ଆଇପିଏଲ : ମୁମ୍ବାଇକୁ ୬ ଓ୍ବିକେଟରେ ହରାଇଲା ଚେନ୍ନାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ ମୁମ୍ବାଇକୁ ୬ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ । ଏହି ମ୍ୟାଚରେ ବିଜୟ ପାଇଁ ଚେନ୍ନାଇ ଆଗରେ ୧୪୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ । ଏହି ଲକ୍ଷ୍ୟକୁ ୧୭.୪ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା ଚେନ୍ନାଇ । ଦଳ ପକ୍ଷରୁ ଦେଓ୍ବନ କନଓ୍ବେ ୪୪ ରନ , ଋତୁରାଜ ଗାଇକ୍ବାଡ୍ ୩୦ରନ, ଶିବମ ଦୁବେ ୨୬ରନ ଓ ଅଜିଙ୍କ୍ୟ ରାହାଣେ ୨୧ରନ କରିଥିଲେ ।
ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୪ ରନରେ ୩ଟି ଓ୍ବିକେଟ୍ ହରାଇ ସଂକଟରେ ପଡ଼ିଥିଲା । ତେବେ ନିହାଲ ଓ୍ବାଧେରା ଓ ସୂର୍ଯ୍ୟକୁମାର ଯାଦବ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଓ୍ବାଧେରା ୬୪ରନ ଓ ସୂର୍ଯ୍ୟକୁମାର ୨୬ରନ କରିଥିଲେ । ଟ୍ରିସାନ ଷ୍ଟ୍ରବ୍ସ ୨୦ରନ କରିଥିଲେ । କିନ୍ତୁ ଶେଷ ବେଳକୁ ଦଳର ବ୍ୟାଟିଂ ପୁଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।
ଚେନ୍ନାଇ ପକ୍ଷରୁ ଯୁବ ଦ୍ରୁତ ବୋଲର ମହିସା ପଥିରାନା ୧୫ ରନ ଦେଇ ୩ଟି ଓ୍ବିକେଟ ନେଇଥିଲେ । ସେହିପରି ଦୀପକ ଚହର ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ବିକେଟ୍ ନେଇଥିଲେ ।
ଏହି ବିଜୟ ସହ ଚେନ୍ନାଇ ୧୧ ମ୍ୟାଚରୁ ୬ ବିଜୟ ସହ ୧୩ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ପହଞ୍ଚିଛି । ମୁମ୍ବାଇ ୧୦ ମ୍ୟାଚରୁ ୫ଟିରେ ବିଜୟ ସହ ୧୦ ପଏଣ୍ଟ ପାଇଛି ।

nis-ad
Leave A Reply

Your email address will not be published.