ମଣିପୁରରେ ୧୪ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ, ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ଇମ୍ପାଲ : ମଣିପୁରରେ ଚାଲିଥିବା ଆଦିବାସୀ-ଅଣଆଦିବାସୀ ହିଂସାକୁ ଦମନ କରିବାକୁ ସରକାର ଏପର୍ଯ୍ୟନ୍ତ ୧୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ଆରଏଏଫ୍, ସିଆରପିଏଫ୍, ବିଏସ୍ଏଫ୍) ବହୁ ସଂଖ୍ୟାରେ ମୁତୟନ କରିଛନ୍ତି । ଏହା ସହିତ ଆହୁରି ଅଧିକ ଅର୍ଦ୍ଧସାମରିକ ବାହିନୀ ପଠାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ହିଂସାଗ୍ରସ୍ତ ଅଂଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ମଣିପୁରରୁ ୧୫ରୁ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ୨୩ଟି ସମ୍ବେଦନଶୀଳ ଥାନାକୁ ସୁରକ୍ଷା ବାହିନୀ ଚିହ୍ନଟ କରିଛି । ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ସହ ବରିଷ୍ଠ ପୁଲିସ ଅଧିକାରୀମାନେ ଦାୟିତ୍ୱ ତୁଲାଉଛନ୍ତି । ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବା ସହ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି । ହିଂସାବେଳେ ୭-୮ଟି ପୁଲିସ ପୋଷ୍ଟରୁ ଲୋକମାନେ ଲୁଟି ନେଇଥିବା ଅସ୍ତ୍ରଶସ୍ତ୍ରକୁ ଯଥାଶୀଘ୍ର ଫେରାଇଦେବାକୁ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଯେଉଁମାନେ ଅସ୍ତ୍ରଶସ୍ତ୍ର ଫେରାଇଦେବେ ସେମାନଙ୍କ ପ୍ରତି କୋହଳ ଆଭିମୁଖ୍ୟ ଗ୍ରହଣ କରାଯିବ । ଯେଉଁମାନେ ଅସ୍ତ୍ରଶସ୍ତ୍ର ଜମା କରିବାରେ ବିଫଳ ହେବେ ସେମାନଙ୍କୁ ଗୁରୁତର ଆଇନଗତ ପରିଣାମ ଭୋଗିବାକୁ ପଡ଼ିବ। ଏହା ସହ ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାରେ ବିଫଳ ହେଲେ ମାମଲାକୁ ମଧ୍ୟ ଏନଆଇଏକୁ ହସ୍ତାନ୍ତର କରାଯାଇପାରେ ବୋଲି ଚେତାବନୀ ଦିଆଯାଇଛି ।

nis-ad
Leave A Reply

Your email address will not be published.