‘ଜାତୀୟ କନ୍‌କ୍ଲେଭ୍‌: ମନ୍‌ କୀ ବାତ୍‌ ୧୦୦’ କାର୍ଯ୍ୟକ୍ରମ ବେଳେ ହେଲା ପ୍ରସବ ବେଦନା; ପୁଅ ଜନ୍ମକଲେ ବିଶିଷ୍ଟ ଅତିଥି

ନୂଆଦିଲ୍ଲୀ: ନିକଟ ଅତୀତରେ ଜାତୀୟ ରାଜଧାନୀରେ ଅନୁଷ୍ଠିତ ‘ଜାତୀୟ କନ୍‌କ୍ଲେଭ୍‌; ମନ୍‌ କୀ ବାତ୍‌ ୧୦୦’ କାର୍ଯ୍ୟକ୍ରମ ବେଳେ ପ୍ରସବ ବେଦନା ହେବାରୁ ଜଣେ ଆମନ୍ତ୍ରିତ ମହିଳା ଅତିଥି ପୁତ୍ରବତୀ ହୋଇଛନ୍ତି।

ସୂଚନାଯୋଗ୍ୟ, ଉପରୋକ୍ତ କାର୍ଯ୍ୟକ୍ରମ ଆଗାମୀକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ପ୍ରସାରଣ କରାଯିବ।

ଜାତୀୟ ରାଜଧାନୀରେ ଆୟୋଜିତ ଉପରୋକ୍ତ କାର୍ଯ୍ୟକ୍ରମକୁ ବିଶେଷ ଅତିଥି ଭାବେ ଆମନ୍ତ୍ରିତ ହୋଇଥିବା ୧୦୦ଜଣଙ୍କ ମଧ୍ୟରେ ପୁତ୍ରବତୀ ହୋଇଥିବା ପୂନମ ଦେବୀ ଅନ୍ୟତମା। କାର୍ଯ୍ୟକ୍ରମ ଚାଲିଥିବା ବ‌େଳେ ପ୍ରସବ ବେଦନା ଆରମ୍ଭ ହେବାରୁ ତୁରନ୍ତ ତାଙ୍କୁ ‘ଡକ୍ଟର୍‌ ରାମମନୋହର ଲୋହିଆ ହସ୍ପିଟାଲ୍‌’କୁ ନିଆଯାଇଥିଲା। ସେଠାରେ ସେ ଗୋଟାଏ ସୁସ୍ଥସବଳ ପୁଅ ଜନ୍ମ କରିଛନ୍ତି।

ପୂନମ୍‌ଙ୍କ ବାସସ୍ଥାନ ହେଉଛି ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରି ନିକଟବର୍ତ୍ତୀ ଗୋଟାଏ କ୍ଷୁଦ୍ର ଗାଁ’ରେ। କଦଳୀ ବାସୁଙ୍ଗାରୁ ‘ହ୍ୟାଣ୍ଡ୍‌ବ୍ୟାଗ୍‌’, ମସିଣା ଏବଂ ଅନ୍ୟାନ୍ୟ ବହୁ ସାମଗ୍ରୀ ନିର୍ମାଣ କରୁଥିବା ଗୋଟାଏ ‘ସ୍ବୟଂ ସହାୟକ ଗୋଷ୍ଠୀ’ର ସେ ସଦସ୍ୟା।

ଏଭଳି ମହାନ୍‌ ଦିବସରେ ଜଣେ ନୂଆ ସଦସ୍ୟଙ୍କୁ ସ୍ବାଗତ କରି ଖୁବ୍‌ ଆନନ୍ଦିତ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।

ଦିନିକିଆ କାର୍ଯ୍ୟକ୍ରମ ‘ଜାତୀୟ କନ୍‌କ୍ଲେଭ୍‌: ମନ୍‌ କୀ ବାତ୍‌ ୧୦୦’ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

‘ନାରୀ ଶକ୍ତି’, ‘ଗଣ ଆନ୍ଦୋଳନ’ ଏବଂ ‘ଭାରତର ସଂସ୍କୃତି ଓ ପରମ୍ପରା’ ଆଦି ଥିଲା ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ।

nis-ad
Leave A Reply

Your email address will not be published.