଶବର ମୁଣ୍ଡ, ହାତ, ଗୋଡ଼କୁ ଗଣ୍ଡିରୁ ଅଲଗା କରି ଦିଆଯାଇଥିଲା। ତା’ସହିତ କଳା ରଙ୍ଗର ୭ଟି ପଲିଥିନ ଭିତରେ କଟାଯାଇଥିବା ଅଙ୍ଗପ୍ରତ୍ୟଙ୍ଗକୁ ଭର୍ତ୍ତି କରାଯାଇଥିଲା। ନିକଟରେ ଫିନାଇଲ ବୋତଲ ମଧ୍ୟ ପଡ଼ିଥିଲା।