କ୍ଷମତାକୁ ଆସିବା ପୂର୍ବରୁ କେଜ୍ରିୱାଲ କହିଥିଲେ ଦୁଇଟି ବଖରା ଥିବା ଘରେ ରହିବେ, ହେଲେ ଏବେ ଉଡାଇଦେଲେ ୪୫ କୋଟି ଟଙ୍କା: କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସରକାରୀ ବାସଭବନ ନବୀକରଣରେ ଅନିୟମିିତତା ‌ହୋଇଥିବା ଅଭିଯୋଗ ଆସିବା ପରେ ବିବାଦ ତେଜିବାରେ ଲାଗିଛି | କେଜ୍ରିୱାଲ ତାଙ୍କ ସରକାରୀ ବଙ୍ଗଳାର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୪୫ କୋଟି ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଥିଲା। ତେବେ ଆଜି କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଏବଂ ସରକାରୀ ଘରର ନବୀକରଣରେ ଜନସାଧାରଣଙ୍କ ଟଙ୍କା ନଷ୍ଟ କରାଯାଇଥିବାର କହିଛନ୍ତି। ଅଳକା ଲାମ୍ବା କହିଛନ୍ତି, “ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏବେ ପ୍ରଶ୍ନ କରାଯାଉଥିଲେ ବି ସେ ନିରବ ଅଛନ୍ତି | କ୍ଷମତାକୁ ଆସିବା ପୂର୍ବରୁ ରାମଲୀଳା ମୈଦାନରୁ ଦୁର୍ନୀତି ବିରୋଧରେ ଲଢେଇ କରୁଥିବା ଦଳର ମନୋଭାବ ବଦଳିଛି।” କଂଗ୍ରେସ ନେତ୍ରୀ କହିଛନ୍ତି ଯେ ସେ (କେଜ୍ରିୱାଲ) ରାମଲିଲା ମୈଦାନରେ କହିଥିଲେ ଯେ ଯଦି ଆମେ କ୍ଷମତାକୁ ଆସିବୁ, ତେବେ ଶୀଲା ଦୀକ୍ଷିତଙ୍କ ପରି ବଙ୍ଗଳା ନେବେ ନାହିଁ ବରଂ ଦୁଇ କୋଠରୀ ଥିବା ଘରେ ରହିବେ |
କିନ୍ତୁ ବର୍ତ୍ତମାନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କୋଟିଏ କି ଦୁଇ କୋଟି ଟଙ୍କା ନୁହେଁ ବରଂ ତାଙ୍କ ସରକାରୀ ବାସଭବନର ନବୀକରଣରେ ୪୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅଳକା ଲାମ୍ବା କହିଛନ୍ତି, ଏହା ହେଉଛି ସେହି ଆମ୍ ଆଦମୀ ପାର୍ଟି, ଯାହାର ଦୁଇ ନେତା ଦୁର୍ନୀତି ପାଇଁ ଜେଲରେ ଅଛନ୍ତି | ଯଦି କେଜ୍ରିୱାଲଙ୍କର ସାମାନ୍ୟ ନୈତିକତା ଅଛି, ତେବେ ଦେଶ ସାମ୍ନାକୁ ଆସନ୍ତୁ ଏବଂ କୁହନ୍ତୁ ଯେ ମୁଁ ଆପଣଙ୍କୁ ମିଛ କହିଥିଲି, ଆପଣଙ୍କୁ ବିଭ୍ରାନ୍ତ କରିଥିଲି ତେଣୁ କ୍ଷମା ମାଗୁଛି । ଏହାପୂର୍ବରୁ ବିଜେପି ଅଭିଯୋଗ କରିଥିଲା ଯେ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ପ୍ରତାରଣା କରିଛନ୍ତି। ରାଜନୀତିରେ ପ୍ରବେଶ କରିବା ସମୟରେ କେଜ୍ରିୱାଲ ଯେଉଁଭଳି ସାଧୁତା ଓ ସରଳତା ଦେଖାଉଥିଲେ ତାହା ସେ ବଜାୟ ରଖିନାହାନ୍ତି। କେଜ୍ରିୱାଲଙ୍କ ଘରେ ଭିଏତନାମା ମାର୍ବଲ ଲାଗିଛି , କାନ୍ଥବାଡ଼ରେ ପାଣି ପରି ଅର୍ଥ ଖର୍ଚ୍ଚ ହୋଇଛି। ଏପରିକି ଘରେ ପରଦା ଲଗାଇବାକୁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ।

nis-ad
Leave A Reply

Your email address will not be published.