ଚୋର ଲେଖିଲା ପ୍ରାୟଶ୍ଚିତ ଚିଠି, ନଅ ବର୍ଷ ପରେ ଫେରାଇଲା ଠାକୁର ଗୋପୀନାଥଙ୍କ ଚୋରି ଗହଣା

ଭୁବନେଶ୍ୱର: “ହଁ ମାନୁଛି ନଅ ବର୍ଷ ତଳେ ପ୍ରଭୁ ଗୋପୀନାଥଙ୍କର ଅଳଙ୍କାର ସବୁ ଚୋରି କରି ନେଇଯାଇଥିଲି। ହେଲେ ଶାନ୍ତିରେ ଗୋଟିଏ ଦିନ ବି ରହିପାରିନି। ବିଭିନ୍ନ ରୋଗ ବ୍ୟାଧି ହେଲା । ଯେତେ ଯୁଆଡେ ଡାକ୍ତର ଦେଖାଇଲି ଭଲ ହୋଇପାରୁନଥିଲା । ଯୁଆଡେ ଗଳି କନ୍ଦି ଗଲି ସାପ ଜଗି ବସି ରହିଲା । ବଡ ହିନସ୍ତା ହେଲା ପରେ ଆଜିର ଦିନରେ ନଅ ବର୍ଷ ତଳେ ନେଇଥିବା ଗୋପୀନାଥଙ୍କ ଅଳଙ୍କାର ଫେରାଇ ଦେଇ ଯାଉଛି । ଗୋପୀନାଥଙ୍କୁ ପିନ୍ଧାଇ ଦେବେ। ତାସାଙ୍ଗକୁ ଜୋରିମାନା ଓ ଦକ୍ଷିଣା ଦେଇ ଯାଉଛି । “ଏମିତି କିଛି ଲେଖା ଥିବା ଛୋଟ କାଗଜ ଖଣ୍ଡେ ଛାଡି ଚାଲିଯାଇଥିଲା ଚୋର । ଯାହା ଲେଖାଥିଲା ଇଂରାଜୀରେ ।

ରାଜଧାନୀ ଭୁବନେଶ୍ଵରର ଉପକଣ୍ଠ ଗୋପୀନାଥପୁର ଗାଁରେ ଏଭଳି ଘଟଣା ସାମନାକୁ ଆସିଛି। ୨୦୧୪ ମସିହାରେ ଗୋପୀନାଥ ମନ୍ଦିରରୁ ଠାକୁରଙ୍କ ରୁପା ଅଳଙ୍କାର ଚୋରି ହୋଇଥିଲା । ଠାକୁରଙ୍କ ରୁପା ବଂଶୀ, ଛତା, ମୁକୁଟ, ରୁପା ଆଖି, ଥାଳି, ଘଣ୍ଟ ଚୋରି ହୋଇଥିଲା । ସେତେବେଳେ ଲିଙ୍ଗରାଜ ଥାନାରେ ଏନେଇ ଅଭିଯୋଗ କରିଥିଲେ ଗ୍ରାମବାସୀ । ହେଲେ ନା ଚୋର ଧରାପଡିଥିଲା ନା ମିଳିଥିଲା ଚୋରି ସାମଗ୍ରୀ । ଏବେ ଘଟଣାର ୯ ବର୍ଷ ପରେ ଏବେ ନିଜେ ଚୋର ସମସ୍ତ ଚୋରି ସାମଗ୍ରୀ ଫେରାଇଛି ।

ଗତ ଶନିବାର ଦିନ ରାତିରେ ଧଉଳି ଥାନା ଅନ୍ତର୍ଗତ ଗୋପୀନାଥପୁରୁ ଗାଁର ତୁଷାର ମହାନ୍ତିଙ୍କ ଘର ତୁଳସୀ ଗଛ ପାଖରେ ନଅ ବର୍ଷ ତଳର ଚୋରି ହୋଇଥିବା ଗୋପୀନାଥ ଠାକୁରଙ୍କ ସବୁ ଅଳଙ୍କାର ଫେରାଇଛି ଚୋର । ଚୋରି କରିଥିବାରୁ ୧୦୧ ଟଙ୍କା ଜରିମାନା ସାଙ୍ଗକୁ ୨୦୧ଟଙ୍କା ଦକ୍ଷିଣା ମଧ୍ୟ ଦେଇଛି। ତାସାଙ୍ଗକୁ ଚୋରି ଜିନିଷ ଫେରେଇବା ସ୍ଥାନରେ ଏକ ଚିଠି ଛାଡି ଦେଇଯାଇଛି । ଦୋଷ ସ୍ୱୀକାର କରିଛି ଚୋର। ତେବେ ରବିବାର ସକାଳୁ ତୁଷାର ମହାନ୍ତି ଓ ତାଙ୍କ ମାଆ ପ୍ରଥମେ ଦେଖିଥିଲେ ନାଗ ସାପ ତାଙ୍କର ତୁଳସୀ ଗଛ ନିକଟରେ ବସି ରହିଛି । ଆଉ ଏକ କପଡାରେ ଗୁଡାହୋଇ କିଛି ସାମଗ୍ରୀ ରହିଛି। କପଡା ଖୋଲି ଦେଖିଲାବେଳକୁ ପ୍ରଭୁ ଗୋପୀନାଥଙ୍କ ଚୋରି ହେୋଇଥିବା ସବୁ ଅଳଙ୍କାର । ଏକଥା ଧୀରେ ଧୀରେ ପ୍ରଘଟ ହେବାପରେ ଆଖ ପାଖ ଅଞ୍ଚଳରେ ଚହଳ ପଡିଲା । ଚୋରି ଅଳଙ୍କାର ଦେଖିବା ପାଇଁ ଜମିଲା ଭିଡ ।ତେବେ ଏଭଳି ଘଟଣା ପରେ ଧଉଳି ଗୋପୀନାଥପୁରୁ ଗ୍ରାମବାସୀ ବହୁତ ଖୁସି ଅଛନ୍ତି । ନିଜ ପ୍ରଭୁ ଗୋପୀନାଥଙ୍କ ଅଳଙ୍କାର ନଅ ବର୍ଷ ପରେ ଫେରି ପାଇଥିବାରୁ ସେମାନେ ଭାବବିହ୍ବଳ ହୋଇପଡିଛନ୍ତି । ଏପଟେ ଚିଠି ଲେଖି ଜରିମାନା ସହିତ ଦକ୍ଷିଣା ବି ଦେଇଛି ଅନୁତପ୍ତ ଚୋର । ତେବେ ବିଶ୍ବାସ ରହିଛି ଗୋପୀନାଥ ଠାକୁର ଭାରି ପ୍ରତକ୍ଷ ।

nis-ad
Leave A Reply

Your email address will not be published.