ଦାନ୍ତେୱାଡ଼ା: ଗତ ୨୬ ତାରିଖରେ ଛତିଶଗଡ଼ର ଦାନ୍ତେୱାଡ଼ାରେ ବଡ଼ଧରଣର ହମ୍ଲା କରିଥିଲେ ମାଓବାଦୀ। ଦାନ୍ତେୱାଡ଼ା ଜିଲ୍ଲାର ଅରନପୁର ଅଞ୍ଚଳରେ ମାଓବାଦୀମାନେ ବିସ୍ଫୋରଣ କରି ଡିଆର୍ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନଙ୍କୁ ନେଇ ଫେରୁଥିବା ଗାଡ଼ିକୁ ଉଡ଼ାଇ ଦେଇଥିଲେ । ଆଉ ଘଟଣାସ୍ଥଳରେ ୧୦ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ବେସରକାରୀ ଗାଡ଼ି ଚାଳକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ବିସ୍ଫୋରଣର ତୀବ୍ରତା ଏତେ ପ୍ରଚଣ୍ଡ ରହିଥିଲା ଯେ, ଗାଡ଼ି ପ୍ରାୟ ୨୦ଫୁଟ ଉପରକୁ ଉଠି ଛିନ୍ଛତ୍ର ହୋଇଯାଇଥିଲା। ଏହି ବଡ଼ଧରଣର ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ହେଡ୍ କନେଷ୍ଟବଳ ଜୋଗା ସୋଢ଼ୀ, ମୁନା କଡତୀ, ସନ୍ତୋଷ ତାମୋ, କନେଷ୍ଟବଳ ଦୁଗୋ ମଣ୍ଡାବୀ, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବୀ, ଯବାନ ରାଜୁରାମ କରଟମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ ସହିଦ ହୋଇଯାଇଥିଲେ। ଗାଡ଼ି ଚାଳକ ଧନୀରାମ ଯାଦବଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସହିଦ ହୋଇଥିବା ୧୦ ଜଣ ଯବାନଙ୍କ ମଧ୍ୟରୁ ୫ଜଣ ନକ୍ସଲ ସଂଗଠନ ଛାଡି ଆତ୍ମସମର୍ପଣ କରିବା ପରେ ପୁଲିସ ଫୋର୍ସରେ ଯୋଗ ଦେଇଥିଲେ।
ବସ୍ତର ଜୋନ୍ ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ହେଡ୍ କନେଷ୍ଟବଳ ଜୋଗା ସୋଢ଼ୀ, ମୁନା କଡତୀ, ଜୋଗା କବାସୀ, ହରିରାମ ମଣ୍ଡାବୀ, ଯବାନ ରାଜୁରାମ କରଟମ ପୂର୍ବରୁ ନକ୍ସଲ ଭାବେ ସକ୍ରିୟ ଥିଲେ। ଏମାନେ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଡିଆରଜିରେ ନିଯୁକ୍ତ କରାଯାଇଥିଲା | ସୁନ୍ଦରରାଜ କହିଛନ୍ତି ଯେ ପଡୋଶୀ ସୁକମା ଜିଲ୍ଲାର ଆର୍ଲାମପାଲ୍ଲୀ ଗାଁର ବାସିନ୍ଦା ଜୋଗା ସୋଢ଼ୀ ଏବଂ ଦାନ୍ତେୱାଡ଼ାର ମୁଡେର ଗାଁର ବାସିନ୍ଦା ମୁନା କଡତୀ ୨୦୧୭ ମସିହାରେ ପୁଲିସରେ ଯୋଗ ଦେଇଥିଲେ। ସେହିଭଳି, ଦାନ୍ତେୱାଡ଼ା ଜିଲ୍ଲାର ବାସିନ୍ଦା ହରିରାମ ମଣ୍ଡାବୀ ଓ ରାଜୁରାମ କରଟମଙ୍କୁ ୨୦୨୦ ଏବଂ ୨୦୨୨ ମସିହାରେ ପୁଲିସରେ ନିଯୁକ୍ତି ଦିଆଯାଇଥିଲା | ସେହିପରି ଦାନ୍ତେୱାଡ଼ା ଜିଲ୍ଲାର ବାଡେଗଡାମ ଗାଁର ବାସିନ୍ଦା ଜୋଗା କବାସୀ ଗତ ମାସରେ ପୁଲିସ ଫୋର୍ସରେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ଡିଆରଜି ହେଉଛି ଛତିଶଗଡ଼ ପୁଲିସର ଏକ ସ୍ବତନ୍ତ୍ର ବାହିନୀ। ଏଥିରେ ଅଧିକାଂଶ ସ୍ଥାନୀୟ ଆଦିବାସୀ ରହିଛନ୍ତି। ମାଓ ମୁକାବିଲା ପାଇଁ ସେମାନଙ୍କୁ ତାଲିମ ଦିଆଯିବା ସହ ସ୍ବତନ୍ତ୍ର ଅପରେସନରେ ମଧ୍ୟ ନିୟୋଜିତ କରାଯାଇଥାଏ |
Sign in
Sign in
Recover your password.
A password will be e-mailed to you.