ସରକାରୀ କର୍ମଚାରୀଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ବିଜେଡି ଲଗାଇଛି, ଫେରାଦ ହେଲା ବିଜେପି

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନରେ ସରକାରୀ ମହିଳା କର୍ମଚାରୀଙ୍କୁ ବିଜେଡି ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟରେ ଲଗାଇବା ସହ ଭୋଟରଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବିଜେପି ଅଭିଯୋଗ କରିଛି । ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ବିଜେଡିର ଚିରାଚରିତ ଅଭ୍ୟାସ ବୋଲି ବିଜେପି କହିବା ସହ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ।

ବିଜେପିର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଝାରସୁଗୁଡ଼ାରେ ସରକାରୀ କର୍ମଚାରୀମାନେ ବିଜେଡି ପାଇଁ କର୍ମୀ ଭଳି ପ୍ରଚାର କରୁଛନ୍ତି । ଯାହାର ପ୍ରମାଣ ବିଜେପି ହାତରେ ଲାଗିଛି । ସାଧାରଣ ନିର୍ବାଚନ ହେଉକି କି ଉପନିର୍ବାଚନ ସବୁବେଳେ ସରକାରୀ କର୍ମଚାରୀମାନେ ନିର୍ବାଚନ ନିୟମ ଉଲଘଂନ କରିବା ସହ ବିଜେଡିର କର୍ମୀ ଭଳି ପ୍ରଚାର କରି ଆସୁଛନ୍ତି ।

ସେ କହିଛନ୍ତି, ଶୁକ୍ରବାର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର କୋଲାବିରା ବ୍ଲକ ଜିଲ୍ଲାପାଲି ପଂଚାୟତର କମ୍ୟୁନିଟି ରିସୋର୍ସ ପର୍ସନ(ସିଆରପି) ଅସ୍ମିତା ନାୟକ, ବିନତା ନାୟକ, ଜେ.ପଣ୍ଡାକିମାଲ ଓ ପୂଜା ପଟେଲ ବିଜୁ ଜନତା ଦଳର ନିର୍ବାଚନୀ ପ୍ରଚାରରେ ସିଧାସଳଖ ଯୋଗ ଦେଇଥିଲେ । ସେହିପରି ସରବାହଲ ୧ନଂ ୱାର୍ଡର ଅଙ୍ଗନୱାଡି ଦିଦି ସୁରୁଚି ପାଢ଼ି ଖୋଲାଖୋଲି ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର ପ୍ରସାର କରୁଛନ୍ତି । ଏହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରିବା ସହ ଲୋକପ୍ରତିନିଧି ଅଧିନିୟମ-୧୯୫୧ର ମଧ୍ୟ ଉଲ୍ଲଘଂନ କରୁଛି ।

ସରକାରୀ କର୍ମଚାରୀମାନଙ୍କୁ ନିଜ ଦଳ ସପକ୍ଷରେ ଲଗାଇ  ପ୍ରଚାର କରିବା ବିଜେଡିର ଚିରାଚରିତ ଅଭ୍ୟାସ । ଝାରସୁଗୁଡ଼ା ଉପନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିବା ସହ ବିଜେଡି ପାଇଁ ପ୍ରଚାର କରୁଥିବା ସରକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲିଖିତ ଭାବେ ଅନୁରୋଧ କରିଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଉମାକାନ୍ତ ପଟ୍ଟନାୟକ, ଐଶ୍ୱର୍ଯ୍ୟା ବିଶ୍ୱାଳ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

nis-ad
Leave A Reply

Your email address will not be published.