୨ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା : ସମାଜସେବୀଙ୍କ ସହାୟତାରେ ଘରକୁ ଗଲେ

ଛତ୍ରପୁର : ଦୁଇ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡ଼ା ହୋଇଯାଇଛନ୍ତି। ନିଜ ସ୍ତ୍ରୀ ଓ ୨ ପିଲାମାନଙ୍କୁ ଛାଡ଼ି ସ୍ବାମୀ ପ୍ରତ୍ୟାଖାନ କରିବା ସହ ସୁଦୂର କେରଳ ରାଜ୍ୟକୁ ଚାଲିଯାଇଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗାଁର ଜି.ଘନଶ୍ୟାମ ରେଡ୍ଡୀଙ୍କ ସହ ସେହି ଗାଁର ଜି. ବୁଲି ରେଡ୍ଡୀଙ୍କ ଗତ ୧୨ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ ହୋଇଥିଲା। ପରେ ତାଙ୍କର ୨ କନ୍ୟା ସନ୍ତାନ ହୋଇଥିଲେ। ଏହାପର ଠାରୁ ତାଙ୍କ ସ୍ବାମୀ ଘନଶ୍ୟାମ ଏବଂ ତାଙ୍କ ଦେଢ଼ଶାଶୁ ଓ ଦିଅରଙ୍କ ପକ୍ଷରୁ ନିର୍ଯାତନା ଦିଆଯାଉଥିବା ବୁଲି ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀ ଆଉ ଜଣଙ୍କୁ ମଧ୍ୟ ବିବାହ କରିସାରିଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଘନଶ୍ୟାମ ଦ୍ୱିତୀୟ ବିବାହ କରିଥିବା ଜାଣିବା ପରେ ବୁଲିଙ୍କ ପକ୍ଷରୁ ଛତ୍ରପୁର ଥାନାରେ ଏତଲା ଦିଆଯାଇଥିଲା। ଏଥିସହ ଗଞ୍ଜାମ ଏସ୍‌ପିଙ୍କଠାରୁ ଆରମ୍ଭ କରି ଗଞ୍ଜାମ ଜିଲାପାଳ, ରାଜ୍ୟ ମହିଳା କମିଶନ, ରାଜ୍ୟ ମାନବାଧିକାର କମିଶନ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରମୁଖଙ୍କୁ ଚିଠି ଲେଖି ନ୍ୟାୟ ପାଇଁ ବୁଲି ଗୁହାରି କରିସାରିଛନ୍ତି। ଏହାପରେ ତାଙ୍କୁ ଘରୁ ମଧ୍ୟ ବାହାର କରିଦିଆଯାଇଥିଲା ବୋଲି ବୁଲି କହିଛନ୍ତି। ପରେ ବ୍ରହ୍ମପୁରସ୍ଥିତ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ଏସମ୍ପର୍କରେ ସହଯୋଗ ସହ ନ୍ୟାୟ ପ୍ରଦାନ କରିବାକୁ ବୁଲି ନିବେଦନ କରିଥିଲେ। ଗୁରୁବାର ସମାଜସେବୀ ପ୍ରମିଳା ଉକ୍ତ ଗାଁକୁ ଆସି ବୁଲିଙ୍କୁ ତାଙ୍କ ସ୍ବାମୀ ଘନଶ୍ୟାମଙ୍କ ଘରେ ନେଇ ରଖିଥିଲେ। ଯଦି ଭବିଷ୍ୟତରେ ତାଙ୍କର କୌଣସି ଅସୁବିଧା ହୁଏ ତେବେ ଦେଢ଼ଶାଶୁ ଓ ଦିଅର ଦାୟୀ ରହିବେ ବୋଲି ପ୍ରମିଳା ଗଣମାଧ୍ୟମ ଆଗରେ କହିଛନ୍ତି। କେରଳରୁ ଘନଶ୍ୟାମ ଆସି ତାଙ୍କର ସ୍ତ୍ରୀ ଓ ୨ ଝିଅର ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ପୋଲିସ ମଧ୍ୟ ତାଙ୍କ ସୁରକ୍ଷା ବ୍ୟବସ୍ଥା ବୁଝୁ ବୋଲି ସମାଜସେବୀ ପ୍ରମିଳା କହିଛନ୍ତି। ଅପରପକ୍ଷରେ ମୋ’ ସ୍ବାମୀ ଦ୍ୱିତୀୟ ବିବାହ କରିଥିବାରୁ ମୋତେ ଏ ଘରେ ରହିବାର ଅଧିକାର ସହ ପିଲାମାନଙ୍କ ଭରଣପୋଷଣ ସ୍ବାମୀ ହିଁ ବ୍ୟବସ୍ଥା କରିବାକୁ ନିର୍ଯାତିତା ବୁଲି କହିଛନ୍ତି। ତେବେ ଏସବୁ ମିଥ୍ୟା ବୋଲି ଦେଢଶାଶୁ ଜି.ବବି ରେଡ୍ଡୀ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

nis-ad
Leave A Reply

Your email address will not be published.