‘କୁନୋ ଜାତୀୟ ଉଦ୍ୟାନ’ରୁ ପୁଣି ବାହାରକୁ ପଳାଇଲା ଚିତା ‘ଆଶା’

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଅନ୍ତଗର୍ତ ‘କୁନୋ ଜାତୀୟ ଉଦ୍ୟାନ’ରୁ ‘ଆଶା’ ନାମକ ମାଈ ଚିତାଟି ପୁଣି ବାହାରକୁ ଚାଲିଯାଇଥିବା କଥା ଶୁକ୍ରବାର ଦିନ ବନ ବିଭାଗ ଅଧିକାରୀମାନେ କହିଥିବା କଥା ‘ନିଉଜ୍‌ ଏଜେନ୍‌ସି ପିଟିଆଇ’ ରିପୋର୍ଟ କରିଛି।

ବୁଧବାର ସନ୍ଧ୍ୟା ବେଳେ ଚିତା ‘ଆଶା’ ଉଦ୍ୟାନର ‘ବଫର୍‌ ‌ଜୋନ୍‌’ ବାହାରକୁ ଚାଲି ଯାଇଥିଲା, କିନ୍ତୁ ସେ ପୁଣି ଫେରି ଆସିଥିବା ପରି ମନେ ହେଉଛି ବୋଲି ଅଧିକାରୀଜଣକ ତାଙ୍କ ନାମ ଗୋପନ ରଖିବାକୁ ଅନୁରୋଧ କରି କହିଛନ୍ତି।

ଏପ୍ରିଲ୍‌ ମାସରେ ଉଦ୍ୟାନ ସୀମା ବାହାରକୁ ଯିବାରେ ‘ଆଶା’ ହେଉଛି ଦ୍ବିତୀୟ ଚିତା । ଚଳିତ ମାସରେ ‘ପବନ’ ନାମରେ ଅଣ୍ଡିରା ଚିତା ମଧ୍ୟ ଦୁଇଥର ଉଦ୍ୟାନରୁ ଖସି ପଳାଇଥିଲା। ତାକୁ ‘ଟ୍ରାଙ୍କ୍ୟୁଲାଇଜ୍‌’ କରାଯାଇ ପୁଣି ଉଦ୍ୟାନକୁ ଫେରାଇ ଅଣାଯାଇଥିଲା।

ସୂଚନାଯୋଗ୍ୟ, ‘କୁନୋ ଜାତୀୟ ଉଦ୍ୟାନ’ର ‘କୋର୍‌’ ବା ଅଭ୍ୟନ୍ତର ଅଞ୍ଚଳ ହେଉଛି ୭୪୮ ବର୍ଗ କିଲୋମିଟର୍‌। ‘ବଫର୍‌’ ‌ଜୋନ୍‌ ହେଉଛି ୪୮୭ ବର୍ଗ କିଲୋମିଟର୍‌।

‘ବଫର୍‌’ ଜୋନ୍‌ ଟପି ଦୂରକୁ ଚାଲିଯାଇଥିବା ଚିତା ‘ଆଶା’ ଗୁରୁବାର ଦିନ ପ୍ରତ୍ୟାବର୍ତ୍ତନ କରିଛି। ଏବେ ସେ ‘ବଫର୍‌’ ଜୋନ୍‌ରେ ପହଞ୍ଚିଛି ବୋଲି ଅଧିକାରୀଜଣକ କହିଛନ୍ତି।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ବିଶେଷଜ୍ଞମାନେ କହୁଛନ୍ତି କି, ‘କୁନୋ’ରେ ଚିତାମାନଙ୍କ ପାଇଁ ସ୍ଥାନ ଅଭାବ ହେଉଛି। ଚଳପ୍ରଚଳ ହେବାକୁ ଗୋଟିଏ ଚିତା ୧୦୦ ବର୍ଗ କିଲୋମିଟର୍‌ ସ୍ଥାନ ଆବଶ୍ୟକ କରେ ବୋଲି ଦଳେ ବିଶେଷଜ୍ଞ କହୁଥିବା ବ‌େଳେ ଅନ୍ୟମାନେ କହୁଛନ୍ତି ତାହା ନିର୍ଦ୍ଧାରଣ କରିବା କଷ୍ଟସାଧ୍ୟ। ମାଈ ଚିତା ହୁଏତ ୪୦୦ ବର୍ଗ କିଲୋମିଟର୍‌ ଅଞ୍ଚଳ ଆବଶ୍ୟକ କରିପାରେ।

ସୂଚନାଯୋଗ୍ୟ, ‘କୁନୋ ଜାତୀୟ ଉଦ୍ୟାନ’ରେ ୧୮ଟି ଚିତାଙ୍କୁ ରଖାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ପାଇଁ ସ୍ଥାନ ଯଥେଷ୍ଟ ହେଉନାହିଁ ବୋଲି ଅନୁମାନ କରାଯାଉଛି।

nis-ad
Leave A Reply

Your email address will not be published.