୨୦ ବର୍ଷ ହେଲା ଆତଙ୍କ ଖେଳାଇଛି ମାଓନେତା ହିଡ଼ମା…

ଜୟପୁର : ୨୦ ବର୍ଷ ହେଲା ଲାଲ୍ କରିଡରରେ ଆତଙ୍କ ଖେଳାଇ ଚାଲିଛି ଛତିଶଗଡ଼ ବସ୍ତର ଡିଭିଜନ୍ ମୁଖ୍ୟ ମାଓନେତା ହିଡ଼ମା। କେତେବେଳେ ଆମ୍ବୁସ୍‌ ତ କେତେବେଳେ ଏନ୍‌କାଉଣ୍ଟରରେ ଘାଇଲା କରୁଛି ସୁରକ୍ଷାକର୍ମୀଙ୍କୁ। ସମ୍ମୁଖ ଲଢ଼େଇ ସହ ବୋମା ତିଆରିରେ ସିଦ୍ଧହସ୍ତ ହିଡ଼ମା। ୨୦୨୧ ପରଠାରୁ ସକ୍ରିୟ ନଥିବା ହିଡ଼ମା ନିକଟରେ ଦାନ୍ତେୱାଡା ନକ୍ସଲ ହାମଲାର ଚକ୍ରବୂହ୍ୟ ରଚି ପୁଣି ଚର୍ଚ୍ଚାକୁ ଆସିଛି।

ନବେ ଦଶକରେ ମାଓ ସଂଗଠନରେ ସାମିଲ୍ ହୋଇଥିଲା ହିଡମା। ମାଲକାନଗିରି ସୀମାବର୍ତ୍ତୀ ସୁକମା ଜିଲ୍ଲାର ପୂର୍ବତୀ ଗାଁରେ ହିଡ଼ମାର ଘର। ମାତ୍ର ୩୯ ବର୍ଷ ବୟସରେ ମାଓ ସଙ୍ଗଠନରେ ପତିଆରା ବିସ୍ତାର କରିଥିବା ହିଡ଼ମା ଭିନ୍ନ ଭିନ୍ନ ନାଁରେ ପରିଚିତ। ମାଡ଼ବି ହିଡ଼ମା ଓରଫ ହିଜମାଲୁ ଓରଫ୍‌ ସନ୍ତୋଷ। ଛତିଶଗଡ଼ ସୁକମା ଜିଲ୍ଲା ସମେତ ଦାନ୍ତେୱାଡା, ବିଜାପୁରରେ ସକ୍ରିୟ ରହିଥିବା ହିଡ଼ମା ବହୁ ବଡ଼ଧରଣର ଅଘଟଣ ଘଟାଇବାରେ ସକ୍ଷମ ହୋଇଛି।

୨୦୧୦ ମସିହାରେ ଦାନ୍ତେୱାଡାର ମୁର୍କାନା ଜଙ୍ଗଲରେ ୭୬ ସିଆରପିଏଫ୍ ଯବାନଙ୍କୁ ଆମ୍ବୁସ୍‌ ଲଗାଇ ହତ୍ୟା କରିଥିଲା ହିଡ଼ମା। ଏହାପରେ ୨୦୧୩ ମସିହାରେ ଦରଭା ଜିରମ ଘାଟିରେ ନିର୍ବାଚନ ପ୍ରଚାର ସାରି ଫେରୁଥିବା ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର କର୍ମା, ଛତିଶଗଡ଼ କଂଗ୍ରେସ ପ୍ରଦେଶ କମିଟି ମୁଖ୍ୟ ବିଦ୍ୟା ଚରଣ ଶୁକ୍ଲାଙ୍କ ସମେତ ୨୭ ଜଣଙ୍କୁ ହତ୍ୟା କରିଥିଲା। ଏହାପରେ ୨୦୧୬ରେ ଗିରଫ ହୋଇ ଜେଲ୍ ଯାଇଥିବା ହିଡ଼ମା ମାମଲାରେ ଦୋଷୀ ସାବ୍ୟସ୍ତ ନ ହେବାପରେ ଜେଲ୍‌ରୁ ମୁକୁଳି ପୁଣି ରଚିଥିଲା ତାଣ୍ଡବ। ୨୦୧୯ରେ ବିଜେପି ବିଧାୟକଙ୍କୁ ହତ୍ୟା, ୨୦୨୦ରେ ୧୭ ଯବାନଙ୍କୁ ଆମ୍ବୁସ କରି ହତ୍ୟା କରିଥିବା ହିଡମା ୨୦୨୧ରେ ବିଜାପୁର ତରିମରେ ଯବାନଙ୍କୁ ଉପରେ କରିଥିଲା ଆକ୍ରମଣ। ଏହାପରେ ଦୀର୍ଘଦିନ ଧରି ବଡ଼ ଘଟଣା ଘଟାଇବାରେ ସଫଳ ହୋଇନଥିବା ହିଡ଼ମା ଏବେ ଯବାନଙ୍କୁ ଟାର୍ଗେଟ୍ କରି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛି। ଯେଉଁଥିରେ ୧୦ ଯବାନଙ୍କ ସମେତ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ହିଡ଼ମା ମୁଣ୍ଡରେ ରହିଛି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି। ଦାନ୍ତେୱାଡା ଘଟଣା ପରେ ଆନ୍ଧ୍ର-ଛତିଶଗଡ-ତେଲେଙ୍ଗାନା-ଓଡ଼ିଶା ପୁଲିସର ଟାର୍ଗେଟରେ ରହିଛି ହିଡ଼ମା।

nis-ad
Leave A Reply

Your email address will not be published.